ଶ୍ରୀମନ୍ଦିରରେ ଦେବଦୀପାବଳିର ତୃତୀୟ ତଥା ଅନ୍ତିମ ଦିବସ, ଆଜି ମହାପ୍ରଭୁ ଦେବକୀ, ବସୁଦେବ ସମେତ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କରିବେ ପିଣ୍ଡଦାନ | News Room Odisha

ଶ୍ରୀମନ୍ଦିରରେ ଦେବଦୀପାବଳିର ତୃତୀୟ ତଥା ଅନ୍ତିମ ଦିବସ, ଆଜି ମହାପ୍ରଭୁ ଦେବକୀ, ବସୁଦେବ ସମେତ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କରିବେ ପିଣ୍ଡଦାନ

ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିଠାରୁ ଶୁକ୍ଳ ପ୍ରତିପଦ ତିଥି ପର୍ଯ୍ଯନ୍ତ ତିନିଦିନ ବ୍ଯାପୀ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ପାଳିତ ହୋଇଥାଏ। ଆଜି ଶୁକ୍ଳପକ୍ଷ ପ୍ରତିପଦା ତିଥି। ଦେବ ଦୀପାବଳି ର ଅନ୍ତିମ ପର୍ବ।

ଶ୍ରୀମନ୍ଦିରରେ ଏହି ଦୀପାବଳି ଉତ୍ସବରେ ଶ୍ରୀଜଗନ୍ନାଥଙ୍କ ପିତୃଶ୍ରାଦ୍ଧ ପାଳନ କରାଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବବାଦୀ ଦେବତା ହୋଇ ଥିବାରୁ ତାଙ୍କର ସମସ୍ତ ରୀତିନୀତି ଓ ଉତ୍ସବ ମାନବୀୟ ଲୀଳା କ୍ରମରେ ପାଳନ କରାଯାଇଥାଏ। ଶ୍ରୀଜୀଉମାନେ ତିନିଦିନ ଲୁଗା ଓ ଚଦର ପରିଧାନ କରି ଶ୍ରାଦ୍ଧବେଶରେ ସଜ୍ଜିତ ହୋଇ ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି।

ଶ୍ରୀଜଗନ୍ନାଥଙ୍କ ଶ୍ରାଦ୍ଧ ସମୟର ବସ୍ତ୍ରକୁ କାଶୀ- ଧଡିଆ ବସ୍ତ୍ର କୁହାଯାଏ। ଏହିବସ୍ତ୍ରର ରଙ୍ଗ ଶ୍ବେତବର୍ଣ୍ଣ ଓ ହଳଦିଆ ରଙ୍ଗ ଧଡିରେ ବଡବଡ କୁମ୍ଭମାନ ପଡିଥାଏ। ଶ୍ରୀଜଗନ୍ନାଥଙ୍କର ଶ୍ବେତ ପାଟବସ୍ତ୍ରର ଲମ୍ବ ୧୬-୧୮ ହାତ , ଚଉଡା ୫ ହାତ ଓ ଧଡିର ଓସାର ୧ ଫୁଟ। ସେହିଭଳି ବଳଭଦ୍ରଙ୍କର ଶ୍ବେତ ପାଟବସ୍ତ୍ରର ଲମ୍ବ ୧୪ ହାତ, ଚଉଡା ୪ ହାତ ଓ କଳାବର୍ଣ୍ଣ ଧଡିର ଓସାର ୧ ଫୁଟ। ଦେବୀ ସୁଭଦ୍ରାଙ୍କର ପାଟବସ୍ତ୍ରର ଲମ୍ବ ୧୨ ହାତ, ଚଉଡା ୩ ଫୁଟ ୬ ଇଞ୍ଚ ଓ ନାଲି ରଙ୍ଗ ଧଡିର ଓସାର ୧ ଫୁଟ। ଏସବୁ ବସ୍ତ୍ର ସହିତ ଶ୍ରୀଜୀଉମାନଙ୍କୁ ଚାଦରରେ ମଣ୍ଡନ କରାଯାଇ ଶିରରେ ଶ୍ରୀକପଡା ନାମକ ସ୍ବତନ୍ତ୍ର ବସ୍ତ୍ରରେ ଶୃଙ୍ଗାର କରାଯାଏ। ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧ ବେଶରେ ସଜ୍ଜିତ କରିଥାନ୍ତି। ଏହି ବେଶରେ ଠାକୁରମାନେ ନଳିଭୁଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ଯ, ଆଡକାନି, ତଡଗି , ହରିଡାମାଳି ଓ ଅଣ୍ଟାକମରପଟି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି।

