ଅସହାୟ ବୃଦ୍ଧାଙ୍କୁ ଜରା ନିବାସରେ ସୁରକ୍ଷିତ ଆଶ୍ରୟ ଦେଲା ରଙ୍ଗେଇଲୁଣ୍ଡା ବ୍ଲକ୍ ପ୍ରଶାସନ | News Room Odisha

ଅସହାୟ ବୃଦ୍ଧାଙ୍କୁ ଜରା ନିବାସରେ ସୁରକ୍ଷିତ ଆଶ୍ରୟ ଦେଲା ରଙ୍ଗେଇଲୁଣ୍ଡା ବ୍ଲକ୍ ପ୍ରଶାସନ

ରଙ୍ଗେଇଲୁଣ୍ଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନସେବା ଆଭିମୁଖ୍ୟକୁ ପ୍ରାଥମିକତା ଦେଇ ଆସିଛି ରାଜ୍ୟର ପ୍ରଶାସନିକ କଳ। ବିଶେଷ କରି ଅସହାୟ, ଦୁଃସ୍ଥ ନାଗରିକଙ୍କ ଖବର ମିଳିଲା ମାତ୍ରେ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ସହ ସେମାନଙ୍କ ସେବା ଯତ୍ନ ପାଇଁ ଲାଗିପଡନ୍ତି। ସେମାନଙ୍କ ମୁଣ୍ଡ ଉପରେ ଛାତ, ପେଟକୁ ଦାନା କିଭଳି ମିଳିପାରିବ ସେହି ବ୍ୟବସ୍ଥା କରି ସେମାନଙ୍କ କଷ୍ଟ ନିବାରଣ ସକାଶେ ପ୍ରୟାସ କରିଥାଏ ପ୍ରଶାସନ। ଗୁରୁବାର ଦିନ ଏଭଳି ଏକ ନଜିର ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି।

ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଜଣେ ଦୁଃସ୍ଥ ବୃଦ୍ଧା ଓଲି ମହାରଣାଙ୍କ ସମ୍ପର୍କରେ ଖବର ମିଳିଥିଲା। ଅସହାୟ ବୁଢ଼ୀ ଜଣକ କନିସି ହାଟର ଏକ ଘର ବାରଣ୍ଡାରେ କୌଣସି ମତେ ମୁଣ୍ଡ ଗୁଞ୍ଜି ପଡ଼ି ରହିଥିଲେ। ନା ତାଙ୍କର ନିଜର ନିକଟତମ ସମ୍ପର୍କୀୟ ବୋଲି କେହି ଥିଲେ ନା ବୟସର ସାୟାହ୍ନରେ ତାଙ୍କର ସେବା ଶୁଶ୍ରୁଷା କରିବାକୁ କେହି ପାଖରେ ଥିଲେ। ଯିଏ ଯାହା ଦେଲେ ତାକୁ ଖାଇ ବର୍ଷା, ଶୀତ କାକରରେ ସେମିତି ପଡି ରହିଥିଲେ।

ତେବେ ବୃଦ୍ଧାଙ୍କ ଏପରି କଷ୍ଟକର ଅବସ୍ଥା ଉପରେ ସମୀର ନାମକ ଜଣେ ବ୍ୟକ୍ତିଙ୍କ ନଜର ପଡିଲା। ସେ ଏ ସମ୍ପର୍କରେ ରଙ୍ଗେଇଲୁଣ୍ଡା ବିଡିଓଙ୍କୁ ଅବଗତ କରାଇଥିଲେ। ଖବର ମିଳିଲା ମାତ୍ରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ। ବ୍ଲକ୍ ପ୍ରଶାସନର ଏକ ଗାଡ଼ିରେ ବୃଦ୍ଧା ଓଲିଙ୍କୁ ପୁରୁଷୋତ୍ତମପୁର ବ୍ଲକର ଏକ ଜରାନିବାସକୁ ପଠାଇଥିଲେ। ସେଠି ଅସହାୟ ବୃଦ୍ଧାଙ୍କ ସମସ୍ତ ଯତ୍ନ, ସେବାର ବ୍ୟବସ୍ଥା ମଧ୍ୟ କରାଇଥିଲେ।

ବିଡିଓ ପ୍ରସନ୍ନ ପାତ୍ର କହିଛନ୍ତି ଯେ- ରାଜ୍ୟ ସରକାରଙ୍କ ମୋ ସରକାର, ୫-ଟି ସ୍କିମ ଆଦିରେ ସାଧାରଣ ଲୋକ ଯେପରି ସମସ୍ତ ସୁବିଧା ସୁଯୋଗ ଏବଂ ସେମାନଙ୍କ ସମସ୍ୟା ନିବାରଣ ହେବା ସହ ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକେ ପାଇପାରିବେ ତାହାକୁ ପ୍ରଶାସନ ପ୍ରାଥମିକତା ଦେଇ ଆସୁଛି। ଫଳରେ ପ୍ରଶାସନ ଲୋକଙ୍କ ନିକଟତର ହୋଇପାରିଛି। ଜନସାଧାରଣଙ୍କ ସେବା ନିମନ୍ତେ ପ୍ରଶାସନ ସଦା ପ୍ରସ୍ତୁତ ରହିଛି।