ଆଜି ଗଞ୍ଜାମ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଭେଟିଦେବେ ୨୨୮୧ କୋଟି ଟଙ୍କାର ୧୨୯୯ ପ୍ରକଳ୍ପ | News Room Odisha

ଆଜି ଗଞ୍ଜାମ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଭେଟିଦେବେ ୨୨୮୧ କୋଟି ଟଙ୍କାର ୧୨୯୯ ପ୍ରକଳ୍ପ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାବାସୀ, ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣ, ଦଳୀୟ ନେତା ଓ କର୍ମୀଙ୍କ ସମେତ ସାଧାରଣ ଲୋକଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତ ଆରମ୍ଭ କରିବେ। ୨୦୧୯ ସାଧାରଣ ନିର୍ବାଚନ ପରେ କରୋନା ମହାମାରୀଜନିତ ବିକଟ ପରିସ୍ଥିତି ହେତୁ ଚାହୁଁଥିଲେ ବି ନିଜ ଜିଲ୍ଲା ବା ନିର୍ବାଚନମଣ୍ଡଳୀ ଗସ୍ତ କରିପାରୁ ନଥିଲେ ସେ। ଗୋଟିଏ ପଟେ କୋଭିଡ୍ ମହାମାରୀର ମୁକାବିଲା, ଆରପଟେ ନିଜେ ଏ କ୍ଷେତ୍ରରେ ଆଦର୍ଶ ସାଜି ଅନ୍ୟମାନଙ୍କୁ ଅନୁସରଣ କରିବା ପାଇଁ ପ୍ରେରଣା ଦେବାରେ ତତ୍ପର ଥିଲେ ସେ। କିନ୍ତୁ ଜିଲ୍ଲାବାସୀ କି ହିଞ୍ଜିଳି ବାସିନ୍ଦାଙ୍କ ଠାରୁ ଦୂରରେ ନଥିଲେ ସେ। ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ହେଉ କି ଇନ୍‌ଡୋର୍ ଷ୍ଟାଡିୟମ୍ ଉଦଘାଟନ ଅଥବା କରୋନା ମୁକାବିଲା କିମ୍ବା ନିଜ ଅଞ୍ଚଳର ବିକାଶ ପ୍ରସଙ୍ଗ, ଭିଡିଓ କନଫରେନ୍ସିଂ ଜରିଆରେ ସେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରୁଥିଲେ। ସେମାନଙ୍କ ସମସ୍ୟା ଓ ସୁବିଧା କଥା ବୁଝୁଥିଲେ। ସେମାନଙ୍କୁ କରୋନା ମୁକାବିଲା ସାଙ୍ଗକୁ ପ୍ରଗତିମୂଳକ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦେଇ ଆସୁଥିଲେ। ତେଣୁ ପ୍ରତ୍ୟକ୍ଷ ନହେଲେ ବି ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାବାସୀ, ନିଜ ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କ ସହ ଯୋଡ଼ି ହୋଇ ରହିଥିଲେ ମୁଖ୍ୟମନ୍ତ୍ରୀ। ତେବେ ପ୍ରାୟ ଅଢ଼ଇ ବର୍ଷର ବ୍ୟବଧାନ ପରେ ଯେତେବେଳେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ନିଜେ ପ୍ରତିନିଧିତ୍ବ କରୁଥିବା ଜିଲ୍ଲାରେ ପାଦ ଥାପିବେ, ଲୋକଙ୍କ ସହ ମିଶିବେ, ସେମାନଙ୍କ ପାଇଁ ଉନ୍ନୟନ ପ୍ରକଳ୍ପର ବହୁବିଧ ଉପହାର ଭେଟିଦେବେ, ସେତେବେଳେ ତାଙ୍କର ଟିକିଏ ଝଲକ ପାଇବା ପାଇଁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ଆଜି ପୂର୍ବାହ୍ନରୁ ଏହି ଲମ୍ବା ଅପେକ୍ଷାର ଇତି ହେବ।

ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠ ପରିଦର୍ଶନ ସାଙ୍ଗକୁ ସେଠାରେ ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏହାଦ୍ଵାରା ଗଞ୍ଜାମ ଜିଲ୍ଲାର ୨୫ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ନଗଦବିହୀନ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରୁ ଉପକୃତ ହୋଇପାରିବେ। ରାଜ୍ୟର ଅନ୍ୟତମ ବୃହତ୍ ଜିଲ୍ଲା ମଧ୍ୟ ଏଣିକି ରାଜ୍ୟ ସରକାରଙ୍କ ଏହି ମହତ୍ତ୍ଵପୂର୍ଣ୍ଣ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଯିବ। ପଡୋଶୀ ଗଜପତି ଓ କନ୍ଧମାଳ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ଅନେକ ଦିନରୁ ସାମିଲ ହୋଇ ସାରିଲେଣି। ପ୍ରତି ଜିଲ୍ଲାକୁ ନିଜେ ଗସ୍ତ କରି ମୁଖ୍ୟମନ୍ତ୍ରୀ ଏହି ବହୁମୁଖୀ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆରମ୍ଭ କରୁଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାର ପାଳି ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନିଜ ଜିଲ୍ଲାରେ ସ୍ବାଗତ କରିବାକୁ ତଥା ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ପ୍ରକ୍ରିୟାରେ ଏହି ଜିଲ୍ଲାକୁ ସାମିଲ କରିବାକୁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମଗ୍ର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ଗତ ଅନେକ ଦିନ ଧରି ଚାଲିଥିବା ପ୍ରସ୍ତୁତି ପର୍ବର ସୁଫଳ ଆଜି ଦେଖିବାକୁ ମିଳିବ। କହିବା ନିଷ୍ପ୍ରୟୋଜନ ଯେ- ଗଞ୍ଜାମ ଜିଲ୍ଲା ସବୁବେଳେ ନବୀନଙ୍କ ହୃଦୟରେ ରହି ଆସିଛି। ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ବା ପର୍ଯ୍ୟଟନ କିମ୍ବା କ୍ରୀଡ଼ାର ବିକାଶ, ପ୍ରତିଟି କ୍ଷେତ୍ରରେ ଗଞ୍ଜାମ ପ୍ରତି ତାଙ୍କ ଆତ୍ମୀୟତା ଝଲସି ଉଠିଛି।

