ପବିତ୍ର କାର୍ତ୍ତିକମାସ ଏକ ଧର୍ମମାସ । ସାଧାରଣ ଭାବରେ ଗୃହସ୍ଥମାନେ ଏହି ମାସରେ ବ୍ରତ ରଖୁଥିବା ବେଳେ ବିଶେଷ କରି ବୈଷ୍ଣବ ସମ୍ପ୍ରଦାୟର ସାଧୁସନ୍ଥ ମାନେ ଏହି ମାସରେ ରାଧା ଦାମୋଦର ବ୍ରତ ରଖିଥାନ୍ତି। ସେଥିପାଇଁ ପୁଣ୍ୟ ଧାମ ଗୁଡିକ ଯଥା ମଥୁରା, ବୃନ୍ଦାବନ, ପୁରୀ, ଅଯୋଧ୍ୟା ଆଦି ବୈଷ୍ଣବୀୟ କ୍ଷେତ୍ର ଗୁଡିକ ବିଶେଷ ଉତ୍ସବ ମୁଖର ହୋଇଉଠିଥାଏ।
ଯେଉଁ ଗୃହସ୍ଥମାନେ ଏହି ହବିଷ କରନ୍ତି, ସେମାନଙ୍କୁ ହବିଷ୍ୟାଳୀ କୁହାଯାଇଥାଏ । ଏହିବ୍ରତ ଉଭୟ ନାରୀ ଓ ପୁରୁଷମାନେ କରିଥାନ୍ତି। ଏପରିକି ସଧବା ଏବଂ ବିଧବା ମହିଳା ଏହି ବ୍ରତ ପାଳନ କରିବାରେ କୌଣସି ବାଧକ ନଥାଏ।
ଉଭୟ ଏହି ବ୍ରତ ପାଳନ କରିବାର ଦୁଇଟି ତାପ୍ତର୍ଯ୍ୟ ରହିଛି । ପ୍ରଥମଟି ହେଲା ଏହି ବ୍ରତ ପାଳନରେ ଗୃହରେ ଅଶେଷ କଲ୍ୟାଣ ସାଧିତ ହୋଇଥାଏ। ଘର ଧନ-ଜନ-ଜନ-ଗୋପ ଲକ୍ଷ୍ମୀ ଏବଂ ସୁଖ ଶାନ୍ତିରେ ଭରପୁର ହୋଇଯାଏ ।
ଦ୍ୱିତୀୟ କାରଣଟି ହେଲା ଧାର୍ମିକ ବିଚାରରେ କାର୍ତ୍ତିକ ବ୍ରତ ପାଳନ ଦ୍ୱାରା ମହାପାତକ ନଷ୍ଟ ହୋଇଥାଏ । ମୃତ୍ୟୁପରେ ସ୍ୱର୍ଗଲୋକ ବା ବୈକୁଣ୍ଠ ଲୋକ ପ୍ରାପ୍ତି ହୁଏ । ଏହାହିଁ ତ ପ୍ରତ୍ୟେକ ବ୍ୟକ୍ତିର ଆନ୍ତରିକ ଇଚ୍ଛା । ଏଇଥିପାଇଁ କି ବିଧବା, କି ସଧବା ଅଥବା ପୁରୁଷ, ସମସ୍ତେ ଏ ବ୍ରତ ପାଳନ କରିଥାନ୍ତି । ଏହାଦ୍ୱାରା ବିଷ୍ଣୁଙ୍କ ସାନିଧ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
‘କାର୍ତ୍ତିକ’ ଧର୍ମମାସ ବୋଲି ଲୋକମୁଖରେ ସ୍ୱୀକୃତ । ଏହା ‘ଚାନ୍ଦ୍ରମାନ’ ମାସ ଅର୍ଥାତ ଚନ୍ଦ୍ରଙ୍କ ଗତି ଅନୁସାରେ ଗଣନା କରାଯାଉଥିବା ମାସ । ଏହି ମାସର ପୂର୍ଣ୍ଣମୀ ଦିନ ଚନ୍ଦ୍ର ‘କୃତ୍ତିକା’ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହାର ନାମ କାର୍ତ୍ତିକ ହୋଇଛି । ଏହାର ମାହାତ୍ମ୍ୟ ସମ୍ପର୍କରେ କୁହାଯାଇଛି- ‘ଗଙ୍ଗା’ ପରି ତୀର୍ଥ ନାହିଁ ସେପରି କାର୍ତ୍ତିକ ପରି ମାସ ନାହିଁ । ପୁରାଣମାନଙ୍କରେ କୁହାଯାଇଛି-ଏହି ମାସରେ ବିଷ୍ଣୁ ଜଳରେ ବାସ କରନ୍ତି । ତେଣୁ ଏହି ମାସରେ ପ୍ରାତଃସ୍ନାନରୁ ପୂଣ୍ୟ ମିଳେ । ପ୍ରୟାଗ, ବଦରିକା ଓ କାଶୀ – ଏହି ତିନି ତୀର୍ଥରେ ସ୍ନାନ ଓ ତୀର୍ଥ କ୍ଷେତ୍ରରେ ଅବସ୍ଥାନ ଫଳରେ ମଧ୍ୟ ପୂଣ୍ୟ ଅର୍ଜନ ହୁଏ । ଧର୍ମପ୍ରାଣ ହିନ୍ଦୁ, ବିଶେଷ କରି ବିଧବା ମାନେ ଏହି ମାସରେ ଧର୍ମୀୟ ନିୟମ ଅନୁସାରେ ‘କାର୍ତ୍ତିକ ବ୍ରତ’ କରିଥାଆନ୍ତି । କାର୍ତ୍ତିକ ମାସରେ ‘ଦାନ’କୁ ମଧ୍ୟ ବିଶେଷ ମହତ୍ୱ ଦିଆଯାଇଛି । ଏ ସମ୍ପର୍କରେ କୁହାଯାଇଛି କନ୍ୟାଦାନ ଏକ ମହତ ଦାନ । କିନ୍ତୁ ତା’ଠାରୁ ବିଦ୍ୟାଦାନ ଅଧିକ ମହତ । ବିଦ୍ୟାଦାନ ଠାରୁ ଗୋଦାନ ମହତ୍ତର ଏବଂ ଅନ୍ନଦାନ ସବୁଦାନ ମଧ୍ୟରେ ମହତ୍ତମ । କାରଣ ଅନ୍ନଯୋଗୁଁ ଏ ସଂସାର ତିଷ୍ଠି ରହିଛି । ‘କାର୍ତ୍ତିକ’ ମାହାତ୍ମ୍ୟରେ ବର୍ଣ୍ଣନା ରହିଛି । ନୈମିଷାରଣ୍ୟରେ ମୁନିଗଣ ସୁତମୁନିଙ୍କୁ କହିଛନ୍ତି ଆମେ ଆପଣଙ୍କଠାରୁ ଅନେକ ଧର୍ମକଥା ଏବଂ ହରିଙ୍କ ଚରିତ ଓ ଗୁଣଗାଥା ଶୁଣିଲୁ । ଏବେ ଜନହିତ ପାଇଁ ଆଉ ଗୋଟିଏ କଥା କୁହନ୍ତୁ । ଏ ସଂସାରରେ ଯଜ୍ଞ, ବ୍ରତ, ତପ, ଦାନ, ତୀର୍ଥ ସେବା ଆଦିରେ ଯେତେ ପୂଣ୍ୟ ମିଳେ ଯୋଗ, ସମାଧି, କ୍ରିୟା, କୀର୍ତ୍ତି, ଚତୁରାଶ୍ରମ ଆଦିରେ ଯେତେ ପୂଣ୍ୟ ଅର୍ଜନ ହୁଏ, ସେ ସବୁର ଉପରେ କିଏ ଶ୍ରେଷ୍ଠ? ଏପରି କିଛି ଧର୍ମ ଅଛି କି? ଏହାର ଉତ୍ତରରେ ଶୁକମୁନି କହିଛନ୍ତି-ଭଗବାନ ବିଷ୍ଣୁଙ୍କ ଶ୍ରୀମୁଖରୁ ମୁଁ ଯାହା ଶୁଣିଛି, ତାହା ଅନୁସାରେ ‘କାର୍ତ୍ତିକ ବ୍ରତ’ କରିବା ଫଳରେ ଏ ସବୁଠାରୁ ଅଧିକ ପୁଣ୍ୟ ମିଳେ । ଏଣୁ ଅନେକ ଏହି ମାସଟିକୁ ପୁଣ୍ୟ ମାସ ରୂପେ ପାଳନ କରିଥାଆନ୍ତି ।
ଏବ୍ରତ କାର୍ତ୍ତିକ ମାସର କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦ୍ଯାପିତ ହୁଏ । ବ୍ରତ ଆରମ୍ଭ ପୂର୍ବରୁ ତୁଳସୀ ଚଉରାମୂଳେ ବ୍ରାହ୍ମଣ ଡାକି ସଂକଳ୍ପ କରାଯାଏ । ସକଳ୍ପ ପାଇଁ ହରିଡ଼ା, ବାହାଡ଼ା, ଦୁବ, ଅଁଳା, ଗୁଆ, ଅରୁଆ ଚାଉଳ ଖସା ଓ ଗଙ୍ଗାଜଳ ଇତ୍ୟାଦି ଲୋଡାହୁଏ । ଏହି ସଂକଳ୍ପ ଆଶ୍ୱିନ ଶୁକ୍ଳ ଏକାଦଶୀ ଦିନ କଲେ ବହୁ ପୂଣ୍ୟ ଅର୍ଜନ ହୁଏ ।
କାର୍ତ୍ତକ ମାସରେ ହବିଷ୍ୟାଳୀ ବା ହବିଷକାରୀ ମାନେ ଏକ ନୈମିତ୍ତିକ ନିୟମ ପ୍ରତିିଦିନ ପାଳନ କରନ୍ତି । ପ୍ରାତଃ ସ୍ନାନସାରି ସୂର୍ଯ୍ୟଙ୍କୁ ନମସ୍କାର କରନ୍ତି ଏବଂ ଜଳ ଆଞ୍ଜୁଳି ଦାନ କରନ୍ତି । ଏହାପରେ ଦେବାଦେବୀ ଦର୍ଶନ ପୂର୍ବକ ବର, ଓସ୍ତ, ମାଳତୀ, ଅଁଳା ଇତ୍ୟାଦି ବୃକ୍ଷଙ୍କୁ ପୂଜା ଓ ଜଳଲାଗି କରନ୍ତି । ଏସବୁ ଗୁଡ଼ିକ ପୂଜା କରିବାର ଧାର୍ମିକ କାରଣ ଅଛି । ବର ଏବଂ ଓସ୍ତ ଯଥାକ୍ରମେ ବିଷ୍ଣୁ ଓ ଶିବଙ୍କର ସ୍ଥାବର ରୂପ; ମାଳତୀ, ଅଁଳା ଓ ତୁଳସୀ ବୃନ୍ଦାବତୀଙ୍କର ଧାତ୍ରୀ ରୂପ । ଏଥୁ ଅନ୍ତେ ତୁଳସୀ ଚଉରା ମୂଳକୁ ଗୋବରରେ ଲେପନ କରି, ପଞ୍ଚବର୍ଣ୍ଣ ମୁରୁଜରେ ବିଭିନ୍ନ ଦେବ ଦେବୀଙ୍କ ଚିତ୍ର କରନ୍ତି । ଏହାପରେ ଚଉରା ପୂଜା କରିଥାନ୍ତି। ଏହାପରେ କାର୍ତ୍ତିକ ମହାତ୍ମ୍ୟ, ରାଧାମାଧବ ଅଷ୍ଟକ, ବିଷ୍ଣୁ ସହସ୍ରନାମ ଇତ୍ୟାଦି ଧର୍ମପୁରାଣ ପଠନ ବା ଶ୍ରବଣ କରନ୍ତି । ଏକବାର ହାବିଷାନ୍ନ ଭକ୍ଷଣ କରି ସଂଧ୍ୟାରେ ଆକାଶ ଦୀପ ଦାନ କରିଥାନ୍ତି।
ସେହିପରି ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ସଜ୍ଜନବୃନ୍ଦ ନିୟମ ସେବା ଭାବରେ ପ୍ରାତଃ ସ୍ନାନସାରି ଭଗବାନଙ୍କ ବିଶେଷ ମଙ୍ଗଳ ଆଳତି କରିଥାନ୍ତି। ନିତ୍ୟ ସଦଗ୍ରନ୍ଥ ପାଠ ସହିତ ଶ୍ରୀମଦ ଭାଗବତ ଓ ରାମଚରିତ ମାନସ ପରାୟଣ କରିଥାନ୍ତି। କେହି କେହି ଏକମାସ ମୌନବ୍ରତ କରି ଏକବାର ସ୍ୱପାକ ପ୍ରସାଦ ଗ୍ରହଣ କରିଥାନ୍ତି। ଏହି ସମୟରେ କ୍ଷେତ୍ର ବାସ ସହ ପ୍ରତିନିତ୍ୟ କ୍ଷେତ୍ର ପରିକ୍ରମା କରିଥାନ୍ତି। ସମ୍ପୂର୍ଣ୍ଣ ମାସଟି ଭଗବତ ଚିନ୍ତନରେ ବ୍ୟୟିତ କରି ଅନ୍ତ କାଳରେ ବିଷ୍ଣୁଲୋକ ଗମନ କରିବାର ଆଶା ପୋଷଣ କାରିଥାନ୍ତି। ଶ୍ରୀଧାମ ବୃନ୍ଦାବନ ଓ ଅଯୋଧ୍ୟାରେ ଭଗବାନଙ୍କ ରସୋତ୍ସଵ ଲୀଳା ଅୟୋଜିତ ହୋଇଥାଏ। ଯାହା ଭକ୍ତଙ୍କ ମନରେ ଭଗବାନଙ୍କ ଦିବ୍ୟଳିଲାର ସ୍ମରଣ ଆସିଥାଏ। ବାସ୍ତବରେ କହିବାକୁ ଗଲେ ଶରତଋତୁର ଏହି ସମୟ ସ୍ୱତଃ ସମସ୍ତଙ୍କ ମନରେ ଏକ ଆଧ୍ୟାତ୍ମିକ ସ୍ଫୁରଣ ସୃଷ୍ଟି କରିଥାଏ