ଏଲପିଜି ଦରବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି | News Room Odisha

ଏଲପିଜି ଦରବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ବ୍ରହ୍ମପୁର: ବିଶାଳ ପଟୁଆରରେ ସହର ପରିକ୍ରମା କଲେ। କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ସ୍ଲୋଗାନବାଜି କଲେ। ଏପରିକି ମହିଳାମାନେ ପ୍ରତୀକାତ୍ମକ ଭାବେ ରାସ୍ତାରେ ବସି ମାଟି ଚୁଲିରେ ରୋଷେଇ କରିଥିଲେ। ବ୍ରହ୍ମପୁରରେ ବୁଧବାର ବିଜେଡି ତରଫରୁ ଏଲପିଜି ଗ୍ୟାସ୍ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଓ ବିକ୍ଷୋଭ କରାଯାଇଛି। ରାଜ୍ୟ ବିଜେଡିର ଆହ୍ବାନ କ୍ରମେ ଆଜି ବ୍ରହ୍ମପୁର ଠାରେ ଜିଲ୍ଲା ବିଜେଡି ପକ୍ଷରୁ ଏହିଭଳି ପ୍ରତିବାଦ ସଭା ଓ ବିକ୍ଷୋଭ କରାଯାଇଥିଲା। ଦଳର ନେତା, ସାଂସଦ, ବିଧାୟକଙ୍କ ସମେତ ଯୁବ, ମହିଳା, ଛାତ୍ର ସଙ୍ଗଠନର ହଜାର ହଜାର କର୍ମକର୍ତ୍ତା ସାମିଲ ହୋଇଥିଲେ। ଖଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରୁ ଏକ ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା କରିବା ସହ ଆରଡିସିଙ୍କ କାର୍ଯ୍ୟାଳୟ ନିକଟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରନ୍ଧନ ଗ୍ୟାସ୍‌ ଦର ତୁରନ୍ତ କମାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ।