ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ବିଏସ୍‌ୱାଇ ସ୍ମାର୍ଟ କାର୍ଡ ବିତରଣ ଆରମ୍ଭ କରିବେ | News Room Odisha

ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ବିଏସ୍‌ୱାଇ ସ୍ମାର୍ଟ କାର୍ଡ ବିତରଣ ଆରମ୍ଭ କରିବେ

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀବହୁଳ, ପାହାଡ଼ ଓ ଜଙ୍ଗଲରେ ଭରା ଅନେକ ଦୁର୍ଗମ ଅଞ୍ଚଳ ଥିବା ଏହି ଜିଲ୍ଲାର ବାସିନ୍ଦା ଯେଭଳି ସହଜରେ ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଦେବେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟ କାର୍ଡ। କନ୍ଧମାଳ ଜିଲ୍ଲାର ୧.୬୭ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଏଥିରୁ ଉପକୃତ ହେବେ। ସରକାରଙ୍କ ଦ୍ୱାରା ଜିଲ୍ଲାବାସୀ ଯେକୌଣସି ରୋଗ ନିମନ୍ତେ ଉତ୍ତମ ଚିକିତ୍ସା ସେବା ବଡ଼ ବଡ଼ ଡାକ୍ତରଖାନାରୁ ତଥା ନିଜ ହାତ ପାଆନ୍ତାରେ ଡିଜିଟାଲ ମାଧ୍ୟମରେ ପାଇପାରିବେ। କେବଳ ଏତିକି ନୁହେଁ ଜିଲ୍ଲାବାସୀଙ୍କ ନିମନ୍ତେ ନବୀନ ପଟ୍ଟନାୟକ ସାଥିରେ ନେଇ ଆସୁଛନ୍ତି ପ୍ରାୟ ୩୦୦ କୋଟି ଟଙ୍କାର ବହୁସଂଖ୍ୟକ ପ୍ରକଳ୍ପ। ଅନେକ ପ୍ରକଳ୍ପ ଉଦ୍‌ଘାଟନ କରିବେ ତଥା ବହୁ ପ୍ରକଳ୍ପ ସକାଶେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ଫୁଲବାଣୀରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। କନ୍ଧମାଳ ଷ୍ଟାଡିୟମ୍‌ରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ସେ ପ୍ରଥମେ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବିତରଣ ଅଭିଯାନର ଶୁଭାରମ୍ଭ କରିବେ। ଏଥିରେ ବିଶେଷ କରି ଜିଲ୍ଲା ତଥା ରାଜ୍ୟର ବହୁ ଗରିବ ଅଧିକ ଲାଭାନ୍ବିତ ହେବେ। ରାଜ୍ୟରେ କେହି ବି ସ୍ଵାସ୍ଥ୍ୟଜନିତ ଅସୁବିଧାର ଶିକାର ହେବେ ନାହିଁ। ଅପରପକ୍ଷରେ ଜିଲ୍ଲାର ହିତାଧିକାରୀଙ୍କୁ ସୂଚାରୁ ରୂପେ କାର୍ଡ ବଣ୍ଟନ ପାଇଁ ସରକାର ତଥା ପ୍ରଶାସନ ସମୁଚିତ ବ୍ୟବସ୍ଥା ଗ୍ରହଣ କରିଛି। ରାଜ୍ୟର ବରିଷ୍ଠ ମନ୍ତ୍ରୀ, ବିଧାୟକ ତଥା ଦଳର ବରିଷ୍ଠ ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଦାରିଙ୍ଗିବାଡି ବ୍ଲକ୍‌ରେ ମନ୍ତ୍ରୀ ଅଶୋକ ପଣ୍ଡା, ରାଇକିଆ ବ୍ଲକ୍ ଏବଂ ଜି.ଉଦୟଗିରି ବ୍ଲକ୍‌ରେ ମନ୍ତ୍ରୀ ରଘୁନାଥ ଦାସ, ଫୁଲବାଣୀ ବ୍ଲକ୍‌ରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଖଜୁରୀପଡା ବ୍ଲକ୍‌ରେ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲିଗୁଡାରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋଟଗଡ ବ୍ଲକ୍‌ରେ ମନ୍ତ୍ରୀ ପଦ୍ମିନୀ ଦିଆନ ହିତାଧିକାରୀଙ୍କୁ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ସେହିପରି ବାଲିଗୁଡା ବିଧାୟକ ଚକ୍ରମଣି କହଁର ଟିକାବାଲି, କେ.ନୂଆଗାଁ ଓ ତୁମୁଡିବନ୍ଧ ବ୍ଲକ୍‌ରେ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଚକାପାଦ ଓ ଫିରିଙ୍ଗିଆ ବ୍ଲକ୍‌ରେ ସ୍ମାର୍ଟ କାର୍ଟ ବାଣ୍ଟିବେ। ଫୁଲବାଣୀ ପୌର ପରିଷଦ ନିମନ୍ତେ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ଏନ୍‌ଏସି ପାଇଁ ଖେଳ ଏବଂ ଯୁବ ବ୍ୟାପାର ବିଭାଗ ଉପଦେଷ୍ଟା ବିଜୟ ନାୟକ, ଜି.ଉଦୟଗିରି ଏନ୍ଏସି ସକାଶେ ବିଧାୟକ ସାଲୁଗା ପ୍ରଧାନଙ୍କୁ ସ୍ମାର୍ଟ କାର୍ଡ ବିତରଣ ଦାୟିତ୍ବ ଦିଆଯାଇଛି।

