ରାଜ୍ୟ ଭିଜିଲାନ୍ସର ରେକର୍ଡ, ଗୋଟିଏ ଦିନରେ ତିନି ଲାଂଚୁଆ ଅଧିକାରୀ ଗିରଫ, ୨୨ ଲକ୍ଷରୁ ଅଧିକ ଟଙ୍କା ଜବତ | News Room Odisha

ରାଜ୍ୟ ଭିଜିଲାନ୍ସର ରେକର୍ଡ, ଗୋଟିଏ ଦିନରେ ତିନି ଲାଂଚୁଆ ଅଧିକାରୀ ଗିରଫ, ୨୨ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର – ଗୋଟିଏ ଦିନରେ ତିନି ଲାଂଚୁଆ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରି ଭିିଜିଲାନସ ବିଭାଗ ନୂଆ ରେକର୍ଡ କରିଛି । ସମସ୍ତଙ୍କ ଘରେ ଏକକାଳୀନ ଚଢାଉ କରାଯାଇ ସେମାନଙ୍କଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି । ଆଜି ଗିରଫ ଅଧିକାରୀଙ୍କୁ କୋର୍ଟ ଚାଲାଣ କରିବ ଭିଜିଲାନ୍ସ ।

ଶନିବାର ଦିନ ତିନି ଅଧିକାରୀଙ୍କଠାରୁ ବିପୁଳ ପରିମାଣର ଟଙ୍କା ପାଇଥିଲା ଭିଜିଲାନ୍ସ । କେନ୍ଦୁଝର ଶାଳପଡା ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ରାଉରକେଲା ପାନପୋଷ ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଓ ବାଲେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଂଚଳିକ ଅଧିକାରୀ ନରୋତ୍ତମ ବେହେରା ବିପୁଳ ଟଙ୍କା ସହ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କଠାରୁ ୧୦ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ । ସେ ଶନିବାର କେନ୍ଦୁଝରରୁ କଟକ ସ୍ଥିତ ନିଜ ଘରକୁ ଅଫିସର ବୋଲେରୋରେ ଆସୁଥିବା ବେଳେ ଯାଜପୁର ଏନସି କଲେଜ ଆଗରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇ ଗାଡିରୁ ୧୦ ଲକ୍ଷ ୭ ହଜାରରୁ ଅଧିକ ଟଙ୍କା ଜବତ କରିଥିଲେ । ପରେ ଘରେ ଚଢାଉ କରି ଭିଜିଲାନ୍ସ ଆଉ ୬୪ ହଜାର ଟଙ୍କା ପାଇଥିଲେ ।

ପ୍ରଦୂଷଣ ବୋର୍ଡ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ରାଉରକେଲାରୁ ଟଙ୍କା ଧରି ଭୁବନେଶ୍ୱର ଆସୁଥିବା ବେଳେ ସୁନ୍ଦରପଡା ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠାରୁ ୧ ଲକ୍ଷ ୮୫ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ତାଙ୍କର ସୁନ୍ଦରପଡା ଘରେ ବି ଚଢାଇ କରିଥିଲା ଭିଜିଲାନ୍ସ ।

ଶନିବାର ଦିନ ହିଁ ଏକ ଘରୋଇ କାରରେ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବେଳେ ପ୍ରଦୂଷଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରାଙ୍କୁ ଟାଙ୍ଗୀ ନିକଟରେ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ଗାଡିରୁ ୮୯ ହଜାର ଟଙ୍କା ବାହାରିଥିଲା । ବାଲେଶ୍ୱରର ସରକାରୀ ବାସଭବନ ଓ ଭୁବନେଶ୍ୱର ସତ୍ୟନଗର ଘରେ ଚଢାଉ କରାଯାଇ ଆଉ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଥିଲା ।