ଦର ବୃଦ୍ଧି ପ୍ରତିବାଦରେ ସାରା ପଶ୍ଚିମ ଓଡିଶାରେ ଗର୍ଜିଲା ବିଜେଡି | News Room Odisha

ଦର ବୃଦ୍ଧି ପ୍ରତିବାଦରେ ସାରା ପଶ୍ଚିମ ଓଡିଶାରେ ଗର୍ଜିଲା ବିଜେଡି

‘ ଗରିବଙ୍କ ପେଟରେ ଲାତ ବରଦାସ୍ତ କରାଯିବନି ’

ସମ୍ବଲପୁର : ଖାଇବା ତେଲରୁ ଡିଜେଲ ପେଟ୍ରୋଲ ଯାଏ , ରୋଷେଇ ଗ୍ୟାସ୍‌ରୁ ପିଆଜ ଯାଏ ସବୁ କିଛି ଦର ଗରିବର ହାତପାଆନ୍ତାରୁ ଦୂରକୁ ଗଲାଣି । ଅଚ୍ଛେ ଦିନର ସପ୍ନ ଦେଖାଇ କୋଟି କୋଟି ଗରିବଙ୍କ ପେଟରେ ଲାତ ମାରୁଥିବା ବିଜେପିର ଏହି ହୀନ ଚାଲକୁ ଆଦୌ ବରଦାସ୍ତ କରାଯିବନି । ଏହି ଦରଦାମ ବୃଦ୍ଧି ତୁରନ୍ତ ନିୟନ୍ତ୍ରଣକୁ ନ ଆସିଲେ ପରିଣାମ ଭୟାବହ ହେବ ବୋଲି ଆଜି ଶାସକ ବିଜେଡି ସାରା ପଶ୍ଚିମ ଓଡିଶାରେ ଗର୍ଜିଛି । ବିଶେଷ କରି ରୋଷେଇ ଘରେ ମହଙ୍ଗା ମାଡ ଲୋକଙ୍କ ଜୀବନକୁ ଦୁର୍ବିସହ କରୁଥିବାରୁ ବିଜେଡି ମହିଳା ଶାଖା ପକ୍ଷରୁ ସବୁ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀସ୍ତରରେ ଧାରଣା ଓ ବିକ୍ଷୋଭ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ଆଜି ଦଳ ଏହି ଆନ୍ଦୋଳନକୁ ଓହ୍ଲାଇ ଜନସାଧାରଣଙ୍କ ବିପୁଳ ସମର୍ଥନ ଗୋଟାଇବାରେ ସଫଳ ହୋଇଛି ।

ଆଜି ପୂର୍ବାହ୍ନରେ ସମ୍ବଲପୁରରେ ମହିଳା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା । ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପଣିଗ୍ରାହୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଧାରଣାରେ ଶତାଧିକ ସଂଖ୍ୟାରେ ମହିଳା ତଥା ସାଧାରଣ ଜନତା ସାମିଲ ହୋଇ କେନ୍ଦ୍ରର ଗରିବ ମାରଣନୀତିର ତୀବ୍ର ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ବିଭିନ୍ନ ଟିକସ ଆଳରେ ରାଜ୍ୟ ସରକାରଙ୍କୁ ତାଙ୍କ ରୟାଲଟିର ଭାଗ ଦେବାକୁ କୁଣ୍ଠାବୋଧ କରୁଥିବା ବେଳେ ଏପଟେ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କରି ଗରିବଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କୁ ଦହଗଞ୍ଜ କରୁଛନ୍ତି ବୋଲି ନେତ୍ରୀମାନେ ଅଭିଯୋଗ କରିଥିଲେ । ଆଗାମୀ ଦିନରେ ସାରା ରାଜ୍ୟରେ ଏହାକୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ନେତ୍ରୀମାନେ ଚେତାବନୀ ଦେଇଛନ୍ତି । ସେହିପରି ବରଗଡ , ଝାରସୁଗୁଡା , ଦେବଗଡ , ବୌଦ୍ଧ , ସୁନ୍ଦରଗଡ , ବଲାଙ୍ଗୀର , ସୋନପୁର , ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅନୁରୂପ ଭାବେ ଆଜି ଦଳ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନେକ ଜିଲ୍ଲାରେ ମହିଳାମାନେ ମୁଣ୍ଡରେ ସିଲିଣ୍ଡର ଗ୍ୟାସ୍ ଧରି ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଛି । ମହିଳା ବିଜେଡି ସଭାନେତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନର ଦରଦାମ ଗରିବଙ୍କ ଠାରୁ ଆରମ୍ଭ କରି ଉଚ୍ଚ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ବାଧୁଥିବା ବେଳେ ଆଜିର ଆନ୍ଦୋଳନକୁ ସତଃସ୍ଫୁର୍ତ୍ତ ଭାବେ ଲୋକଙ୍କ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା ।

Biju Mahila Janata DalBJD