ସନାତନ ଧର୍ମରେ ଯଦି କୌଣସି ମାସକୁ ସମ୍ପୂର୍ଣ୍ଣ ଭାବରେ ଶୁଭ ବୋଲି ଗ୍ରହଣ କରାଯାଏ ତାହା ହେଲା ପବିତ୍ର କାର୍ତ୍ତିକ ମାସ।ସାଧାରଣତଃ ଏହା ଅକ୍ଟୋବରରୁ ନଭେମ୍ବର ଭିତରେ ପଡିଥାଏ ଆମ ହିନ୍ଦୁ ପଞ୍ଜିକା ଅନୁସାରେ।
କାର୍ତ୍ତିକ ମାସ ଏକ ଧର୍ମ ମାସ । ଏହିକଥା ଆମ ପୁରାଣରେ ବର୍ଣ୍ଣିତ ହୋଇଛି। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ ପରବର୍ତ୍ତୀ ମାସ ମାର୍ଗଶୀର ମାସ। ଯଦିଓ ଭଗବାନ ଶ୍ରୀକୃଷ୍ଣ ଗୀତାର ବିଭୂତି ଯୋଗରେ ‘ମାସାଣାମ ମାର୍ଗଶିରସ୍ମି’ ଅର୍ଥାତ ମାସ ମାନଙ୍କ ଭିତରେ ମୁଁ ମାର୍ଗଶିର ବୋଲି କହିଛନ୍ତି ତଥାପି କାର୍ତ୍ତିକ ମାସର ମହାତ୍ୟଂ କିଛି କମ ନୁହେଁ। ଏହି ମାସର ଅଧି ଦେବତା ହେଉଛନ୍ତି ‘ରାଧା ଦାମୋଦର’ । ଏହି ମାସଟି ଶରତ ପୁର୍ଣ୍ଣିମା ବା କୁମାର ପୂର୍ଣ୍ଣିମାରୁ ଆରମ୍ଭ କରି କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ଯନ୍ତ ଚାଲିଥାଏ। କାର୍ତ୍ତିକ ମାସରେ ଦୀପ ଦାନ ଏବଂ ଗଙ୍ଗା ସ୍ନାନର ଫଳ ତତୋଧିକ। ଏହା କରିବା ଦ୍ଵାରା ସବୁ ପାପ ନଷ୍ଟ ହୋଇଥାଏ ବୋଲି ବିଶ୍ଵାସ କରାଯାଏ।
ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ। ସୂର୍ଯ୍ୟ ଯେତେବେଳେ ତାଙ୍କର ଦକ୍ଷିଣାୟନ ଆରମ୍ଭ କରନ୍ତି ଓ ତୁଳା ରାଶିରେ ପ୍ରବେଶ କରନ୍ତି ଏହି ସମୟରେ କାର୍ତ୍ତିକ ମାସ ଆରମ୍ଭ ହୁଏ। ଏହି ମାସ ଏଭଳି ପବିତ୍ର ଯେ ଏ ମାସର ଯେ କୌଣସି ଦିନ କିଛି ଧାର୍ମିକ କାର୍ଯ୍ୟାନୁଷ୍ଠାନ ଆଦି ଆରମ୍ଭ କରାଯାଇପାରେ।ପ୍ରବାଦ ଅଛି ଏହିମାସରେ ଯେ କୌଣସି ଧାର୍ମିକ ଅନୁଷ୍ଠାନ କଲେ ତାହା ଧାର୍ମିକ କ୍ଷେତ୍ରକୁ ତୀର୍ଥ ଯିବାର ପୂଣ୍ୟଫଳ ପ୍ରଦାନ କରିଥାଏ। ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ଭଗବାନ ବିଷ୍ଣୁ ଦେବଶୟନ ଏକାଦଶୀରେ ଯୋଗ ନିଦ୍ରାରେ ୪ ମାସ ରହି ପରେ ଅର୍ଥାତ୍ ଏହି କାର୍ତ୍ତିକ ମାସର ଦେବ ପ୍ରବୋଧିନୀ ଏକାଦଶୀ ଦିନ ଯୋଗ ନିଦ୍ରାରୁ ଉଠିଥିଲେ ଓ ଏକ ପବିତ୍ର ସମୟର ଆଗମନ ହୋଇଥିଲା । କେବଳ ଏତିକି କାହିଁକି ଏହି ମାସରେ ପବିତ୍ର ଦୀପାବଳୀ ଉତ୍ସବ ପାଳନ ସହିତ ମାଆ ଭଵତାରିଣୀ କାଳୀ ମାଙ୍କ ଆରାଧନା ଅନେକ ରାଜ୍ୟରେ ପାଳିତ ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଉକ୍ତଦିନ ଲକ୍ଷ୍ମୀପୂଜା ଆଡ଼ମ୍ବର ସହକାରେ ପାଳିତ ହୁଏ ।
ପୌରାଣିକ ତଥ୍ୟ ଅନୁଯାୟୀ ପରମପିତା ବ୍ରହ୍ମା ବ୍ରହ୍ମର୍ଷି ନାରଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହିଛନ୍ତି “ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତା ମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ବଦ୍ରିକାଧାମ ଶ୍ରେଷ୍ଠ ଅଟେ। ସର୍ବୋପରି ଶ୍ରେଷ୍ଠ ଅଟେ ଶ୍ରୀବିଷ୍ଣୁଙ୍କ ପାଦୋଦକ। ଅନ୍ୟ ଅର୍ଥରେ କୁହାଯାଇଛି :