ତେବେ ଜିଲ୍ଲାର ଉନ୍ନୟନକୁ ତ୍ବରାନ୍ବିତ କରିବା ପାଇଁ କନ୍ଧମାଳବାସୀଙ୍କ ନିକଟରେ ପହଞ୍ଚୁଥିବା ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ ବୋଲି କଂଗ୍ରେସ ଘୋଷଣା କରିଛି। ଯଦିଓ ଜିଲ୍ଲାବାସୀ ବିକାଶମୂଳକ ଆଭିମୁଖ୍ୟକୁ ଏଭଳି ପ୍ରତିବାଦକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି, ତଥାପି ପ୍ରଗତିମୂଳକ କାର୍ଯ୍ୟରେ କୌଣସି ବାଧାକୁ ରୋକିବା ପାଇଁ ତଥା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କ ସମେତ ୧୩ ପ୍ଲାଟୁନ ଫୋର୍ସ, ଏସ୍ଓଜି- ଡିଭିଏଫ୍- ସିଆର୍‌ପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କନ୍ଧମାଳ ତଥା ଫୁଲବାଣୀରେ ବିଜେଡି ସଙ୍ଗଠନକୁ ଅଧିକ ସମର୍ଥନ ମିଳିଛି। ପାର୍ଟି ହୋଇଛି ଅଧିକ ଶକ୍ତିଶାଳୀ। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଆଭିମୁଖ୍ୟରେ ପ୍ରେରିତ ହୋଇ ବିଭିନ୍ନ ପାର୍ଟିର ନେତା ଓ କର୍ମୀ ଶାସକ ଦଳରେ ନିଜକୁ ସାମିଲ କରିଛନ୍ତି। ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ହୋଇଥିଲା ବିଜେଡିର ମିଶ୍ରଣ ପର୍ବ। ବିଜୁ ଜନତା ଦଳକୁ ଫେରି ଆସିଥିଲେ ତୁମୁଡିବନ୍ଧର ଉଦୀୟମାନ ନେତା ବିଭୁତି ନାୟକ। ସେହିପରି ଫୁଲବାଣୀର ବବୁଲ ପ୍ରଧାନ, ଫିରିଙ୍ଗିଆର ରମାକାନ୍ତ ପ୍ରଧାନ, ବିଶିପଡାର ଅଚ୍ୟୁତାନନ୍ଦ ଦିଗାଲ, ଖଜୁରୀପଡ଼ାର ଦୀପକ ସାହୁ, ବାଲିଗୁଡାର ରତିକାନ୍ତ ନାୟକ ଓ ଦାରିଙ୍ଗବାଡିର ନିହାର ରଞ୍ଜନ ମଲିକ ପ୍ରମୁଖଙ୍କ ଭଳି ତୃଣମୂଳସ୍ତରର ଅନେକ ସଙ୍ଗଠକ ନବୀନଙ୍କ ପ୍ରଗତିର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ବିକାଶ ଓ ବିଜୟର ଶଙ୍ଖନାଦ ପାଇଁ ନିଜକୁ ବିଜେଡିର ମହାସ୍ରୋତରେ ମିଶ୍ରଣ କରାଇଛନ୍ତି। ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏମାନଙ୍କୁ ଦଳରେ ବିଧିବଦ୍ଧ ଭାବରେ ସ୍ଵାଗତ କରିବା ସାଙ୍ଗକୁ ଏହାଦ୍ଵାରା କନ୍ଧମାଳରେ ବିଜେଡି ଅଧିକ ବ୍ୟାପକ ବିସ୍ତାରିତ ଓ ସଙ୍ଗଠିତ ହୋଇପାରିବ ବୋଲି କହିଛନ୍ତି। ଜିଲ୍ଲା ବିଜେଡି ସଭାପତି ସରୋଜ କଣ୍ଣଙ୍କ ତତ୍ତ୍ୱାବଧାନରେ ହୋଇଥିବା ମିଶ୍ରଣ ପର୍ବରେ ଜିଲ୍ଲାର ଦୁଇ ବିଧାୟକ ଅଙ୍ଗଦ କହଁର ଓ ଚକ୍ରମଣି କହଁରଙ୍କ ସମେତ ବହୁ ନେତା, ସଙ୍ଗଠକ ଉପସ୍ଥିତ ଥିଲେ।

BSKY Smart Health CardChief Minister Naveen PatnaikKandhamal