ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର, ରାଜ୍ୟ ସରକାର ବହନ କରିବେ ବରଗଡ଼ - ନୂଆପଡ଼ା ରେଳ ଲାଇନ୍ ଜମି ଖର୍ଚ୍ଚ | News Room Odisha

ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର, ରାଜ୍ୟ ସରକାର ବହନ କରିବେ ବରଗଡ଼ – ନୂଆପଡ଼ା ରେଳ ଲାଇନ୍ ଜମି ଖର୍ଚ୍ଚ

ବରଗଡ଼ : ବରଗଡରୁ ନୂଆପଡାକୁ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପ ସଂକ୍ରାନ୍ତୀୟ ଆଲୋଚନା ଆଜି ବିଧାନସଭାରେ ହୋଇଛି । ଏହି ଅବସରରେ ଉକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ୧୪୨ କିମି ଦୈର୍ଘ୍ୟ ଏହି ରେଳ ଲାଇନ ପାଇଁ ଓଡିଶା ରେଳ ଇନଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଏହାର ସର୍ଭେ ଚୂଡାନ୍ତ କରିସାରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନରେ ଗୁରୁବାର ପଶ୍ଚିମ ଓଡିଶାର ଅନେକ ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉଦଥାପିତ ହୋଇଛି । ଏଥିରେ ବହୁ ପ୍ରତୀକ୍ଷିତ ବରଗଡ– ନୂଆପଡା ରେଳ ଲାଇନ୍‌ର ବର୍ତ୍ତମାନ ସ୍ଥିତି ନେଇ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ଉତଥାପନ କରିଥିଲେ । ୧୪୨ କିଲୋମିଟର ଦୈର୍ଘ୍ୟ ବରଗଡ଼ –ନୂଆପଡ଼ା ପ୍ରସ୍ତାବିତ ରେଳ ଲାଇନ୍ ପାଇଁ ଓଡ଼ିଶା ସରକାର ଅଧୁଗୃହୀତ ହେବାକୁ ଥିବା ସମସ୍ତ ଜମିର ଖର୍ଚ୍ଚ ବହନ କରିବାକୁ ଦେଇଥିବା ପ୍ରତିଶ୍ରୁତିର ବର୍ତ୍ତମାନ ସ୍ଥିତି କ’ଣ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ଉତଥାପନ କରିଥିଲେ ।

ଏହାର ଉତ୍ତର ରଖି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଜଏଣ୍ଟ ଭେନଚର୍ ମୋଡ୍‌ରେ ଉକ୍ତ ରେଳ ଲାଇନ୍‌ରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ରେଳ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡ୍ ଏହାର ସର୍ଭେ କରି ସାରିଛି ବୋଲି ସ୍ପଷ୍ଟ କରିଥିଲେ । ତେବେ ମୋଟ ୧୪୨ କିଲୋମିଟର ରେଳ ଲାଇନ୍ ପାଇଁ ଅଧୃହୀତ ହେବାକୁ ଥିବା ଜମି ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଶ୍ରୀ ବେହେରା । ଏନେଇ ସେ ସୂଚନା ଦେଇ କହିଛନ୍ତି ଯେ , ଆଉ ମାତ୍ର ୩୦୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇପାରିବ ବୋଲି ସୂଚନା ଦେଇଥିଲେ ।

ଏନେଇ ରେଳ ବୋର୍ଡ଼କୁ ରାଜ୍ୟ ସରକାରଙ୍କ ତରଫରୁ ଅବଗତ କରି ଓଆର୍‌ଆଇଡିଏଲ ଟ୍ରାଫିକ ଷ୍ଟଡ଼ି ଓ ଫାଇନାନ୍ସିଆଲ ଆପ୍ରାଇଜାଲ ରିପୋର୍ଟ ମଧ୍ୟ ବୋର୍ଡ଼ ପାଖରେ ଦାଖଲ କରାଯାଇଛି । ସମ୍ପୂର୍ଣ୍ଣ ଯାନ୍ତ୍ରୀକ ସର୍ଭେ , ଡିପିଆର ପ୍ରସ୍ତୁତି କରିବା ପାଇଁ ଓଆର୍‌ଆଇଡିଏଲ ବୋର୍ଡ଼କୁ ମାଗିଥିବା ପ୍ରାରମ୍ଭିକ ଅନୁମତି ବର୍ତ୍ତମାନ ଯାଏଁ ବିଚରାଧନ ଅଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ସ୍ପଷ୍ଟ କରିଥିଲେ । ଫଳରେ ଉକ୍ତ ପ୍ରକଳ୍ପର ଭବିଷ୍ୟତ ବର୍ତ୍ତମାନ ରେଳ ମନ୍ତ୍ରାଳୟ ଓ ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଥିବା ସ୍ପଷ୍ଟ ହୋଇଛି ।