ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ | News Room Odisha

ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ଆବୁଧାବି: ଟି୨୦ ବିଶ୍ୱକପ ସୁପର-୧୨ ପର୍ଯ୍ୟାୟର ଏକ ଲୋ ସ୍କୋରିଂ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇ ଅଷ୍ଟ୍ରେଲିଆ ନିଜ ଅଭିଯାନ ଆରମ୍ଭ କରିଛି । ଅଷ୍ଟ୍ରେଲିଆର ବୋଲର ଶୃଙ୍ଖଳିତ ପ୍ରଦର୍ଶନ ସହ ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ୧୧୮/୯ରେ ସୀମିତ ରଖିଥିଲା । ହେଲେ ଏହି ସାଧାରଣ ବିଜୟଲକ୍ଷ୍ୟର ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ସଂଘର୍ଷ କରିଥିଲା । ଏପରିକି ଅଷ୍ଟ୍ରେଲିଆ ଏକଦା ୮୨ ରନରେ ୫ଟି ୱିକେଟ୍ ହରାଇଥିଲା । ତେବେ ଇନିଂସ୍ ମଝିରେ ଷ୍ଟିଭ୍ ସ୍ମିଥ୍ ଓ ଶେଷ ଆଡକୁ ମାର୍କସ୍ ଷ୍ଟୋଇନିସଙ୍କ ଧୈର୍ଯ୍ୟଭରା ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆ ଦୁଇଟି ବଲ୍ ବାକିଥାଇ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା । ଶେଷ ଓଭରରେ ବିଜୟ ପାଇଁ ୮ ରନ୍ ଆବଶ୍ୟକ ହେଉଥିବା ବେଳେ ଡ୍ୱେନ୍ ପ୍ରିଟୋରିୟସଙ୍କ ବଲରେ ଦୁଇଟି ଚୌକା ମାରି ଷ୍ଟୋଇନିସ୍ ଅଷ୍ଟ୍ରେଲିଆକୁ ବିଜୟ ଦେଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍ ସର୍ବାଧିକ ୩୫ ରନ୍ କରିଥିବା ବେଳେ ଷ୍ଟାଇନି୍ ୨୪ ରନ୍ କରି ଅପରାଜିତ ରହିଥିଲେ । ଜୋସ୍ ହାଜଲଉଡ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
୧୧୯ ରନର ବିଜୟଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇନଥିଲା । ଅଧିନାୟକ ଆରୋନ୍ ଫିଞ୍ଚ୍ ଖାତା ଖୋଲିନପାରି ଦ୍ୱିତୀୟ ଓଭରରେ ଆଉଟ୍ ହୋଇଯାଇଥିଲେ । ଫର୍ମ ପାଇଁ ସଂଘର୍ଷ କରୁଥିବା ଡେଭିଡ୍ ୱାର୍ଣ୍ଣର ମଧ୍ୟ ମାତ୍ର ୧୪ ରନ୍ କରିବା ପରେ ରବାଡାଙ୍କ ଶିକାର ହୋଇଥିଲେ । ମିଚେଲ ମାର୍ଶ (୧୧) ବି ବେଶି ସମୟ ତିଷ୍ଠିନଥିଲେ । ୩୮ ରନରେ ୩ଟି ୱିକେଟ୍ ହରାଇବା ପରେ ଅଷ୍ଟ୍ରେଲିଆର ପାଳି ସମ୍ଭାଳିଥିଲେ ସ୍ମିଥ୍ ଓ ଗ୍ଲେନ ମ୍ୟାକ୍ସୱେଲ (୧୮) । ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୪୨ ରନ୍ ଯୋଗ କରିଥିଲେ । ସ୍ମିଥଙ୍କୁ ଆଉଟ୍ କରି ନର୍ଜେ ଏହି ଯୋଡ଼ି ଭାଙ୍ଗିଥିଲେ । ପରେ ମ୍ୟାକ୍ସୱେଲ ସ୍ପିନର ସାମସିଙ୍କ ବଲରେ ବୋଲ୍ଡ ହୋଇଯିବା ପରେ ଦକ୍ଷିଣ ଆଫ୍ରିକାର ପ୍ରତ୍ୟାବର୍ତ୍ତନ ଆଶା ବଢିଥିଲା । ହେଲେ ଷ୍ଟୋଇନିସ୍ ଓ ମାଥ୍ୟୁ ୱେଡ୍ (୧୫ ନଟ୍ ଆଉଟ୍‌) ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇବାରେ ସଫଳ ହୋଇଥିଲେ ।

ICC Men's T20 World Cup