ବ୍ରଜମଣ୍ଡଳ ପରିକ୍ରମା: ଭଗବାନ ଶ୍ରୀକୃଷ୍ଣଙ୍କ ମାନସରୁ ସୃଷ୍ଟ ଶ୍ରୀମାନସଗଙ୍ଗା | News Room Odisha

ବ୍ରଜମଣ୍ଡଳ ପରିକ୍ରମା: ଭଗବାନ ଶ୍ରୀକୃଷ୍ଣଙ୍କ ମାନସରୁ ସୃଷ୍ଟ ଶ୍ରୀମାନସଗଙ୍ଗା

ଶ୍ରୀମାନସଗଙ୍ଗା :- ମଥୁରା ଜିଲ୍ଲା ଗୋବର୍ଦ୍ଧନ ଅନ୍ତର୍ଗତ କୁସୁମ ସରୋବରର ଦେଢ଼ମାଇଲ ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି ବ୍ରଜମଣ୍ଡଳର ପ୍ରସିଦ୍ଧ ‘ଶ୍ରୀମାନସଗଙ୍ଗା’। ପୌରାଣିକ ମତ ଆଧାରରେ ଏହାର ଉତ୍ପତ୍ତି ସମ୍ବନ୍ଧରେ ଏକ ସୁନ୍ଦରକଥା ରହିଛି। ଥରେ ଗଙ୍ଗାସ୍ନାନ ଉଦେଶ୍ୟରେ ଶ୍ରୀନନ୍ଦ ମହାରାଜ ନିଜ ଗୋପବାସୀ ଗଣଙ୍କ ସହ ଯାତ୍ରାରେ ବାହାରି ଶ୍ରୀଗୋବର୍ଦ୍ଧନ ଉପକଣ୍ଠରେ ଆସି ରାତ୍ରିଯାପନ କଲେ। ଏହିସମୟରେ ଶ୍ରୀକୃଷ୍ଣ ଚିନ୍ତାକଲେ ଯେ ଏହିବ୍ରଜରେ ସମସ୍ତ ତୀର୍ଥ ଅବସ୍ଥାନ କରୁଛନ୍ତି। କେବଳମାତ୍ର ଗଙ୍ଗା ନାହାନ୍ତି। ତେଣୁ ଗଙ୍ଗାଙ୍କୁ ଉପସ୍ଥିତ ହେବାକୁ ସ୍ମରଣକଲେ। ପ୍ରଭୁଙ୍କ କଥାକୁ ଶିରୋଧାର୍ଯ୍ୟ କରି ଶ୍ରୀଶ୍ରୀଗଙ୍ଗା ତତ୍କ୍ଷଣାତ ମକର ବାହନରେ ସେଠାରେ ଉପସ୍ଥିତ ହେଲେ। ଏହାଦେଖି ବ୍ରଜବାସୀଗଣ ବିସ୍ମିତ ହେଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶରେ ସେଠାରେ ଗଙ୍ଗାସ୍ନାନ ସମ୍ପର୍ଣ୍ଣ କରି ନିଜର ମନବାଞ୍ଛ ପୂର୍ଣ୍ଣ କଲେ। ଶ୍ରୀକୃଷ୍ଣଙ୍କ ଆଦେଶରେ ଗଙ୍ଗା ବ୍ରଜରେ ଶ୍ରୀମାନସଗଙ୍ଗା ଭାବରେ ସେହିଦିନ ଠାରୁ ଅବସ୍ଥାନ କଲେ।

ଏହି ଶ୍ରୀମାନସଗଙ୍ଗାରେ ଭଗବାନ ଶ୍ରୀକୃଷ୍ଣ ନୌକା ବିଳାଶ ଲୀଳା କରିଥିଲେ। ଏକଦା ମଥୁରା ନିବାସୀ ବିପ୍ରଗଣ ଗୋବିନ୍ଦ କୁଣ୍ଡରେ ଏକ ଯଜ୍ଞର ଆୟୋଜନ କରିଥିଲେ। ଶ୍ରୀଶ୍ରୀ ପୌର୍ଣ୍ଣମାସି ଦେବୀ ଘୋଷଣା କଲେ କି ଯେଉଁମାନେ ଏହି ଯଜ୍ଞକୁ ହବ୍ୟାଦି ଦ୍ରବ୍ୟ ନେଇକି ଯିବେ ସେମାନଙ୍କ ପତି ଚିରାଜୀବୀ ହୋଇ ରହିବେ। ଏହିକଥା ଶ୍ରବଣକରି ଶ୍ରୀମତୀ ରାଧାରାଣୀ ଶ୍ରୀକୃଷ୍ଣଙ୍କ ଦର୍ଶନ ଲାଳସାରେ କିଛି ଗୋରସ ନେଇ ନିଜ ସଖୀ ମାନଙ୍କ ସହ ଆସିଲେ। ନଦୀପାର ସମୟରେ ଯେଉଁ ନୌକାରେ ସେମାନେ ଗଙ୍ଗା ପାର ହୋଇ ଥିଲେ ସେହି ନୌକାର ନାବିକ ଥିଲେ ସ୍ୱୟଂ ଶ୍ରୀକୃଷ୍ଣ। ପ୍ରତି ବଦଳରେ ଶ୍ରୀକୃଷ୍ଣ ସେମାନଙ୍କ ଠାରୁ ସୁନ୍ଦର ତରୁଣୀ ଟିଏ ମାଗିଥିଲେ। ବ୍ରଜଵାଲା ମାନେ ଏଥିରେ ମନା କରିବାରୁ ଭଗବାନ ଗଙ୍ଗା ମଝିରେ ନୌକାକୁ ଘୁରାଇବାକୁ ଲାଗିଲେ। ଏହାପରେ ବ୍ରଜଵାଲା ତାଙ୍କର ଶରଣାପର୍ଣ୍ଣ ହୋଇଥିଲେ। ଯୋଗମାୟାଙ୍କ ଆଦେଶରେ ସେଇ ନଦୀ ମଧ୍ୟରେ ଯୁଗଳ କିଶୋରଙ୍କ ମନୋରମ ସ୍ଥାନ ଆବିର୍ଭାବ ହୋଇଥିଲା।ଏବଂ ଅକସ୍ମାତ ନୌକା ଯଜ୍ଞ ସ୍ଥଳରେ ଉପନୀତ ହୋଇଥିଲା। ସେହି ସ୍ଥାନରେ ଯଜ୍ଞ ସମାପନ ସହିତ ସମସ୍ତେ ଯୁଗଳ ସରକାରଙ୍କୁ ଦର୍ଶନ କରି ନିଜର ମାନବାଞ୍ଛ ପୂର୍ଣ କରିଥିଲେ। କ୍ରୀଡା କୌତୁକରେ ଏହି ଗଙ୍ଗା ପାର ହୋଇଥିଲେ।

( କ୍ରମଶଃ)