ରଣଜିତ ସିଂ ହତ୍ୟା ମାମଲା: ଡେରା ମୁଖ୍ୟ ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡ | News Room Odisha

ରଣଜିତ ସିଂ ହତ୍ୟା ମାମଲା: ଡେରା ମୁଖ୍ୟ ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଡେରାର ପୂର୍ବତନ ମ୍ୟାନେଜର ରଣଜିତ ସିଂ ହତ୍ୟା ମାମଲାରେ ବାବା ଗୁରୁମିତ ରାମ ରହୀମ ଏବଂ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପଞ୍ଚକୁଲାର ସିବିଆଇ କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ ମଧ୍ୟ ରାମ ରହୀମଙ୍କ ଉପରେ ୩୧ ଲକ୍ଷ ଜୋରିମାନା ଲଗାଇଥିବା ବେଳେ ବାକି ଅଭିଯୁକ୍ତମାନଙ୍କୁ ୫୦-୫୦ ହଜାର ଜୋରିମାନା ଦେବାକୁ କୁହାଯାଇଛି। ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କର ଏକ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୮ରେ ପଞ୍ଚକୁଲା କୋର୍ଟ ଏହି ହତ୍ୟା ମାମଲାରେ ରାମ ରହୀମ ଏବଂ ଅନ୍ୟ ଚାରି ଜଣ କୃଷ୍ଣଲାଲ, ଜସବୀର ସିଂ, ଅବତାର ସିଂ ଏବଂ ସାବଦିଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

୨୦୦୨ ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କୁ ହତ୍ୟା କରାଯାଇଥିଲା। ଡେରା ମୁଖ୍ୟାଳୟରେ ରାମ ରହିମ ମହିଳାମାନଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗରେ ଏକ ଚିଠି ପ୍ରଘଟ ହେବା ନେଇ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଏହି ମାମଲାରେ ଅକ୍ଟୋବର ୮ ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗୁରୁମିତ ସିଂ, ତତ୍କାଳୀନ ଡେରା ମ୍ୟାନେଜର କୃଷ୍ଣ ଲାଲ, ଅବତାର ସିଂ, ଜସବୀର ଏବଂ ସାବଦିଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ।