ନବରାତ୍ରୀର ତୃତୀୟ ଦିନ: ଆଜିର ଆରାଧ୍ୟ ଦେବୀ ମା' ଚନ୍ଦ୍ରଘଣ୍ଟା। ସମସ୍ତ ଭୟର ନିବାରଣ ପାଇଁ ଦେବୀ ଆଜି ଚନ୍ଦ୍ରଘଣ୍ଟା ରୂପରେ ବିରାଜିତ | News Room Odisha

ନବରାତ୍ରୀର ତୃତୀୟ ଦିନ: ଆଜିର ଆରାଧ୍ୟ ଦେବୀ ମା’ ଚନ୍ଦ୍ରଘଣ୍ଟା। ସମସ୍ତ ଭୟର ନିବାରଣ ପାଇଁ ଦେବୀ ଆଜି ଚନ୍ଦ୍ରଘଣ୍ଟା ରୂପରେ ବିରାଜିତ

ଚାଲିଛି ମାଆଙ୍କ ନବରାତ୍ର ପୂଜା, ଆଧ୍ୟାତ୍ମିକ ବିଚାର ଅନୁସାରେ ନବରାତ୍ରୀର ପ୍ରଥମ ଦିନ ମା’ଙ୍କୁ ଶୈଳପୁତ୍ରୀ, ଦ୍ଵିତୀୟ ଦିବସରେ ବ୍ରହ୍ମଚାରଣୀ ରୂପରେ ଆବାହନ କରାଯିବା ପରେ ଆଜି ମା’ ଚନ୍ଦ୍ରଘଣ୍ଟା ରୁପରେ ଭକ୍ତ ହୃଦୟରେ ବିରାଜିତ।

ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହେବ ।

ନବରାତ୍ରର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଇଥାଏ । କାରଣ ନବରାତ୍ର ଉପାସନା ହେଉଛି ସାଧନାର ଏକ ଧାରା। ଶକ୍ତି ଶରୀରରେ ସଞ୍ଚରିତ ହେବା ପରେ ପ୍ରତିଦିନ ଶରୀରସ୍ଥ ପ୍ରତ୍ୟେକ ଟି ଚକ୍ର ଜାଗରିତ ହେବା ସହ ଅହୈତୁକି ଭକ୍ତି ବୃଦ୍ଧି ପାଇଥାଏ।

ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ମା’ ଚନ୍ଦ୍ରଘଂଟା ରୂପରେ ପୂଜା ପାଉଛନ୍ତି । ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଦେବୀ ଚନ୍ଦ୍ରଘଣ୍ଟାଙ୍କ ବାହାନ ହେଉଛନ୍ତି ସିଂହ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଛି । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି

ଚନ୍ଦ୍ରଘଣ୍ଟା ଏହା ପାର୍ବତୀ ଙ୍କର ଶିବଙ୍କୁ ବିବାହ କରିବା ସମୟର ନବବଧୂ ରୂପ । ନାରୀ ଜୀବନ ର ଏହା ଏକ ବୈବାହିକ ସୋପାନ । ଯେଉଁ ସୋପାନରେ ସେ ଆପଣାର ସମସ୍ତ ଶକ୍ତି ସାମର୍ଥ୍ୟ ର ସମର୍ପଣ କରିବା ଶିଖିଥାଏ । ନିଜକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହୋଇଥାଏ। ମନର ଅଧିପତି ହେଉଛନ୍ତି ଚନ୍ଦ୍ର। ମନକୁ ନିଜ ବଶରେ ରଖିବାକୁ ଦୂର୍ଗାଙ୍କର ଏହି ରୂପର ଆରାଧନା କରା ଯାଇଥାଏ ।