“ନ କାର୍ତ୍ତିକ ସମୋ ମାସୋ
ନ କୃତେନ ସମଂ ଯୁଗମ୍ବ,
ନ ବେଦ ସଦୃଶଂ ଶାସ୍ତ୍ରଂ
ନ ତୀର୍ଥଂ ଗଙ୍ଗାୟା ସମମ୍”।।
ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ।
କାର୍ତ୍ତିକ ମାସର ଉପାସ୍ୟ ଦେବତା ହେଉଛନ୍ତି ଶ୍ରୀ ରାଧା ଦାମୋଦର। ଶରତ ଋତୁର ଆଗମନ ପରେ ଭଗବାନ ଶ୍ରୀ ବ୍ରଜେନ୍ଦ୍ର ନନ୍ଦନ ବୃନ୍ଦାବନର ଘନ ନିକୁଞ୍ଜରେ ଗୋପାଙ୍ଗନାଙ୍କ ସହ ଶରତ ରାସ କରି ଗୋପିକେ ଗୋବିନ୍ଦ ଗୋଟିଏ ରୂପ ଧାରଣ କରିଥିଲେ। ଏହାଥିଲା ଆତ୍ମିକ ଚେତନାର ମହା ଜାଗରଣ। ସ୍ରଷ୍ଟା ସୃଷ୍ଟି ସହିତ ଏକା କାରର ହୋଇଯିବାର ଏକ ଦିବ୍ୟ ମୁହୂର୍ତ୍ତ। ଏଠି କାମ ଭାବର ଲେସ ମାତ୍ର ଗନ୍ଧ ନଥିଲା, ଥିଲା କେବଳ ଆନନ୍ଦ ଆଉ ଆନନ୍ଦ। ବ୍ରହ୍ମାନନ୍ଦର ଅନୁଭବ। ସେହି ଦିବ୍ୟ ଚେତନାକୁ ଜାଗ୍ରତ କରିବା ପାଇଁ ଏହି ମାସରେ ପାଳନ କରାଯାଇଥାଏ ଶ୍ରୀ ରାଧା ଦାମୋଦର ବ୍ରତ। କିବା ପୁରୁଷ କିବା ନାରୀ ସମ୍ମିଳିତ ଭାବରେ ଶ୍ରୀକୃଷ୍ଣ ଚେତନାରେ ସମସ୍ତେ ନିଜ ଭାବ ଅନୁସାରେ ଏଥିରେ ଅବଗାହନ କରିଥାନ୍ତି।
ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା କାର୍ତ୍ତିକ ମାସରେ ପ୍ରତ୍ୟେହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନ କରି ନିଜର ସୁପ୍ତ ପ୍ରାଣ କୁ ଜାଗ୍ରତ କରିଥାନ୍ତି। ବ୍ରତ ରଖିଥିବା ବ୍ରତଧାରୀ ମାନେ ତୁଳସୀ ଚଉରା ମୂଳରେ ମୁରୁଜ ଆଙ୍କି ରାଧା ଦାମୋଦର ପୂଜନ କରିଥାନ୍ତି । ଏବଂ ପଦ୍ମ ପୁରାଣ ଅନ୍ତର୍ଗତ କାର୍ତ୍ତିକ ମହାତ୍ୟଂ ଶ୍ରବଣ କରିଥାନ୍ତି। ସନ୍ଧ୍ୟାରେ ଆକାଶ ଦୀପ ଜାଳିଥାନ୍ତି।
ଆକାଶଦୀପ ପ୍ରତିଷ୍ଠା ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ଅବଦାନ।କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ।ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ, ମନ୍ଦିରରେ ଏକ ଉଚ୍ଚ ବାଉଁଶରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଇଥାଏ। ସନ୍ଧ୍ୟାରେ ବିଭିନ୍ନ ଧର୍ମଗ୍ରନ୍ଥ ପରାୟଣ ହୋଇଥାଏ। ମାସର ଶେଷ ପାଞ୍ଚଦିନ ପଞ୍ଚୁକ କରି ପୂର୍ଣ୍ଣିମା ଦିନ ବ୍ରତ ଉଦ୍ଯାପନ ହୋଇଥାଏ। ପୁରା ଏକମାସ ବିଷ୍ଣୁ ଚିନ୍ତନରେ ଅତିବାହିତ କରିବା ସହିତ ଶ୍ରୀବିଷ୍ଣୁ ପାଦୋଦକ ପାନ କରି ନିଜର ମନୁଷ୍ୟ ଜନ୍ମ କୁ ସାର୍ଥକ କରିଥାନ୍ତି। ଋତୁ ଦୃଷ୍ଟିରୁ ଶରୀର ପାଇଁ ଏହି ମାସ ରେ ବିଧି ପୂର୍ବକ ଉପବାସ ଓ ପ୍ରାତଃ ସ୍ନାନ ସୁସ୍ଥ ମନ ଓ ସୁସ୍ଥ ଶରୀର ପାଇଁ ସବୁ ଦୃଷ୍ଟିରୁ ହିତକର।