ଯୁଗେ ଯୁଗେ ଦେବତାମାନେ ଭୋଗଭୂମି ସ୍ୱର୍ଗଲୋକ ତ୍ୟାଗ କରି କର୍ମଭୂମି ମର୍ତ୍ୟଲୋକକୁ ଆସିଥାଆନ୍ତି । କର୍ମଭୂମିହିଁ ସାଧନାର ପ୍ରକୃଷ୍ଟ କ୍ଷେତ୍ର ଏବଂ ଦୁଲ୍ଲଭ ମାନବ ଶରୀର ହିଁ ସିଦ୍ଧିଲାଭର ମୁଖ୍ୟଦ୍ୱାର ଅଟେ । ଯେହେତୁ ପୂଣ୍ୟଭୂମି ଭାରତବର୍ଷ ଚତୁର୍ଧାମ ପରିବେଷ୍ଟିତ ଦେବଭୂମିର ମାନ୍ୟତା ଲାଭ କରିଅଛି ।
ସତ୍ୟ ଯୁଗରେ ଶ୍ରୀହରି, ତ୍ରେତୟାରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଓ ଦ୍ୱାପରରେ ଲୀଳା ପୁରୁଷୋତମ ଶ୍ରୀକୃଷ୍ଣଚନ୍ଦ୍ର ପ୍ରେମମୟ ଅବିନାଶୀ ଥିଲେ । ଐକାନ୍ତିକ ପ୍ରେମହିଁ ଭକ୍ତିର ସ୍ୱରୂପ ଅଟେ।ପ୍ରତି ଯୁଗରେ ଜୀବର ନିସ୍ତାର ଲାଗି ଯୁଗୋଚିତ ସାଧନା ରହିଛି। ସେହିପରି କଳିଯୁଗର ବତ୍ରିଶା- କ୍ଷର “ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେ ହରେ,ହରେରାମ ହରେରାମ ରାମରାମ ହରେହରେ” ମହାମନ୍ତ୍ର ସାଧନା ରହିଛି।
ସତ୍ୟ ଯୁଗରେ ତପସ୍ୟା, ତ୍ରେତୟାରେ ଯାଗଯଜ୍ଞ ଓ ଦ୍ୱାପରରେ ପରିଚର୍ଯ୍ୟା ଦ୍ୱାରା ଭଗବତ୍ ପ୍ରାପ୍ତି ସମ୍ଭବ ହୋଇପାରୁଥିଲା । କିନ୍ତୁ ଏହି କଳିଯୁଗରେ ଆତ୍ମୋଦ୍ଧାର ସକାଶେ ଜ୍ଞାନ, ଯଜ୍ଞ, ତପ, ଧ୍ୟାନାଦିର ସାଧନା ଓ ସିଦ୍ଧିଲାଭ ବହୁତ କଠିନ । କେବଳ ମାତ୍ର ହରିନାମ ସଂକୀର୍ତନ ଦ୍ୱାରା ଭଗବତ୍ ସାନ୍ନିଧ୍ୟ ସହଜ ଲଭ୍ୟ ଅଟେ ।ଏଣୁ ଯଥାର୍ଥରେ କୁହାଯାଇଛି “ ତପଃପରଂ କୃତଯୁଗେ, ତ୍ରେତାୟାଂ ଯଯତୋ – ମଖୈଃ, ଦ୍ୱାପରେ ପରିଚର୍ଯ୍ୟାୟାଂ କଳୋ ତତ୍ ହରି କୀର୍ତନାତ୍” । କିନ୍ତୁ ହରି ସମାନ ଭାବରେ ସର୍ବତ୍ର ପରିବ୍ୟାପ୍ତ ଅଟନ୍ତି । ପ୍ରେମର ସହ ତାହାଙ୍କୁ ସ୍ମରଣ କଲେ ସେ ପ୍ରକଟିତ ହୋଇଥାନ୍ତି ।
ବାସ୍ତବରେ ଅନେକଙ୍କ ମତରେ ଗୋଟିଏ ପ୍ରଶ୍ନ ଉଠିଥାଏ କି ଏହି ମହାମନ୍ତ୍ର ଉଚ୍ଚାରଣରେ ପ୍ରଥମେ ହରେରାମ ନା ପ୍ରଥମେ ହରେକୃଷ୍ଣ ଉଚାରିତ ହେବା ଉଚିତ। ବାସ୍ତବରେ ଶାସ୍ତ୍ର କଣ କହିଛନ୍ତି। ଦେଖାଯାଏ ପ୍ରାୟତଃ ରାମାନନ୍ଦୀ ତଥା ସନ୍ୟାସ ସମ୍ପ୍ରଦାୟରେ ହରେରାମରୁ ପ୍ରଥମେ ମହାମନ୍ତ୍ର