ଓଡିଶୀକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦେବାକୁ ଗତବର୍ଷ କେନ୍ଦ୍ରକୁ ତିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ, ଆଜି କେନ୍ଦ୍ର ସ୍ପଷ୍ଟ କରିବ ଆଭିମୁଖ୍ୟ | News Room Odisha

ଓଡିଶୀକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦେବାକୁ ଗତବର୍ଷ କେନ୍ଦ୍ରକୁ ତିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ, ଆଜି କେନ୍ଦ୍ର ସ୍ପଷ୍ଟ କରିବ ଆଭିମୁଖ୍ୟ

ନୂଆଦିଲ୍ଲୀ – ଭାରତୀୟ ସଂଗୀତ ଜଗତରେ ଓଡିଶୀ ସଂଗୀତର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । କିନ୍ତୁ ଓଡିଶୀକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ମିଳିନାହିଁ । ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ବର୍ଷ ବର୍ଷର ଦାବିକୁ ଅଣଦେଖା କରିଆସିଛନ୍ତି । ଆଜି ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ରର ମତ ଜଣାପଡିବ । ଆଜି ଲୋକସଭାରେ ବିଜେଡି ସଦସ୍ୟ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ଉପସ୍ଥାପନ କରିବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ । ଆଜି ମନ୍ତ୍ରୀଙ୍କ ଉତ୍ତର ଉପରେ ସାରା ଓଡିଶାର ନଜର ରହିବ ।

ଏଠାରେ ସ୍ମରଣଯୋଗ୍ୟ ଯେ, ଗତବର୍ଷ ସେପଟେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଥିବା ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି କହିଥିଲେ । ଏଥିସହ ଓଡିଶୀ ସଂଗୀତ ସଂପର୍କରେ ବିସ୍ତୃତ ତଥ୍ୟ ମଧ୍ୟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚିଠିର ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏ ଦିଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ଆଜି ସଂସ୍କୃତି ମନ୍ତ୍ରୀ ଲୋକସଭାରେ ଏ ପ୍ରସଙ୍ଗରେ କଣ କହୁଛନ୍ତି, ତାହା ସ୍ପଷ୍ଟ ହେବ ।