ୱେଷ୍ଟଇଣ୍ଡିଜ୍ ଚିତ୍‌ପଟାଙ୍ଗ, ସହଜ ବିଜୟରୁ ଇଂଲଣ୍ଡର ଅଭିଯାନ | News Room Odisha

ୱେଷ୍ଟଇଣ୍ଡିଜ୍ ଚିତ୍‌ପଟାଙ୍ଗ, ସହଜ ବିଜୟରୁ ଇଂଲଣ୍ଡର ଅଭିଯାନ

ଦୁବାଇ: ସହଜ ବିଜୟରୁ ଇଂଲଣ୍ଡ ନିଜ ଟି୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ଶନିବାର ଏଠାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସୁପର-୧୨ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନକୁ ୬ ୱିକେଟରେ ହରାଇଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୧୪.୨ ଓଭରରେ ମାତ୍ର ୫୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଟି୨୦ ବିଶ୍ୱକପରେ ଏହା ହେଉଛି ତୃତୀୟ ସର୍ବନିମ୍ନ ସ୍କୋର । ଦଳ ପକ୍ଷରୁ କେବଳ କ୍ରିସ୍ ଗେଲ (୧୩) ଏକମାତ୍ର ବ୍ୟାଟର ଭାବେ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ବ୍ୟାଟରମାନେ ଇଂଲଣ୍ଡ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ । ଏହି ମାମୁଲି ବିଜୟଲକ୍ଷ୍ୟର ଜବାବରେ ଇଂଲଣ୍ଡ ୪ ୱିକେଟ ହରାଇ ୮.୨ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ଏହି ବିଜୟ ସହ ଇଂଲଣ୍ଡ ୨୦୧୬ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ।
୫୬ ରନର ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ଶୀଘ୍ର ଜାସନ ରୟ (୧୧)ଙ୍କ ୱିକେଟ୍ ହରାଇଥିଲା । ଏହାପରେ ଜନି ବେୟାରଷ୍ଟୋ (୯) ଏବଂ ମୋଇନ୍ ଅଲ୍ଲୀ (୩) ମଧ୍ୟ ଶସ୍ତାରେ ଆଉଟ୍ ହୋଇଯାଇଥିଲେ । ଲିଆମ ଲିଭିଂଷ୍ଟୋନ୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ହେଲେ ଛୋଟିଆ ଟାର୍ଗେଟରେ ପହଞ୍ଚିବାରେ ଇଂଲଣ୍ଡକୁ ସେଭଳି ଅସୁବିଧା ହୋଇନଥିଲା । ଜୋସ୍ ବଟଲର ଓ ଅଧିନାୟକ ଇୟନ୍ ମୋର୍ଗାନ୍ ଔପଚାରିକତା ପୂରଣ କରିଥିଲେ । ବଟଲର ୨୪ ଓ ମୋର୍ଗାନ୍ ୭ ରନ୍ କରି ଅପରାଜିତ ଥିଲେ । ମୋଇନ୍ ଅଲ୍ଲୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିୟମିତ ୱିକେଟ୍ ହରାଇଥିଲା । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ଦୁଇ ଅଙ୍କ ମଧ୍ୟ ଛୁଇଁପାରିନଥିଲେ । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ୍ ୪ଟି ୱିକେଟ୍ ହାସଲ କରିଥିବା ବେଳେ ମୋଇନ୍ ଓ ଟିମାଲ ମିଲ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।