ଶେଷରେ ଗିରଫ ହେଲେ କଳାଧନ କୁବେର ପ୍ରତାପ ସାମଲ | News Room Odisha

ଶେଷରେ ଗିରଫ ହେଲେ କଳାଧନ କୁବେର ପ୍ରତାପ ସାମଲ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଶେଷରେ ଗିରଫ ହୋଇଛନ୍ତି ଓଡିଶା ପୋଲିସ ହାଉସିଂ ଆଣ୍ଡ୍ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଭିଜିଲାନ୍ସ ରେଡ୍ ପରେ ପ୍ରତାପଙ୍କ ୧୪ କୋଟି ୮୭ ଲକ୍ଷ ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ଆୟଠାରୁ ୧୦୮୭ ଗୁଣ ଅଧିକ ସଂପତ୍ତି ଠାବ ହୋଇଥିବା କହିଛି ଭିଜିଲାନ୍ସ । ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟଫ୍ରିଜ କରିଦେଇଛି ଭିଜିଲାନ୍ସ । ତାଙ୍କର ୨୫ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଯାହାର ମୂଲ୍ୟ ପଂଜିକରଣ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା ହେବ । ଗୋଠପାଟଣାରେ ଥିବା ୫ ମହଲା କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ହେବ ବୋଲି ଆକଳନ କରାଯାଇଛି । ପ୍ରତାପଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ରହିଛି । କେବଳ ଏତିକି ନୁହେଁ,ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ବୀମା ରାଶି ରହିଛି ।