ସମ୍ଭାବ୍ୟ ବାତ୍ୟା କେଉଁଠି ମାଡ ହେବ, ତାହା କାଲି ସ୍ପଷ୍ଟ ହେବ : ଆଇଏମଡି ଡିଜି | News Room Odisha

ସମ୍ଭାବ୍ୟ ବାତ୍ୟା କେଉଁଠି ମାଡ ହେବ, ତାହା କାଲି ସ୍ପଷ୍ଟ ହେବ : ଆଇଏମଡି ଡିଜି

ଭୁବନେଶ୍ୱର- ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତରେ ପରିଣତ ହେବ । ଅବପାତରେ ପରିଣତ ହେଲା ପରେ ସମ୍ଭାବ୍ୟ ବାତ୍ୟା କେଉଁଠି ଏହା ମାଡ ହେବ, ତାହା ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସମ୍ଭାବ୍ୟ ବାତ୍ୟାର ତୀବ୍ରତା କେତେ ରହିବ ଓ କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ, ତାହା କାଲି ସ୍ପଷ୍ଟ କରାଯିବ ବୋଲି ଆଇଏମଡି ଡିଜି କହିଛନ୍ତି । ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର, ଓଡିଶା ଉପକୂଳରେ ଅବପାତ ଏହା ପହଂଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ବର୍ଷା ପରିମାଣ ବୃଦ୍ଧି ପାଇବ ।

ଆଇଏମଡି ଡିଜିଙ୍କ ଅନୁସାରେ ୪ ତାରିଖରେ ବାତ୍ୟା ଉପକୂଳ ପାଖାପାଖି ହେଲେ ବି ଅତିକ୍ରମ କରି ନପାରେ । ଏହା ସ୍ଥଳଭାଗ ନ ଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ରୁ ୫ ତାରିଖ ଯାଏଁ ଓଡିଶା ଉପକୂଳରେ ବର୍ଷା ହେବ । ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଚାରି ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବି ହୋଇପାରେ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୪ ତାରିଖରେ ସର୍ବାଧିକ ରହିବ । ସେ ଦୃଷ୍ଟିରୁ ସେହିଦିନ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Cyclone Jawad