ଦେବୀ ପୁରାଣ ଅନୁସାରେ , ଯେତେବେଳେ ଅସୁର ମାନଙ୍କ ଆତଙ୍କ ଏ ପୃଥିବୀ ପୃଷ୍ଠରେ ବଢିବାରେ ଲାଗିଥିଲା ସେତେବେଳେ ଦେବୀ ଚନ୍ଦ୍ରଘଣ୍ଟା ରୂପରେ ଆବିର୍ଭୁତ ହୋଇଥିଲେ। ଅସୁରମାନଙ୍କର ପ୍ରଭୁ ଥିଲେ ମହିଷାସୁରା, ଯାହାର ଦେବତାମାନଙ୍କ ସହିତ ଯୁଦ୍ଧ ଚାଲିଥିଲା | ମହିଷାସୁରା ଦେବରାଜ ଇନ୍ଦ୍ରଙ୍କ ସିଂହାସନ ପାଇବାକୁ ଚାହୁଁଥିଲେ। ସ୍ବର୍ଗକୁ ଶାସନ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଏହି ଇଚ୍ଛା ଜାଣିଥିବା ସମସ୍ତ ଦେବତା ଏଥିରେ ଉତକ୍ଷିପ୍ତ ହେଲେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ନିକଟରେ ଉପସ୍ଥିତ ହେଲେ। ଭଗବାନ ଶ୍ରୀହରି ଏ କଥା ଶୁଣି କ୍ରୋଧିତ ହେଲେ। କ୍ରୋଧ ହେତୁ ତିନିଜଣଙ୍କ ପାଟିରୁ ବାହାରିଥିବା ଶକ୍ତି ଦ୍ବାରା ତାଙ୍କଠାରୁ ଜଣେ ଦେବୀ ଜନ୍ମିଥିଲେ। ଯାହାଙ୍କୁ ଭଗବାନ ଶଙ୍କର ତାଙ୍କ ତ୍ରିଶୁଳ ଦେଇଥିଲେ ଏବଂ ଭଗବାନ ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ। ସେହିଭଳି ଅନ୍ୟ ଦେବତା ଏବଂ ଦେବୀମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ମାନ ମାତାଙ୍କ ହାତରେ ଦେଇଥିଲେ। ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ। ସୂର୍ଯ୍ୟ ନିଜର ତୀକ୍ଷ୍ଣ ଶକ୍ତି ଓ ଖଣ୍ଡା ଦେଲେ, ଯାତ୍ରା ପାଇଁ ସିଂହ ବାହାନ ରୂପେ ପ୍ରଦାନ କଲେ।

ଏହା ପରେ ମାତା ଚନ୍ଦ୍ରଘଣ୍ଟା ମହିଷାସୁର ପାଖରେ ପହଞ୍ଚିଥିଲେ। ମାତାଙ୍କର ଏହି ରୂପ ଦେଖି ମହିଷାସୁରକୁ ଅନୁଭବ ହେଲା ଯେ ତାଙ୍କ କାଳ ଆସିଛି । ଆଉ ମହିଷାସୁର ବଞ୍ଚିବା ପାଇଁ ମାଆଙ୍କ ଉପରେ ଆକ୍ରମଣ କରିଥିଲା। ଏହା ପରେ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ମାତା ଚନ୍ଦ୍ରଘଣ୍ଟା ମହିଷାସୁରଙ୍କୁ ହତ୍ୟା କରିଥିଲେ। ଏହିପରି, ମାତା ଦେବତାମାନଙ୍କୁ ସୁରକ୍ଷା ଦେଇଥିଲେ।

ମା’ ଙ୍କର ଚନ୍ଦ୍ରଘଣ୍ଟା ରୂପକୁ ପୂଜା କରିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ନବରାତ୍ରର ଏହି ତୃତୀୟ ଦିନରେ ଭୟରୁ ମୁକ୍ତି ମିଳିବା ସହ ଅପାର ସାହାସ ପ୍ରାପ୍ତ ହେବାକୁ ଅନ୍ତରରେ ଶକ୍ତି ପ୍ରାପ୍ତ ହୋଇଥାଏ ।