ଗିରିରାଜ ଗୋବର୍ଦ୍ଧନ । ଯାହାଙ୍କୁ ବୈଷ୍ଣବଗଣ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣ ରୂପରେ ଆରାଧନା କରିଥାନ୍ତି। ଆଜିର ଦିବସ ହେଉଛି ସେଇ ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା । ଅନ୍ୟ ଅର୍ଥରେ ଏହାକୁ ଅନ୍ନକୋଟ ପୂଜା ମଧ୍ୟ କୁହାଯାଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଲପକ୍ଷ ପ୍ରତିପଦା ଦିନ ସମଗ୍ର ଭାରତରେ ଗୋବର୍ଦ୍ଧନପୂଜା ବା ଅନ୍ନକୋଟ ପର୍ବ ପାଳନ କରାଯାଏ। ଏହା ବୈଷ୍ଣବଙ୍କର ଏକ ପ୍ରମୂଖ ପର୍ବ।
ଶ୍ରୀମଦଭାଗବତ ଶାସ୍ତ୍ର ଆଧାରରେ ଦ୍ଵାପର ଯୁଗରେ କାର୍ତ୍ତିକ ମାସର ଶୁକ୍ଲପକ୍ଷ ପ୍ରତିପଦା ତିଥିରେ ଅର୍ଥାତ ଆଜିର ଦିନରେ ଶ୍ରୀଧାମ ବୃନ୍ଦାବନରେ ସମ୍ମିଳିତ ଗୋବର୍ଦ୍ଧନ ପୂଜା କରାଯାଇଥିଲା। କଥାବସ୍ତୁ ଆଧାରରେ ଶ୍ରୀଧାମ ବୃନ୍ଦାବନରେ ପ୍ରତିନିତ୍ୟ ଇନ୍ଦ୍ରପୁଜା କରାଯାଉ- ଥିଲା। ଏହା ସକାମଯୁକ୍ତ ପୂଜା ହେଉଥିଲା। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ପରେ ଏହାର ପ୍ରକୃତ ସଂଜ୍ଞା ଦେବାକୁ ଯାଇ ଶ୍ରୀକୃଷ୍ଣଚନ୍ଦ୍ର ଗୋ-ଚାରଣରେ ତଥା ଜଳ, ପବନ,ବୃକ୍ଷର ଛାୟା ପ୍ରଦାନ କରୁଥିବା ଗୋବର୍ଦ୍ଧନ ପର୍ବତ ପୂଜା କରିବାକୁ ନିର୍ଦେଶ ଦେଇଥିଲେ। ଏହି ଘଟଣାରେ ଦେବରାଜ ଇନ୍ଦ୍ର ଗର୍ବରେ ସାତ ଦିନ ପର୍ଯ୍ୟନ୍ତ ଲଗାତାର ବ୍ରଜମଣ୍ଡଳରେ ଲଗାତର ବୃଷ୍ଟିପାତ କରିଥିଲେ। ଫଳରେ ଗୋକୁଲବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଭଗବାନ କୃଷ୍ଣ ବ୍ରଜବାସୀଙ୍କୁ ସୁରକ୍ଷା ଦେବାକୁ ଏବଂ ଇନ୍ଦ୍ରଙ୍କ ଗର୍ବ ଭାଙ୍ଗିବା ପାଇଁ ଗୋବର୍ଦ୍ଧନ ପର୍ବତକୁ ନିଜ କାଣି ଆଙ୍ଗୁଳିରେ ଉଠାଇଲେ।
ବ୍ରଜମଣ୍ଡଳର ସମସ୍ତ ବ୍ରଜବାସୀ, ସଖା, ପଶୁ ଓ ପକ୍ଷୀ ସେହି ପର୍ବତ ତଳେ ଆଶ୍ରା ନେଇଥିଲେ। ଏହାଦ୍ୱାରା ସେମାନଙ୍କ କିଛି କ୍ଷତି ହେଲାନାହିଁ। ପରେ ଭଗବାନଙ୍କ ଲିଳା ଜାଣି ଇନ୍ଦ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗିଥିଲେ। ଏହାପରେ ବ୍ରଜବାସୀଙ୍କୁ ଗୋବର୍ଦ୍ଧନ ପୂଜା କରିବାକୁ ଶ୍ରୀକୃଷ୍ଣ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ଗୋବର୍ଦ୍ଧନ ପୂଜା ହୋଇ ଆସୁଅଛନ୍ତି। ଗୋବର୍ଦ୍ଧନ ପୂଜାର ଅୟମାରମ୍ଭ ଦିନଟି ଥିଲା କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦ ତିଥି ଅର୍ଥାତ ଦୀପାବଳୀ ପରଦିନ। ସେହିଦିନ ବ୍ରଜବାସୀଗଣ ସମସ୍ତ ଭୋଗ ବସ୍ତୁକୁ ଏକତ୍ରିତ କରି ଗିରିରାଜଙ୍କୁ ନିବେଦନ କରିଥିଲେ। ଏବଂ ଗିରିରାଜ ମହାରାଜ ଦୁଇ ହସ୍ତରେ ଅତି ଆନନ୍ଦରେ ତାହାକୁ ଗ୍ରହଣ କରିଥିଲେ। ଏହି କାରଣରୁ ଏହାକୁ ମଧ୍ୟ ଅନ୍ନକୂଟ ମହୋତ୍ସବ କୁହାଯାଇ ଥାଏ।
ଅନ୍ନକୂଟ ମହୋତ୍ସବ ଦିନ ସମସ୍ତ ଶ୍ରୀକୃଷ୍ଣ ପ୍ରେମୀ ତଥା ବୈଷ୍ଣବବୃନ୍ଦ ଅତି ନିଷ୍ଠାର ସହିତ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି କୂଟ ଅର୍ଥାତ ପର୍ବତ ଆକାରରେ ଅନ୍ନକୁ ସଜାଇ ତା ଉପରେ ଗିରିଧାରୀଙ୍କୁ ବିରାଜମାନ କରାଇ ଭୋଗ ନିବେଦନ କରିଥାନ୍ତି। ସେମାନଙ୍କ ଭାବ ହେଉଛି ଆଜି ଦିନରେ ଗିରିଧାରୀ ସ୍ୱୟଂ ସ୍ଵ ହସ୍ତରେ ପ୍ରସାଦ ଗ୍ରହଣ କରିଥାନ୍ତି। ସେଥିପାଇଁ ଏହି ଉତ୍ସବକୁ ଅନ୍ନକୂଟ ମହୋତ୍ସବ କୁହାଯାଏ।
ସାଧାରଣ ଭାବରେ ପ୍ରତି ଗ୍ରାମରେ ଏହି ଉତ୍ସବ ଆଡମ୍ବର ସହକାରେ ପାଳନ କରାଯାଏ। ଏହି ଦିନ ମହିଳାମାନେ ଗୋବରରେ ଗିରିରାଜ ଗୋବର୍ଦ୍ଧନଙ୍କ ପ୍ରତିମୁର୍ତ୍ତି ତିଆରି କରନ୍ତି ଏବଂ ତାହାକୁ ପୂଜା କରିଥାନ୍ତି। ଏହାସହ ଗୋମାତା ଗାଈଙ୍କୁ ବି ପୂଜା କରାଯାଏ। ବିଭିନ୍ନ ପିଠାପଣା ସହିତ ବ୍ୟଞ୍ଜନ ପ୍ରସ୍ତୁତ କରି ଗୋମାତା ଓ ଗୋବର୍ଦ୍ଧନଙ୍କୁ ଭୋଗ କରିଥାନ୍ତି। ପରଦିନ ସେଇ ଗୋବରରେ ଘର ଲିପାପୋଛା କରିବାର ପରମ୍ପରା ରହିଛି।
ଶ୍ରୀଗୋବର୍ଦ୍ଧନ ପୂଜା ଆମ ଧାର୍ମିକ ଚେତନାର ଏକ ଅଙ୍ଗ। ଯାହା ସ୍ଥାବର, ଜଙ୍ଗମ, ପଶୁପକ୍ଷୀ ଓ ମନୁଷ୍ୟ ସମସ୍ତଙ୍କ ଠାରେ ସେଇ ଦିବ୍ୟ ଚେତନାକୁ ଅନୁଭବ କରାଇଥାଏ।