ଗଞ୍ଜାମ ଜିଲ୍ଲାବାସୀଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭେଟିଦେବେ ୨୨୮୧. ୨୭ କୋଟି ଟଙ୍କାର ୧୨୯୯ଟି ପ୍ରକଳ୍ପ। ସେଥିରୁ ୫୭୦.୯୭ କୋଟିରେ ହୋଇଥିବା ୬୫୧ଟି ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୧୫୮୨.୯୯୪ କୋଟି ଟଙ୍କାରେ ହେବାକୁ ଥିବା ୬୪୫ ପ୍ରକଳ୍ପ ସକାଶେ ଶୁଭ ଦେବେ ସେ। ଏହାବାଦେ ୯୮ଟି ପଞ୍ଚାୟତକୁ ଗୋଟିଏ ଲେଖାଏଁ ବ୍ୟାଟେରୀ ପରିଚାଳିତ ଗାଡ଼ି ପ୍ରଦାନ କରିବେ ଯାହାର ମୋଟ ଖର୍ଚ୍ଚ ହେଉଛି ୨.୦୬ କୋଟି ଟଙ୍କା। ଏହାକୁ ବହୁମୁଖୀ ଉପଯୋଗ କରିହେବ। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ବ୍ୟାଙ୍କ୍ ଜରିଆରେ ବଣ୍ଟନ କରିବେ ୧୨୫ କୋଟି ଟଙ୍କାର ଋଣ ଯାହାଦ୍ଵାରା ଜିଲ୍ଲାରେ ନାରୀ ସଶକ୍ତୀକରଣକୁ ଅଧିକ ବଳ ମିଳିବ। ସେହିପରି ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସକାଶେ ଆରମ୍ଭ କରିବେ ଗଞ୍ଜାମ ଦର୍ଶନ ବସ୍ ସେବା। ୩୦ ଲକ୍ଷ ଟଙ୍କା ବ୍ୟୟରେ ଆସିଥିବା ଏହି ଅତ୍ୟାଧୁନିକ ଆରାମଦାୟକ ବସ୍‌ରେ ପର୍ଯ୍ୟଟକମାନେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଟୁରିଷ୍ଟ ସ୍ପଟ୍ ବୁଲି ଦେଖିପାରିବେ ଓ ଯାତ୍ରା କାଳରେ ସମସ୍ତ ସେବା ସୁବିଧା ପାଇପାରିବେ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗର ୭.୧୪ କୋଟି ଟଙ୍କାର ୮୯ଟି ପ୍ରକଳ୍ପ ଉଦ୍‌ଘାଟନ କରିବେ ଏବଂ ୧.୧୫ କୋଟି ଟଙ୍କାରେ ହେବାକୁ ଥିବା ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୪୨.୭୬ କୋଟି ଟଙ୍କାରେ ନିର୍ମିତ ୧୩୮ଟି ରାସ୍ତା ଡ୍ରେନ୍– କୋଠା ଓ ପୋଲ ଉଦ୍‌ଘାଟନ କରିବେ ଓ ୫୯୭.୧୫ କୋଟି ଟଙ୍କାର ୧୩୧ଟି ଏଭଳି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ। ପରିମଳ- ପରିବେଶ ସଂରକ୍ଷଣ- ମୌଳିକ ସୁବିଧା ବାବଦ ୪୭.୪୭ କୋଟିରେ ନିର୍ମିତ ୯୮ଟି ପ୍ରକଳ୍ପ ଆରମ୍ଭ କରିବେ ତଥା ୭୯.୮୬ କୋଟିରେ ଏଭଳି ଆଉ ୩୧ଟି ପ୍ରୋଜେକ୍ଟ ପାଇଁ ଶୁଭ ଦେବେ। ୨୧୯.୪୦ କୋଟି ଟଙ୍କାରେ ନିର୍ମିତ ଶିକ୍ଷା- ସ୍ୱାସ୍ଥ୍ୟ- ପାନୀୟ ଜଳଯୋଗାଣ ସମ୍ବନ୍ଧିତ ୨୮୯ଟି ପ୍ରକଳ୍ପ ଉଦ୍‌ଘାଟନ କରିବେ ତ ୭୬୧.୪୫ କୋଟିର ଏପରି ଅନ୍ୟ ୪୩୯ଟି ପ୍ରକଳ୍ପ ସକାଶେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ୩୬ ଲକ୍ଷ ଟଙ୍କାରେ ଜୀବିକା ମିଶନ୍‌ର ୩ଟି ଭିଭିଭୂମି ପ୍ରକଳ୍ପକୁ ଲୋକାର୍ପିତ କରିବେ ତ ଆଉ ୨ଟି ପ୍ରକଳ୍ପ ଯାହାର ମୂଲ୍ୟ ୪.୪୪ କୋଟି ଟଙ୍କା ହେବ ସେଥିନିମନ୍ତେ ଭିତ୍ତିସ୍ଥାପନ କରିବେ ସେ। ୯.୬୬ କୋଟି ଟଙ୍କାରେ ନିର୍ମିତ ୨୫ଟି କ୍ରୀଡା ଭିତ୍ତିଭୂମି- ଓପନ୍‌ ଜିମ୍- ପାର୍କ ଆରମ୍ଭ କରିବେ ଏବଂ ଆଉ ୬୦.