ଦେବ ଦୀପାବଳି ଦ୍ଵିତୀୟ ଦିନରେ ମହାପ୍ରଭୁ ଆଜି ଶ୍ରାଦ୍ଧ ଦେବେ ଦଶରଥ, କୌଶଲ୍ୟା, କୈକେଇ ଓ ସୁମିତ୍ରାଙ୍କୁ | News Room Odisha

ଦେବ ଦୀପାବଳି ଦ୍ଵିତୀୟ ଦିନରେ ମହାପ୍ରଭୁ ଆଜି ଶ୍ରାଦ୍ଧ ଦେବେ ଦଶରଥ, କୌଶଲ୍ୟା, କୈକେଇ ଓ ସୁମିତ୍ରାଙ୍କୁ

ସାଧାରଣ ମଣିଷଟିଏ ପରି ମହାପ୍ରଭୁ ଦେବ ଦୀପାବଳିର ଦ୍ଵିତୀୟ ଦିନରେ ଆଜି ଶ୍ରାଦ୍ଧଦେବେ ପିତୃ ପୁରୁଷଙ୍କୁ । ଶ୍ରାଦ୍ଧ ଦେବେ, ପିଣ୍ଡ ବି ବାଢ଼ିବେ। ମାନବୀୟ ଲୀଳା କ୍ରମର ଏହା ତାଙ୍କର ଏକ ନିଦର୍ଶନ ମାତ୍ର।

ମନୁଷ୍ୟ ଲୋକରେ ମହାଳୟାରେ ପିତୃପୁରଷଙ୍କୁ ତିଳ ତର୍ପଣ କରାଯାଏ। କାହିଁ କେଉଁ କାଳରୁ ପରିବାରର ଦିବଙ୍ଗତ ବୟୋଜ୍ୟଷ୍ଠ ମାନଙ୍କୁ ମନେ ପାକାଇବାକୁ ଏଭଳି ଉତ୍ସବର ପରମ୍ପରା ଭାରତୀୟ ସଂସ୍କୃତି ସହ ଜଡିତ ହୋଇ ରହିଛି । ବିଭିନ୍ନ ରାଜ୍ୟରେ  ଭିନ୍ନ ଭିନ୍ନ ନାମରେ ଶ୍ରାଦ୍ଧ ଓ ପିଣ୍ଡ ତର୍ପଣର ବିଧିବ୍ୟବସ୍ଥା ରହିଛି। ସାଧାରଣ ମଣିଷଟିଏ ଯେପରି ଏଭଳି ପାରମ୍ପରିକ କାର୍ଯ୍ୟ ପ୍ରତିବର୍ଷ ଅନୁସରଣ କରିଥାଏ, ଠିକ ସେହିପରି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପାଲିତ ହୋଇଥାଏ ଏହି ନିଆରା ପରମ୍ପରା ଦେବ ଦୀପାବଳୀ ବା ବାର୍ଷିକ ପିଣ୍ଡ ତର୍ପଣ ଉତ୍ସବ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମଣିଷଙ୍କ ଭଳି ପ୍ରତିବର୍ଷ ନିଜ ପୂର୍ବଜମାନଙ୍କ ଶ୍ରାଦ୍ଧ ଦେଇଥାନ୍ତି। ଏଥିପାଇଁ ଠାକୁରମାନଙ୍କୁ ପାରମ୍ପରିକ ଶ୍ରାଦ୍ଧ ବେଶରେ ସଜାଇ ଦିଆଯାଏ । ଶ୍ରୀଜୀଉମାନେ ଶୁକ୍ଲ ବା ଧଳା ବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀ ବଳଭଦ୍ରଙ୍କୁ ଧଳାରେ କଳାଧଡି, ଦେବୀ ସୁଭଦ୍ରାଙ୍କୁ ଧଳାରେ ନାଳିଧଡି ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଧଳାରେ ହଳଦିଆ ଧଡିଯୁକ୍ତ ବସ୍ତ୍ରପିନ୍ଧାଇ ବେଶ କରାଯାଏ ।

ସାଧାରଣ ଲୋକେ ଆଶ୍ୱିନ ମାସରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେଉଥିବା ବେଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରାଦ୍ଧୋତ୍ସବ ମାର୍ଗଶିର ମାସରେ ପାଳନ ହୋଇଥାଏ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ପ୍ରତିପଦା ଓ  ଅମାବାସ୍ୟା ତିଥିରେ ଏହି ଶ୍ରାଦ୍ଧ ନୀତି ତିନିଦିନ ଧରି ପାଳନ କରାଯାଇଥାଏ । ତିନି ଦିନରେ ଭିନ୍ନଭିନ୍ନ ଢଙ୍ଗରେ ଶ୍ରାଦ୍ଧ ଦିଆଯାଇଥାଏ। ଆଜି ଦ୍ଵିତୀୟ ଦିବସରେ ଦଶରଥ, କୌଶଲ୍ୟା, କୈକେଇ ଓ ସୁମିତ୍ରାଙ୍କୁ, ମହାପ୍ରଭୁ ଶ୍ରାଦ୍ଧ ଦେବେ। ।

ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ବଢିବା ପାରେ ଏହି ନୀତି ଆରମ୍ଭ ହବ। ରତ୍ନସିଂହାସନ ତଳେ ପାଣି ପଡିବା ପରେ ଶ୍ରାଦ୍ଧ ପାଇଁ ଅରୁଆ ଚାଉଳରେ ଦୀପବୃକ୍ଷ ଅଙ୍କନ କରାଯିବ । ଯାହାଉପରେ ମହାପ୍ରଭୁ ଦୀପଦାନ କରିବେ। ବଡ଼ ଓ ମଝି ବାଡ଼ରେ ୩ଟି ଲେଖାଏଁ କରି ୯ଟି ଦୀପ ଏବଂ ମହାପ୍ରଭୁଙ୍କ ବାଡ଼ରେ ୧୦ଟି ଦୀପ ପ୍ରଜ୍କଳନ କରାଯିବ।

ଏହି ଅବସରରେ ଶ୍ରୀମନ୍ଦିରକୁ ସୁନ୍ଦର ପ୍ରଦୀପ ମାଳାରେ ସଜ୍ଜିତ କରାଜିବା ସହ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୀପଦାନ କରାଯିବ। ଶ୍ରୀମନ୍ଦିରରେ ଏହି ସମୟରେ ଆତଶବାଜି ପ୍ରଦର୍ଶନ କରାଯିବାର ପରମ୍ପରା ରହିଛି ।