ଆରମ୍ଭ ହୋଇଥାଏ। କିନ୍ତୁ ଗୌଡିୟ ବୈଷ୍ଣବ କୁହଁନ୍ତୁ ବା ଅନ୍ୟ କେତେକ ସମ୍ପ୍ରଦାୟର ପ୍ରାଚୀନ୍ନସନ୍ଥ ହରେକୃଷ୍ଣରୁ ମହାମନ୍ତ୍ର ଆରମ୍ଭ କରିଥାନ୍ତି। ଶାସ୍ତ୍ର ସମ୍ମତ କେଉଁଟି? କାରଣ ଉର୍ଦ୍ଧ- ତ୍ତର ଚେତନାରେ ଦେଖିଲେ ନାମରେ ପ୍ରଭେଦ କିଛି ନାହିଁ। ଯେହେତୁ ଏହି ମହାମନ୍ତ୍ରର ପୂର୍ବ ଏବଂ ପରରେ ନମଃ, ସ୍ୱହା, ଓଁ, କ୍ଲିମ କିଛି ବିଜମନ୍ତ୍ର ଯୁକ୍ତ ହେଉ ନଥିବାରୁ ଏହା ମହାମନ୍ତ୍ର ପଦବାଚ୍ୟ ହୋଇଛି। ଏବଂ ଗୁରୁ ପରମ୍ପରାରେ ଏହାକୁ ଗ୍ରହଣ କରାଯାଉ ଥିବାରୁ ଏହାର ଶାସ୍ତ୍ର ସମ୍ମତ ଦିଗଟି ଜାଣିବା ନିହାତି ପ୍ରୟୋଜନ ରହିଛି।
ଯେଉଁମାନେ ମହାମନ୍ତ୍ର ‘ହରେରାମ’ ରୁ ଆରମ୍ଭ କରିଥାନ୍ତି ସେମାନଙ୍କ ଯୁକ୍ତି ହେଉଛି:- (୧) ଭେଙ୍କଟେଶ ପ୍ରେସ ମୁମ୍ବାଇରୁ ମୁଦ୍ରିତ କଳିସନ୍ତରଣୋପନିଷଦରେ ମହାମନ୍ତ୍ର ‘ହରେରାମ’ କ୍ରମରେ ମୁଦ୍ରିତ ହୋଇଛି।(୨) ଗୀତାପ୍ରେସ ପ୍ରକାଶନ ‘କଲ୍ୟାଣ’ ରେ ମଧ୍ୟ ଏହି କ୍ରମରେ ମହାମନ୍ତ୍ର ଉଲ୍ଲେଖ ରହିଛି। ଉପରୋକ୍ତ ଏହି ଦୁଇଟି ଯୁକ୍ତିକୁ ଦେଖିଲେ ଭେଙ୍କଟେଶ ପ୍ରେସ ମୁମ୍ବାଇରୁ ମୁଦ୍ରିତ କଳିସନ୍ତରଣୋପନିଷଦର ପୂର୍ବ ସଂସ୍କରଣରେ ମହାମନ୍ତ୍ର ‘ହରେକୃଷ୍ଣ’ରୁ ଆରମ୍ଭ ହୋଇଛି। ଯାହା ଅଦ୍ୟାବଧି କୋଲକାତା ଓ ଜୟପୁରର ପ୍ରାଚୀନ୍ନ ଲାଇବ୍ରେରୀରେ ଏହିଗ୍ରନ୍ଥ ସରଂକ୍ଷିତ ରହିଛି। ସେହିପରି ଗୀତାପ୍ରେସ ପ୍ରକାଶନ ‘କଲ୍ୟାଣ’ରେ କୌଣସି ପ୍ରାମାଣିକ ଯୁକ୍ତି ଦର୍ଶାଯାଇନାହିଁ।ପରନ୍ତୁ ଉଭୟକୁ ଠିକ ବୋଲି ଦର୍ଶା ଯାଇଛି। ଗୀତାପ୍ରେସ ସାରା ବିଶ୍ୱରେ ହିନ୍ଦୁଧର୍ମର ରକ୍ଷକ ହିସାବରେ ପରିଗଣିତ।ଗୀତାପ୍ରେସ ନଥିଲେ ଆମ ପ୍ରାଚୀନ୍ନ ଧର୍ମଗ୍ରନ୍ଥ ଆଜି ଅବଲୁପ୍ତ ହୋଇଥାନ୍ତା। ଶ୍ରୀମଦ ଭାଗବତ ପରି ଅମୂଲ୍ୟ ଗ୍ରନ୍ଥ ଏତେ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରି ନଥାନ୍ତା। ତେବେ ଅନେକଙ୍କ ମତ ଶ୍ରୀ ରାମଚନ୍ଦ୍ରଙ୍କ ଆବିର୍ଭାବର ବହୁପରେ ଶ୍ରୀକୃଷ୍ଣଙ୍କ ଅଵତରଣ। ତେଣୁ ହରେରାମ ଆଗ।ଶ୍ରୀରାମଚନ୍ଦ୍ରଙ୍କ ଆବିର୍ଭାବ ଆଗେ ଏବଂ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ବହୁପରେ ଏହି କ୍ରମର ପ୍ରଭାବ ନିତ୍ୟ ମହାମନ୍ତ୍ର ଉପରେ କାର୍ଯ୍ୟକାରୀ ହୁଏନାହିଁ। ଏହା ଯୁଗ ବା ସମୟର ଅତୀତ। କାରଣ ପ୍ରତ୍ୟେକ ଯୁଗର ତାରକବ୍ରହ୍ମ ମହାମନ୍ତ୍ର ରହିଛି। ଯେପରି ତ୍ରେତୟା ଯୁଗରେ ତାରକବ୍ରହ୍ମ ମହାମନ୍ତ୍ର ଥିଲେ:-
‘ରାମ ନାରାୟଣାନନ୍ତ ମୁକୁନ୍ଦ ମଧୁସୂଦନ।
କୃଷ୍ଣ କେଶବ କଂସାରେ ହରେ ବୈକୁଣ୍ଠ ବାମନ।।’
ଅର୍ଥାତ ତ୍ରେତୟା ଯୁଗର ତାରକବ୍ରହ୍ମ ମହାମନ୍ତ୍ରରେ ମଧ୍ୟ ମୁକୁନ୍ଦ, ମଧୁସୂଦନ, କୃଷ୍ଣ, କେଶବ କଂସାରେ ଆଦି କୃଷ୍ଣଙ୍କ ନାମ ଉଲ୍ଲେଖ ରହିଛି।ତେଣୁ ମହାମନ୍ତ୍ର କ୍ରମ ପରିବର୍ତ୍ତନ କରିବାରେ କୌଣସି ଯୁକ୍ତି ପ୍ରଯୁଜ୍ୟ ନୁହେଁ।
ମହାମନ୍ତ୍ର ସମ୍ବନ୍ଧରେ ଅନନ୍ତ ସଂହିତା, ଜ୍ଞାନମୃତ ସାର, ବ୍ରହ୍ମଯମଲ, ରାଧାତନ୍ତ୍ର, ପଦ୍ମପୁରାଣ, ବ୍ରହ୍ମାଣ୍ଡପୁରାଣ, ସନତ କୁମାର ସଂହିତା ଓ ଯଜୁର୍ବେଦୀୟ- କଳିସନ୍ତରଣୋପନିଷଦ”ରେ ମହାମନ୍ତ୍ର ମହିମା ବର୍ଣ୍ଣିତ। ଯଜୁର୍ବେଦ – କଳିସନ୍ତରଣୋପନିଷଦ”ରେ ସ୍ପଷ୍ଟ ଉଲ୍ଲେଖ ରହିଛି:- ‘ସ ହୋଵାଚ ହିରଣ୍ୟଗର୍ଭଃ- “ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ, ହରେରାମ ହରେରାମ ରାମରାମ ହରେହରେ।” ଇତି ଷୋଡ଼ଶକଂ ନାମ୍ନୀ କଳି କଲ୍ମମଷନାଶନମ। ପିତାମହଃ ବ୍ରହ୍ମା କଳି ଯୁଗର ନିସ୍ତାର ପାଇଁ ନାରଦଙ୍କୁ ଏହି ଷୋଳନାମ ବତ୍ରୀଶ ଅକ୍ଷର ବିଶିଷ୍ଟ ମହାମନ୍ତ୍ର ଜପ କରିବାକୁ ନିର୍ଦେଶ କରିଛନ୍ତି। କାରଣ ଏହି ମହାମନ୍ତ୍ର ଷୋଳକଳା ଦ୍ୱାରା ଆବୃତ ଅର୍ଥାତ ପଞ୍ଚଭୂତ ଓ ଏକାଦଶ ଇନ୍ଦ୍ରିୟ ସମନ୍ବିତ ଜୀବର ଆବରଣ ବିନାଶକାରୀ । ତେଣୁ ସ୍ଥାନ, କାଳ, ପାତ୍ରର ଉର୍ଦ୍ଧ୍ବରେ ଏହା ସର୍ବଦା ଭଜନୀୟ ଓ ଜାପ୍ୟ।
ପରବର୍ତ୍ତୀ ସମୟରେ ଏହି ମହାମନ୍ତ୍ର:-
“ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ, ହରେରାମ ହରେରାମ ରାମରାମ ହରେହରେ। ” ର ଅର୍ଥ ବ୍ୟାଖ୍ୟା କରିବାକୁ ପ୍ରଯତ୍ନ କରିବୁ।
( ସଂଗୃହିତ)