ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଦିନ ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ପାଳିତ ହୋଇଥାଏ । ଦୀର୍ଘ ଚାରି ମାସ ପରେ ଆଜିଠାରୁ ଶୁଭ ସମୟ ଆରମ୍ଭ ହୋଇଥାଏ । ଆଷାଢ ଶୁକ୍ଳପକ୍ଷ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ଶୟନରତ ଥିଲେ । ତେଣୁ, ଏହି ସମୟରେ ବିବାହ, ବ୍ରତ ଆଦି ଶୁଭ କାର୍ଯ୍ୟମାନ ବର୍ଜିତ ହୋଇଥିଲା ।
ସମସ୍ତ ମାସ ମଧ୍ୟରେ ପବିତ୍ରତମ ମାସ ହେଉଛି କାର୍ତ୍ତିକ। ଏହି ମାସରେ ବ୍ରତ ଆଚରଣ କରି ବର୍ଷକ ଯାକ ପାପରୁ ଵ୍ରତଚାରୀ ମାନେ ପବିତ୍ର ହୁଅନ୍ତି । ଏହି ମାସ ମଧ୍ୟେ ଶ୍ରେଷ୍ଠ ହେଉଛି ଶେଷ ପାଞ୍ଚଦିନ । ଯାହା ପଞ୍ଚୁକ ନାମରେ ପରିଚିତ। ଏହା ହରି ଉତ୍ଥାପନ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ ।
ହରି ଉତ୍ଥାପନ ଏକାଦଶୀ ଦିନ ଅବକାଶ ପରେ ମହାପ୍ରଭୁଙ୍କ ଠିଆକିଆ ବେଶ ବା (ଲକ୍ଷ୍ମୀନାରାୟଣ ବେଶ) ଓ ହରି ଉତ୍ଥାପନ ନୀତି ସମାପନ ହୋଇ ଥାଏ । କାର୍ତ୍ତିକ ମାସ ସହ ପଞ୍ଚୁକ ପାଞ୍ଚଦିନ ନିଷ୍ଠା ଓ ଭକ୍ତିର ସହିତ ହରି ଏବଂ ହରଙ୍କୁ ପୂଜାକଲେ ଅଶେଷ ପୁଣ୍ୟ ସହିତ ଅନ୍ତେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।
ଏକାଦଶୀ ଦିନ ବାଳଧୂପ ସରିବା ପରେ ପତି ମହାପାତ୍ର, ପୂଜାପଣ୍ଡା ଓ ମୁଦିରସ୍ତ ୩ ବାଡ଼ରେ ଆଳତି କରିଥାନ୍ତି ଓ ଶୟନ ଏକାଦଶୀ ପରି ସମସ୍ତ ନୀତି ବଲ୍ଲଭ ବଡ଼ସିଂହାର ପର୍ଯ୍ୟନ୍ତ ହୋଇଥାଏ । ବଡ଼ସିଂହାର ଭୋଗ ସରିବା ପରେ ଭିତରରେ ମହାସ୍ନାନ ପୂଜାଠା ହୋଇଥାଏ । ୩ ଜଣ ପାଳିଆ ସେବାୟତ ଖଟଶେଯ ଘର ଉପରକୁ ଯାଇ ଶୟନପେଡି ମୁଦ ଭାଙ୍ଗିଥାନ୍ତି । ପରେ ମୁଦିରସ୍ତ ଶୟନ ପେଡ଼ି ଖୋଲି ପାର୍ଥନାକରି କର୍ପୁର ଆଳତି, ଅଞ୍ଜଳି କରି ୩ ଗୋଟି ରୂପା ଥାଳିରେ ୩ ମହାପ୍ରଭୁଙ୍କୁ ୩ ଜଣ ସେବାୟତ ହାତରେ ବିଜେ କରାଇଥାନ୍ତି । ଖଟୁଳିରେ ବିଜେ କରାଇ ମହାସ୍ନାନ ବଢ଼ାଇଥାନ୍ତି । ମହାସ୍ନାନ ବଢ଼ିଲା ପରେ ରତ୍ନସିଂହାସନ ଉପରେ ବିଜେ କରିଥାନ୍ତି । ପତି ମହାପାତ୍ର, ପୂଜାପଣ୍ଡା ଓ ମୁଦିରସ୍ତ ୩ ଗୋଟି ରୂପା ପିଙ୍ଗଣରେ ଘଟୁଆରୀ ଘରଠାରୁ ଚନ୍ଦନ ବିଜେ କରି ଆଣି ସର୍ବାଙ୍ଗ ଚନ୍ଦନ ଲାଗି କରିଥାନ୍ତି ଓ ତତ୍ପରେ ନୂଆ ଲୁଗା ଲାଗି ହୋଇଥାନ୍ତି । ମାଳ, ଫୁଲରେ ବେଶ ହୋଇ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥାଏ ।
ଏହାପରେ ବଲ୍ଲଭ ବଡ଼ସିଂହାର ଭୋଗ, ଘଣ୍ଟ, ଛତ୍ର, କାହାଳୀ ସହ ତଳୁଛ ପଟୁଆରରେ ଆସି ଷୋଡଶ ଉପଚାରରେ ମଣୋହି କରିଥାନ୍ତି । ଭୋଗ ବଢିବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ଶୟନ ଠାକୁର ଭଣ୍ଡାର ଘରକୁ ବିଜେ କରିଥାନ୍ତି। ଏହାପରେ ପୁଷ୍ପାଳକ ସେବକ ଆସି ଶ୍ରୀଜୀଉଙ୍କ ତଡାଉ ମଇଲମ କରିଥାନ୍ତି । ଏହା ପରେ ପଇଡ଼, ଘସା, ବିଡ଼ିଆ ମଣୋହିହୋଇ ପୁଷ୍ପାଞ୍ଜଳି ହୋଇ ନିତ୍ୟ ପହୁଡ଼ ହୋଇଥାଏ ।
ମହାପ୍ରଭୁଙ୍କ ଶୟନ ନୀତି
ଶ୍ରୀ ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କ ଅର୍ଦ୍ଧନାରୀଶ୍ୱର ସ୍ୱରୁପ ବା ଏକ ବିଗ୍ରହ ହେଉଛନ୍ତି ଏହି ଶୟନ ଠାକୁର । ଦିନର ସର୍ବଶେଷ ନୀତି ବଡ଼ସିଂହାର ବେଶ, ଧୂପ ପରେ ଏହି ମୁର୍ତ୍ତି ଜୟ ବିଜୟ ଦ୍ୱାର ନିକଟରେ ଏକ ସୁସଜ୍ଜିତ ଡମ୍ବରୁ ଉପରେ ବିଜେ କରନ୍ତି । ପ୍ରତିଦିନ ରାତିରେ ଏହି ବିଗ୍ରହଙ୍କୁ ନେଇ ଶୟନ ନୀତି ଅନୁଷ୍ଠିତ ହୁଏ ଓ ପ୍ରଭୁଙ୍କ ରତ୍ନ ପଲଙ୍କ ଭିତରକୁ ବିଜେ କରିବା ପରେ ଠାକୁରମାନେ ପହୁଡ଼ିଥାଆନ୍ତି । ଏହି ପ୍ରତିମା ସାମ୍ବତ୍ସରିକ ଶୟନ ନୀତି ବା ହରିଶୟନ, ପାର୍ଶ୍ୱ ପରିବର୍ତ୍ତନ ଓ ହରି ଉତ୍ଥାପନ ଏକାଦଶୀରେ ଏହି ଶାମ୍ବତ୍ସରିକ ଶୟନ ନୀତି ସମ୍ପନ୍ନ ହୁଏ ।
ଆଷାଢ଼ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ଘୋଷଯାତ୍ରାରୁ ଫେରିବା ବାଟରେ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀରେ ସୁନା ବେଶ ପରେ ଶୋଇପଡିନ୍ତି । ଆଜି ମହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀରେ ମହାପ୍ରଭୁ ନିଦରୁ ଉଠି ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥାନ୍ତି । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଦ୍ଵାଦଶ ଯାତ୍ରା ମଧ୍ୟରୁ ହରି ଉତ୍ଥାପନ ଏକାଦଶୀ ସମ୍ପର୍ଣ୍ଣ ହେବାପରେ ମାନବଗଣଙ୍କ ଶୁଭ ସମୟ ଆରମ୍ଭ ହୋଇଥାଏ। ଏହି ସମୟ ଅବଧି ମଧ୍ୟରେ ଅନେକ ଶୁଭକାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥାଏ।