ଖସିଗଲା ଗଞ୍ଜାମର ବୀରାପ୍ପାନ, ବହୁ ମାରଣାସ୍ତ୍ର ଜବତ | News Room Odisha

ଖସିଗଲା ଗଞ୍ଜାମର ବୀରାପ୍ପାନ, ବହୁ ମାରଣାସ୍ତ୍ର ଜବତ

ବ୍ରହ୍ମପୁର: ଗଞ୍ଜାମର ବୀରାପ୍ପାନ କୁହାଯାଉଥିବା ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା (ଜଡ଼ା, ୩୮ ବର୍ଷ) ଅଳ୍ପକେ ପୁଲିସ ପଞ୍ଝାରୁ ବର୍ତ୍ତି ଯାଇଛି। ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ବେଆଇନ ନିଶା ଓ ମାରଣାସ୍ତ୍ର କାରବାର ସମେତ ବନ୍ୟଜନ୍ତୁ ଶିକାର ଭଳି ୨୬ଟି କେସରେ ସମ୍ପୃକ୍ତ କୁନା ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ଇଲାକାରେ ତାର ଅପରାଧ ସାମ୍ରାଜ୍ୟ ଖେଳାଇ ରଖିଛି। ବନ୍ୟ ଜନ୍ତୁ ଶିକାର କରୁଥିବା ଏହି ମାଫିଆ ଜଣକ ନାଁରେ ଗୋଳନ୍ଥରା, ଦିଗପହଣ୍ଡି, ଟାଉନ୍ ଥାନା, ଗୋସାଇଁ ନୂଆଗାଁ ଓ ବୈଦ୍ୟନାଥପୁର ଥାନାରେ ପୃଥକ୍ ଓ ଏକାଧିକ ମାମଲା ରହିଛି। କୁନାକୁ ଧରିବାକୁ ଗଠିତ ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଆଜି ଚଢ଼ିଆଗଡ଼ ଗାଁ ନିକଟରେ ସେ ଛପି ରହିଥିବା ଖବର ପାଇ ଚଢ଼ଉ କରିଥିଲା। କିନ୍ତୁ ଦୁର୍ଦ୍ଦାନ୍ତ କୁନା ଗାଁ ଲୋକଙ୍କ ଭିଡ଼ର ସୁଯୋଗ ନେଇ ପୋଲିସ ଉପରକୁ ଗୁଳି ଚାଳନା କରି ପାଖ ଜଙ୍ଗଲକୁ ଚମ୍ପଟ ମାରିଛି। ଅଭିଯାନ ବେଳେ ଗ୍ରାମବାସୀ ଉପସ୍ଥିତ ଥିବାରୁ ପୋଲିସ ପାଲଟା କାର୍ଯ୍ୟାନୁଷ୍ଠାନ ନେଇପାରି ନଥିଲା। କୁନା ଫେରାର ହୋଇଯାଇଥିବା ବେଳେ ସେଠାରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଦେଶୀ ବନ୍ଧୁକ ଓ ଗୁଳି ଧରପଗଡ଼ କରିଛି।

କୁନା ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଘାଟି ଅଞ୍ଚଳର ମୂଳ ବାସିନ୍ଦା। ବର୍ତ୍ତମାନ ସେ ବ୍ରହ୍ମପୁର ସହରର ବିଜିପୁର ଅଞ୍ଚଳରେ ରହୁଥିଲା। ୨୦୦୯- ୧୦ ମସିହାରୁ ତାର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା।