ପର୍ଯ୍ୟଟନର ଆକର୍ଷଣ ପାଲଟିଛି ଡେବ୍ରିଗଡ଼, ଆଗନ୍ତୁକଙ୍କ ପସନ୍ଦ ବାଦୁଡ଼ି ଦ୍ବୀପ | News Room Odisha

ପର୍ଯ୍ୟଟନର ଆକର୍ଷଣ ପାଲଟିଛି ଡେବ୍ରିଗଡ଼, ଆଗନ୍ତୁକଙ୍କ ପସନ୍ଦ ବାଦୁଡ଼ି ଦ୍ବୀପ

ସମ୍ବଲପୁର : ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି । ଏତିକି ବେଳେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ଦୀର୍ଘ ଦିନ ଧରି ବୁଲାବୁଲିରୁ ବଞ୍ଚିତ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ଭ୍ରମଣ ପାଇଁ ବାହାରିଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡେବ୍ରିଗଡ ଅଭୟାରଣ୍ୟ । ବିଶେଷ କରି କିଛିମାସ ତଳେ ଲୋକଲୋଚନକୁ ଆସିଥିବା ତିନି ଦ୍ବୀପ ଏବେ ରାଜ୍ୟ ତଥା ଦେଶର ବହୁ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ପଦଦର ସ୍ଥାନ ପାଲଟିଛି । ଜଳଭଣ୍ଡାରର ଅକାତ ପାଣି ଭିତରେ ଥିବା ବାଦୁଡି ଦ୍ବୀପ , ସୂର୍ଯ୍ୟାସ୍ତ ଦ୍ବୀପ ଏବଂ ଗୋରୁ ଦୀପକୁ ବୁଲିବା ପାଇଁ ଦେଶର ସବୁ ପ୍ରାନ୍ତର ଲୋକେ ଛୁଟି ଆସୁଛନ୍ତି ସମ୍ବଲପୁର ଏବଂ ବରଗଡ ଜିଲ୍ଲା ମଝିରେ ଥିବା ଡେବ୍ରିଗଡକୁ ।

ହୀରାକୁଦ ଜଳଭଣ୍ଡାର ଦ୍ବାରା ସୃଷ୍ଟି ହୋଇଛି ଅନେକ ମନୋରମ ଦର୍ଶନୀୟ ସ୍ଥାନ । ଏହି ଜଳଭଣ୍ଡାର ଏସିଆ ମହାଦେଶର ସର୍ବବୃହତ କୃତ୍ରିମ ହ୍ରଦର ମାନ୍ୟତା ପାଇଆସିଛି । ତେବେ , ଏହି ଜଳଭଣ୍ଡାରର ପ୍ରତିଟି କୋଣରେ ସମ୍ବଲପୁରରୁ ଆରମ୍ଭ କରି ଝାରସୁଗୁଡା ଏବଂ ବରଗଡ ଜିଲ୍ଲାର ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ପ୍ରକୃତି ସତେ ଯେମିତି କଥା କହୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ସମସ୍ତ ଦର୍ଶନୀୟ ସ୍ଥାନର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ସେପଟେ , ପ୍ରାୟ ଦେଢ ଦଶନ୍ଧି ତଳୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଦ୍ବାରା ଆରମ୍ଭ ହୋଇଥିବା ଡେବ୍ରିଗଡ ଇକୋ ଟୁରିଜମ୍ ପ୍ରକଳ୍ପ ଏବେ ରାଜ୍ୟର ଅନ୍ୟତମ ଆକର୍ଷଣର କେନ୍ଦ୍ର ଭାବେ ପରିଣତ ହୋଇଛି । ହୀରାକୁଦ ବନ୍ଧର ରାଇଟ୍ ଡାଇକ୍‌ରେ ଜିରୋ ପଏଣ୍ଟ ଆଗକୁ ଜଳଭଣ୍ଡାର କୂଳରେ ବାରଖଣ୍ଡିଆ ନିକଟରେ ରହିଛି ଏହି ପ୍ରକଳ୍ପ । ଏହି ପ୍ରକୃତି ନିବାସରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ରାତ୍ରୀଯାପନ ପାଇଁ ଅନେକ ଗୁଡିଏ କଟେଜ ରହିଥିବା ବେଳେ ଖାଇବା ପିଇବା ଆଦି ସମସ୍ତ ବ୍ୟବସ୍ଥା ବୁକିଂ ପ୍ୟାକେଜ୍‌ରେ ସାମିଲ ରହିଥାଏ । ଏହି କଟେଜରେ ରହି ରାତିରେ ୱାଚ୍ ଟାଓ୍ବାରରୁ ବନ୍ୟ ପ୍ରାଣୀଙ୍କୁ ଦେଖିବାର ମଜା ମିଳିଥାଏ । ସେହିପରି ଅଭୟାରଣ୍ୟ ଭିତରେ ବୁଲିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସଫାରି ଗାଡି ସାଙ୍ଗକୁ ଗାଇଡ୍ ବ୍ୟବସ୍ଥା କରାଯାଇଛି । ଏହି ଅଭୟାରଣ୍ୟରେ ବହୁ ସଂଖ୍ୟାରେ ବିରଳ ପ୍ରଜାତିର ପଶୁପକ୍ଷୀ ରହିଛନ୍ତି । ସେହିପରି ଦୀର୍ଘ ୨ ଦଶନ୍ଧି ଧରି ଡେବ୍ରିଗଡ ଜଙ୍ଗଲକୁ ପହରା ଦେଇ ଆସିଥିବା ଚର୍ଚ୍ଚିତ ହାତୀ ଖର୍ସେଲ୍ ବି ଏବେ ପର୍ଯ୍ୟଟକଙ୍କ ମନ ମୋହୁଛି । ଏହାବାଦ୍ ଡେବ୍ରିଗଡର ପ୍ରକୃତି ନିବାସରୁ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଥିବା ୩ଟି ଦ୍ବୀପକୁ ବୁଲିଯିବାର ବ୍ୟବସ୍ଥା କାରଯାଇଛି । ନିକଟରେ ଆବିଷ୍କୃତ ହୋଇଥିବା ବାଦୁଡି ଦ୍ବୀପ ବା ବ୍ୟାଟ୍ ଆଇସ୍‌ଲାଣ୍ଡ ଏବେ ପର୍ଯ୍ୟଟକଙ୍କ ମନ ମୋହୁଛି । ଡେବ୍ରିଗଡରୁ ପ୍ରାୟ ୨୦ ମିନିଟର ରୋମାଞ୍ଚକର ଜଳଯାତ୍ରା କରିବା ପରେ ଏହି ଦ୍ବୀପ ଆସିଥାଏ । ପ୍ରାୟ ଦେଢ ହେକ୍ଟର ପରିମିତ ଏହି ଛୋଟିଆ ଦ୍ବୀପରେ ଥିବା ଗଛରେ ହଜାର ହଜାର ସଂଖ୍ୟାରେ ବିରଳ ପ୍ରଜାତିର ବାଦୁଡି ବସା ବାନ୍ଧିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭୂତି ଦେଉଛି । ସେହିପରି ଏହି ଦ୍ବୀପରେ କିଛି ମତ୍ସ୍ୟଜୀବୀ ପରିବାର ରହୁଥିବା ବେଳେ ସେମାନେ ପର୍ଯ୍ୟଟକଙ୍କୁ ମାଛ ପୋଡା ତଥା ମାଛ ଭଜା ଖାଇବାକୁ ଦେଇଥାନ୍ତି । କିଛି ମାସ ତଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବୋଟ୍ ଯୋଗେ ଏହି ଦ୍ବୀପକୁ ଯିବା ପରେ ଏହାର ଆକର୍ଷଣ ବଢିଯାଇଛି । ସେହିପରି ଜଳଭଣ୍ଡାର ମଧ୍ୟରେ ଥିବା ସୂର୍ଯ୍ୟାସ୍ତ ଦ୍ବୀପ ବା ସନସେଟ୍ ଦ୍ବୀପ ବି ଅନ୍ୟତମ ଆକର୍ଷଣ ପାଲଟିଛି । ଏହି ଛୋଟିଆ ଦ୍ବୀପରୁ ସୂର୍ଯ୍ୟାସ୍ତର ଦୃଶ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକ ଦୂରଦୁରାନ୍ତରୁ ଛୁଟି ଆସୁଛନ୍ତି । ଏହାବାଦ୍ ଦୀର୍ଘ ୭ ଦଶନ୍ଧି ଧରି ଅନାଲୋଚିତ ହୋଇ ଆସିଥିବା ଗୋରୁ ଦ୍ବୀପକୁ ବି ଯିବା ପାଇଁ ବିଭାଗ ପକ୍ଷରୁ ମୋଟର୍ ବୋଟ୍ ବ୍ୟବସ୍ଥା କରାଯାଇଛି । ହୀରାକୁଦ ବନ୍ଧ ନିର୍ମାଣ ହେବା ପରେ ଏହି ଦ୍ବୀପରେ ରହିଯାଇଥିବା ଗାଈ ଗୋରୁ ହିଂସ୍ର ହୋଇଯାଇଥିବା ବେଳେ ଏଠାକୁ ଲୋକଙ୍କ ଯିବା ଆସିବା ବି ସମ୍ଭବପର ହେଉନାହିଁ । ତେବେ , ବର୍ତ୍ତମାନ ଡେବ୍ରିଗଡ ବୁଲିବା ପ୍ୟାକେଜ୍‌ରେ ଏହି ଦ୍ବୀପର ଚାରିକଡରେ ବୁଲିବାର ବ୍ୟବସ୍ଥା କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ , ବର୍ତ୍ତମାନ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶିରେ ଲକ୍ଷାଧିକ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କ କଳରବ ଏବେ ଆଗନ୍ତୁକଙ୍କୁ ଆନମନା କରୁଛି । ବିଶେଷ କରି ୩୪୬.୯୧ ବର୍ଗ କିଲୋମିଟର ପରିବ୍ୟାପ୍ତ ଡେବ୍ରିଗଡ ଅଭୟାରଣ୍ୟର ମଜା ନେବା ପାଇଁ ଏଠାରେ ଥିବା ପ୍ରକୃତି ନିବାସର ସମସ୍ତ କଟେଜ୍ ବୁକ୍ ହୋଇସାରିଛି । ଡେବ୍ରିଗଡ ବୁଲିବା ବେଳେ ପାରା ସେଲିଂ, ମୋଟର୍ କ୍ରୁଜ, ବୋଟିଂ ଆଦି ସୁବିଧା ଅଧିକ ରୋମାଞ୍ଚିତ କରୁଛି | ପ୍ରତିଦିନ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସି ପ୍ରକୃତିର ଅପରୂପ ଶୋଭା ନେଉଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗ ମିଳିତ ଭାବେ ବର୍ତ୍ତମାନ ଡେବ୍ରିଗଡର ପର୍ଯ୍ୟଟନର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ।

ସମ୍ବଲପୁରରୁ ହର୍ଷିତା ବିଶ୍ବାଳଙ୍କ ରିପୋର୍ଟ