୭୬ କୋଟିରେ ଏଭଳି ୨୧ଟି କାର୍ଯ୍ୟର ଶୁଭ ଦେବେ। ୨୫ ଲକ୍ଷ ଟଙ୍କାରେ ନିର୍ମିତ ଗୋଟିଏ ଖାଦ୍ୟ ସୁରକ୍ଷା ପ୍ରକଳ୍ପ, ୩୩.୨୧ କୋଟି ଟଙ୍କାରେ ନିର୍ମିତ ୨ଟି ଆଶ୍ରୟ ସ୍ଥଳ (ସେଲ୍‌ଟର୍ ହୋମ୍), ୧୦.୭୨ କୋଟି ଟଙ୍କାରେ ନିର୍ମିତ ୬ଟି ପର୍ଯ୍ୟଟନ ବିକାଶ ସମ୍ବନ୍ଧିତ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ। ୨୪.୭୯ କୋଟିରେ ପର୍ଯ୍ୟଟନ ବିକାଶ ସମ୍ବନ୍ଧୀୟ ଗୋଟିଏ ଏବଂ ୫୩.୩୪ କୋଟିରେ ୧୪ଟି ଖାଦ୍ୟ ପ୍ରକ୍ରିୟାକରଣ ଓ ଗଚ୍ଛିତ ପ୍ରକଳ୍ପ ନିମନ୍ତେ ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ | ଉଲ୍ଲେଖନୀୟ ଭାବେ ଜିଲ୍ଲାର ଏକମାତ୍ର ମହାନଗର ବ୍ରହ୍ମପୁରବାସୀଙ୍କ ନିମନ୍ତେ ୩୨.୭୫ କୋଟିରେ ନିର୍ମିତ ବହୁମୁଖୀ ଜରା ନିବାସ, ୧୩.୪୦ କୋଟି ଟଙ୍କାରେ ନିର୍ମିତ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ କୋଠା ଆଦି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ଉଦ୍‌ଘାଟିତ ହେବ। ସେହିପରି ୨୯.୩୪ କୋଟି ଟଙ୍କା ଖର୍ଚ୍ଚରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିଭିଭୂମିର ବିକାଶ ପ୍ରକଳ୍ପ ଲୋକାର୍ପିତ କରିବେ ସେଠିକାର ବାସିନ୍ଦାଙ୍କ ପ୍ରିୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାରାତାରିଣୀ ପୀଠର ଭବ୍ୟ ରୂପାନ୍ତରଣ ଘଟିଛି। ଦିନ ଥିଲା ଯେଉଁଠି ଯାତ୍ରୀଙ୍କୁ ବହୁ କଷ୍ଟ ସ୍ଵୀକାର କରି କୁମାରୀ ପର୍ବତ ଶିଖରରେ ଥିବା ଦେବୀ ମନ୍ଦିରରେ ପହଞ୍ଚିବାକୁ ପଡୁଥିଲା। ଏବେ କିନ୍ତୁ କେବଳ ମନ୍ଦିର ନୁହେଁ, ଏହା ଚତୁଃପାର୍ଶ୍ବର ନବକଳେବର ଘଟିଛି। ଆଗାମୀ ଦିନରେ ଏହା ଏକ ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଲୋକାଦୃତ ହେବ ସେଥିପାଇଁ ପର୍ଯ୍ୟଟକଙ୍କ ସକାଶେ ସମସ୍ତ ସୁବିଧା ସୁଯୋଗ ପ୍ରସ୍ତୁତ କରାଯାଉଛି। ସିଂହଦ୍ଵାର ହେଉ କି ତୀର୍ଥଯାତ୍ରୀଙ୍କ ସକାଶେ ଯାବତୀୟ ସୁବିଧା ସୁଯୋଗ, ପାଦଚଲା ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ଅଭ୍ୟର୍ଥନା କେନ୍ଦ୍ର, ମୁଣ୍ଡନ ପ୍ରକୋଷ୍ଠ, ସର୍ବସାଧାରଣ ଶୌଚାଳୟ ସାଙ୍ଗକୁ ପାହାଡ଼ ଉଚ୍ଚରେ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ଏବେ ଦେଶବିଦେଶର ପରିଭ୍ରମଣକାରୀଙ୍କୁ ଆକୃଷ୍ଟ କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ସେଥିପାