ବେଆଇନ ମାଛ ଧରା ବେଳେ ଆନ୍ଧ୍ର ଟ୍ରଲର୍ ଜବତ, ୮ ଧରାହେଲେ | News Room Odisha

ବେଆଇନ ମାଛ ଧରା ବେଳେ ଆନ୍ଧ୍ର ଟ୍ରଲର୍ ଜବତ, ୮ ଧରାହେଲେ

ଛତ୍ରପୁର: ଓଡ଼ିଶା ସାମୁଦ୍ରିକ ସୀମାରେ ନୋ ଫିସିଙ୍ଗ୍ କଟକଣା ଅମାନ୍ୟ କରି ମାଛ ଧରୁଥିବା ବେଳେ ଏକ ଆନ୍ଧ୍ର ଟ୍ରଲର୍‌କୁ ବ୍ରହ୍ମପୁର ବନ ବିଭାଗ ଜବତ କରିଛି। ସେଥିରେ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଅଟକ ରଖି ବନ ବିଭାଗ ପରେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି। ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ଯେ ଅଲିଭ୍ ରିଡ୍‌ଲେ କଇଁଛଙ୍କ ଆଗମନ ଓ ଗଭୀର ସମୁଦ୍ର ଜଳରେ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ମାସ ପହିଲାରୁ ମତ୍ସ୍ୟ ବିଭାଗ ନୋ ଫିସିଙ୍ଗ୍ ଜୋନ୍ କଟକଣା ଲାଗୁ କରିଛି। ସମୁଦ୍ର ମଧ୍ୟରେ ବନ ବିଭାଗ କର୍ମଚାରୀ ବୋଟ୍‌ରେ ପାଟ୍ରୋଲିଂ କରି ବେଆଇନ ଭାବେ ମାଛ ଧରୁଥିବା ଟ୍ରଲର୍‌, ଡଙ୍ଗା ଉପରେ ନଜର ରଖୁଛନ୍ତି।

ତେବେ ଏକ ଆନ୍ଧ୍ର ଟ୍ରଲର୍ ନିୟମ ଉଲ୍ଲଂଘନ କରି ଋଷିକୁଲ୍ୟା ମୁହାଣ ନିକଟ ସମୁଦ୍ରକୂଳରୁ ୨୦ କିମି ଦୂରତା ମଧ୍ୟରେ ମାଛ ଧରୁଥିବା ବେଳେ ବ୍ରହ୍ମପୁର ବନ ବିଭାଗ ପାଟ୍ରୋଲିଂ ଷ୍ଟାଫ୍ ତାହାକୁ ଜବତ କରିଥିଲେ। ସେଥିରେ ଆନ୍ଧ୍ରର ୮ ଜଣ ମତ୍ସ୍ୟଜୀବୀ ଥିଲେ। ସେମାନଙ୍କୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି।

ଗତବର୍ଷ ଅଲିଭ୍ ରିଡ୍‌ଲେ କଇଁଛ ସିଜନ୍‌ରେ ଏକାଧିକ ଆନ୍ଧ୍ର ଟ୍ରଲର୍, ବୋଟ୍ ଜବତ ହୋଇଥିବା ବେଳେ ଏଥର କଟକଣା ଲାଗୁ ହେବା ପରେ ଏହା ପ୍ରଥମ ଟ୍ରଲର୍ ଜବତ ଘଟଣା। ବନ ବିଭାଗ ଏ କ୍ଷେତ୍ରରେ ଅଧିକ ସଜାଗ ରହି ଉଭୟ ସମୁଦ୍ର ଜଳ ଓ ତଟରେ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ତତ୍ପର ଥିବା ଡିଏଫଓ କହିଛନ୍ତି।