ଲକ୍ଷ୍ମୀପୁର ହିଂସା ମାମଲା: ଷ୍ଟାଟସ୍ ରିପୋର୍ଟ ଦାଖଲରେ ବିଳମ୍ବ ନେଇ ଯୋଗୀ ସରକାରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା | News Room Odisha

ଲକ୍ଷ୍ମୀପୁର ହିଂସା ମାମଲା: ଷ୍ଟାଟସ୍ ରିପୋର୍ଟ ଦାଖଲରେ ବିଳମ୍ବ ନେଇ ଯୋଗୀ ସରକାରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ହିଂସା ମାମଲାରେ ଯୋଗୀ ସରକାରଙ୍କୁ ପୁଣି ଥରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ହରିଶ ସାଲଭେଙ୍କୁ କହିଛନ୍ତି ଯେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କୋର୍ଟ ଅପେକ୍ଷା କରିଥିଲେ । ତଥାପି ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇପାରିନଥିଲା। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆମକୁ ଏବେ ଷ୍ଟାଟସ୍ ରିପୋର୍ଟ ମିଳିଲା। ଶୁଣାଣି ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ୟୁପି ସରକାରଙ୍କ ଦାବିକୁ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ୟୁପି ସରକାର ନିଜ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ଲକ୍ଷ୍ମୀପୁର ଖେରୀ ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ବରିଷ୍ଠ ଓକିଲ ହରିଶ ସାଲଭେ କୋର୍ଟଙ୍କୁ କହିଥିଲେ ଯେ ବନ୍ଦ ଲଫାଫାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ ଗତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆମେ ରିପୋର୍ଟ ଦାଖଲ କରିବାକୁ ଅପେକ୍ଷା କରିଥିଲୁ କିନ୍ତୁ ବର୍ତ୍ତମାନ ରିପୋର୍ଟ ଦାଖଲ କରାଯାଇଛି। ପ୍ରଧାନ ବିଚାରପତି କହିଥିଲେ ଯେ, ‘ଯଦି ଆମେ ରିପୋର୍ଟକୁ ଏତେ ବିଳମ୍ବରେ ଦାଖଲ କରୁ, ତେବେ ଆମେ ଏହାକୁ କିପରି ପଢିବୁ? ଅତିକମରେ ଗୋଟିଏ ଦିନ ପୂର୍ବରୁ ଦାଖଲ ହେବା ଜରୁରୀ | ଏହା ଉପରେ ୟୁପି ସରକାର କୋର୍ଟରୁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ମାଗିଥିଲେ।

ୟୁପି ସରକାର ଏପର୍ଯ୍ୟନ୍ତ କାହିଁକି ଅଧିକ ଲୋକଙ୍କୁ ପ୍ରଶ୍ନ କରିନାହାଁନ୍ତି ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଆପଣ ଏପର୍ଯ୍ୟନ୍ତ ୧୬୪ ଜଣଙ୍କ ମଧ୍ୟରୁ ୪୪ ଜଣ ସାକ୍ଷୀଙ୍କ ଜେରା କରିଛନ୍ତି, ବାକି ଲୋକଙ୍କ କାହିଁକି ବୟାନ ରେକର୍ଡ ହୋଇନାହିଁ ? ଏହାର ଜବାବରେ ସାଲଭେ କହିଥିଲେ ଯେ ପ୍ରକ୍ରିୟା ଚାଲିଛି ଏବଂ ସମସ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଏହା ପୂର୍ବରୁ ଅକ୍ଟୋବର ୮ ରେ ଏହି ମାମଲାର ଶୁଣାଣି ହୋଇଥିଲା । ଆଠ ଜଣଙ୍କ “ନିର୍ମମ” ହତ୍ୟା ଘଟଣାରେ ୟୁପି ସରକାରଙ୍କ ଆଭିମୁଖ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିବା ସହ ଷ୍ଟାଟସ୍ ରିପୋର୍ଟ ମାଗିଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି।

ଭାରତର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଦୁଇଜଣ ଓକିଲ ଏହି ଘଟଣାର ଉଚ୍ଚ ସ୍ତରୀୟ ନ୍ୟାୟିକ ତଦନ୍ତ ଦାବି କରିଥିଲେ ଏବଂ ଏଥିରେ ସିବିଆଇକୁ ସାମିଲ କରିବାକୁ ନିବେଦନ କରିଥିଲେ। ଏହି ଚିଠି ପରେ ସୁପ୍ରିମକୋର୍ଟ ଏହି ମାମଲାର ନିଜ ଆଡ଼ୁ ସଜ୍ଞାନ ନେଇ ଶୁଣାଣି ଆରମ୍ଭ କରିଥିଲେ।