ଶ୍ରୀମନ୍ଦିରରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପ୍ରଥମ ଦିନ ପ୍ରଭୁ ବାମନ ରୂପରେ ନିଜର ପିତା- ମାତା ସତ୍ଯଯୁଗର କଶ୍ଯପ ୠଷି ଓ ଅଦିତିଙ୍କ ପ୍ରତି ପିଣ୍ଡ ଓ ଦୀପୋତ୍ସର୍ଗ କରନ୍ତି । ମାର୍ଗଶିର ଅମାବାସ୍ଯା ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରୂପରେ ଦ୍ଵିତୀୟ ଦିନ ତ୍ରେତୟା ଯୁଗର ପିତା ଦଶରଥ ଓ କୈଶଲ୍ଯା ମାତାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି। ମାର୍ଗଶିର ଶୁକ୍ଳ ପ୍ରତିପଦ ତିଥିରେ ଅର୍ଥାତ ତୃତୀୟ ତଥା ଅନ୍ତିମ ଦିବସରେ ପ୍ରଭୁ ଶ୍ରୀକୃଷ୍ଣ ରୂପରେ ଦ୍ବାପର ଯୁଗର ପିତା ବସୁଦେବ ଓ ମାତା ଦେବକୀ ଏବଂ ନନ୍ଦ ଓ ଯଶୋଦାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି। ସୂର୍ଯ୍ଯବଂଶର ବଷ୍ଣୁଭକ୍ତ ଗଜପତି ମହାରାଜା ଇନ୍ଦ୍ରଦ୍ଯୁମ୍ନ ବିଷ୍ଣୁଙ୍କ ଦର୍ଶନ ପାଇଁ ବହୁ କାମନା କରିଥିଲେ। ସେ ପାଞ୍ଚଶହ ବର୍ଷ ମଧ୍ଯରେ ପ୍ରଭୁଙ୍କ ଆଜ୍ଞା ରେ ଏକହଜାର ଅଶ୍ବମେଧ ଯଜ୍ଞ କରି ଶ୍ରୀନୀଳମାଧବଙ୍କୁ ଦାରୁ ରୂପେ ପ୍ରାପ୍ତ ହୋଇଥିଲେ ବୋଲି କଥିତ ଅଛି। ପ୍ରଭୁଙ୍କ ଆଜ୍ଞାରେ ବାଙ୍କୀମୁହାଣଠାରେ ଭାସୁଥିବା ଦାରୁ ଆଣି ମୂର୍ତ୍ତି ଗଠନ କଲେ। ଗୁଣ୍ଡିଚା ମନ୍ଦିରଠାରେ ବ୍ରହ୍ମାଙ୍କ ଆଜ୍ଞାରେ ଯଜ୍ଞ କରାଇଥିଲେ। ଏକ ହଜାର ହାତ ଉଚ୍ଚରେ ବଡଦେଉଳ କରାଇଥିଲେ ବୋଲି କିମ୍ବଦନ୍ତୀ ରହିଛି, ଯାହା କି ବର୍ତ୍ତମାନ ଲୁପ୍ତ । ଶ୍ରୀବଳଭଦ୍ର , ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଆଦି ତିନିମୂର୍ତ୍ତି ସ୍ଥାପନ କରି ବ୍ରହ୍ମାଙ୍କ ଦ୍ବାରା ପ୍ରତିଷ୍ଠା କରାଇଥିଲେ। ପ୍ରଭୁ ଶ୍ରୀନୀଳମାଧବ ଆୟୁଧ ଶ୍ରୀସୁଦର୍ଶନଙ୍କ ସହିତ ଚତୁର୍ଦ୍ଧାମୂର୍ତ୍ତି ରୂପେ ପୂଜା ପାଇଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନ ସେ ନିଜେ ବଂଶହୀନ ହେବା ପାଇଁ ତାଙ୍କ ପରେ କେହି ଅହଙ୍କାର କରିବେ ନାହିଁ ବୋଲି ବର ପ୍ରାର୍ଥନା କରିଥିଲେ। ତେଣୁ ଏହି ଦୀପାବଳିରେ ମାର୍ଗଶିର ଶୁକ୍ଳ ପ୍ରତିପଦ ତିଥିରେ ପ୍ରଭୁ ଶୁଭବସ୍ତ୍ର ଓ ଚଦର ପରିଧାନ କରି ପିତାମାତା ଭାବେ ରାଜା ଇନ୍ଦ୍ରଦ୍ଯୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ମଧ୍ୟ ଏହିଦିନ ପିଣ୍ଡ ଓ ଦୀପଦାନ କରନ୍ତି।

ଉକ୍ତଦିନ ବିଧି ଅନୁସାରେ ଚୂନରା ସେବକ ମହାଦୀପ ଧରି ଶ୍ରୀମନ୍ଦିରକୁ ଦୀପରେ ସଜ୍ଜିତ କରିଥାନ୍ତି। ଶ୍ରୀମନ୍ଦିରର ଗୁମୁଟି, ରାଜନଅର ଓ ଶ୍ରୀମନ୍ଦିର କା‌ର୍ଯ୍ଯାଳୟକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଏ। ପିତୃଶ୍ରାଦ୍ଧ ଓ ଦୀପଦାନ ପରେ ଚୂନରା ସେବକ ଶ୍ରୀମନ୍ଦିରର ତିନି ଦେଉଳ ଉପରେ ମହାଦୀପ ଜାଳି ଗଜପତିଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ଦିଅନ୍ତି।

ମାର୍ଗଶୀର୍ଷେ କୃଷ୍ଣପକ୍ଷେ ଚତୁର୍ଦ୍ଦଶ୍ଯାଦିକେତିଥୌ।
ତ୍ରିଦିନାନ୍ତଂ ହରେର୍ଦଦ୍ଯାତ୍ ପ୍ରାସାଦେ ଦୀପମାଳିକାମ୍।।

ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ସନ୍ଧ୍ଯାଧୂପ ପରେ ଧୋପଖାଳ ହେବା ପରେ ରତ୍ନସିଂହାସନ ତଳେ ଭଣ୍ଡାରମେକାପ ଚାଉଳରେ ଗୋଟିଏ ଗଛ ନିର୍ମାଣ କରନ୍ତି। ପାଳିଆ ମେକାପ ବଇଠାମାନଙ୍କରେ ଘୃତ ପୂର୍ଣ୍ଣ କରି ଚାଉଳ ଗଛରେ ବତୀ ବସାନ୍ତି। ସମୁଦାୟ ଅଠେଇଶ ଗୋଟି ବତି ବସାଯାଏ। ତନ୍ମଧ୍ଯରୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ନିମନ୍ତେ ନଅଗୋଟି କରି ଅଠର ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିମନ୍ତେ ଦଶଗୋଟି ଦୀପ ବସାଯାଇଥାଏ। ତିନିଗୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳଗଛ ଓ ଦୀପମାନଙ୍କୁ ସଂସ୍କାର କରନ୍ତି। ଏହାପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡରେ ବନ୍ଦାପନା କରନ୍ତି। ତା’ ପରେ ତିନିଗୋଟି ମହାଦୀପରେ ବନ୍ଦାପନା କରାଯାଏ। ତତ୍ପରେ ପୂଜକ ତିନିଜଣ ମହାଦୀପଗୁଡିକୁ ହାତରେ ଧରି ଜୟବିଜୟ ଦ୍ବାରର ଭିତର ପାଖକୁ ଆସନ୍ତି। ସେଠାରେ ଆସ୍ଥାନ ପଢିଆରୀ କରିଥିବା ଚାଉଳଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡାନ୍ତି। ସେହି ମହାଦୀପ କଳସଗୁଡିକୁ ପାଳିଆ ଚୂନରାଙ୍କୁ ଦିଆଯାଏ। ସଂପୃକ୍ତ ଚୂନରା ସେବକ ବଡଓଡିଆ ମଠ ପ୍ରଦତ୍ତ ତେଲ ଓ ଘିଅ ନେଇ ମନ୍ଦିରର ଅଁଳା ବେଢା ଉପରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ର ଉଦିଆ ଜାଳି ‘ ଗଜପତି ମହାରାଜାଙ୍କୁ ମହାପ୍ରଭୁ ଶଙ୍ଖେପୂରାଇ ଚକ୍ରେ ଆଢୁଆଳ କରନ୍ତୁ ‘ କହି ହରିବୋଲ ଡାକ ଦିଅନ୍ତି।

ଅମାବାସ୍ଯା ଦିନ ଠିକ୍ ପୂର୍ବୋକ୍ତ ରୀତିରେ ନୀତି ଅବିକଳ ପାଳିତ ହୋଇଥାଏ। କିନ୍ତୁ ପ୍ରତିପଦା ଦିନ ପାଣିପଡି ଚାଉଳଗଛ ହେବାପରେ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି। ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ତିନିଜଣ ପାଳିଆ ପୂଜାପଣ୍ଡା ଚାଉଳ ଗଛକୁ ସଂସ୍କାରକରି ପାଣି ଛଡାଇବା ପରେ ତିନିବାଡରେ ବନ୍ଦାପନା ସରିଲେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଆଜ୍ଞାମାଳ ପାଇ ଜୟବିଜୟ ଦ୍ବାର ଭିତର ପାଖେ ବିଜେ କରିଥିବା ବେଳେ ସେଠାରେ ନିର୍ମିତ ଚାଉଳ ଗଛର ସଂସ୍କାର କାର୍ଯ୍ଯ ବଢେ ଓ ଜୟବିଜୟ ଦ୍ବାର ଫିଟାଯାଏ। ତାପରେ ଠାକୁର ମାନେ ଝୁଲଣମଣ୍ଡପ ତଳେଥିବା ବିମାନରେ ବିଜେ କରନ୍ତି। ଏହିଠାରେ ଠାକୁରମାନଙ୍କର ରୁନ୍ଧା ବଢିବା ପରେ ବିମାନକୁ ଜଗନ୍ନାଥ ବଲ୍ଲଭ ମଠକୁ ନିଆଯାଏ।

ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖ ବଡ଼ଦାଣ୍ଡରେ ମୂଳିଆ ସୁଆଁସିଆ ଦେଇଥିବା କାଷ୍ଠ ନିର୍ମିତ ଭଦ୍ରାସନ ଉପରେ ଆସ୍ଥାନ ପ୍ରତିହାରୀ ଚାଉଳଗଛ ତିଆରି କରି ଦୀପ ବସାଇଥାନ୍ତି। ଏଠାରେ ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ଚାଉଳଗଛକୁ ସଂସ୍କାର କରନ୍ତି ଓ ମୁଦିରସ୍ତ ବନ୍ଦାପନା କରିଥାନ୍ତି। ତା’ ପରେ ସେଠାରୁ ଠାକୁରମାନେ ବାହୁଡାବିଜେ କରି ସ୍ବ ସ୍ବ ସ୍ଥାନକୁ ଯାଇଥାନ୍ତି। ଏହି ଅବସରରେ ଉଭୟ ଶ୍ରୀମନ୍ଦିର ଓ କାର୍ଯ୍ଯାଳୟକୁ ଦୀପମାଳାରେ ସୁସଜ୍ଜିତ କରାଯାଇଥାଏ। ଏହି ପାବନ ଯାତ୍ରା କାଳରେ ଯେଉଁମାନେ ଶ୍ରୀଜୀଉଙ୍କର ଦର୍ଶନ ଲାଭ କରନ୍ତି ସେମାନେ ଇହ ଲୋକରେ ସୁଖ ଓ ପରଲୋକରେ ବିଷ୍ଣୁଲୋକରେ ସ୍ଥାନ ଲାଭ କରନ୍ତି । ବାମଦେବ ସଂହିତାରେ ଏହି ଶ୍ରାଦ୍ଧ ବିଧାନର ସୁନ୍ଦର ବର୍ଣ୍ଣନା ଦେଖିବାକୁ ମିଳିଥାଏ। ଯଥା ;-

ପ୍ରତିମାଃ ସ୍ବପଦେ ରକ୍ଷେଦେତତ୍ ପଶ୍ଯତି ଯୋ ନରଃ।
ଇହ ଲୋକେ ସୁଖଂ ଭୁକ୍ତ୍ବା ବ୍ରଜେଦନ୍ତେ ହରୋଃ ପଦମ୍।।
( ବାମଦେବ ସଂହିତା)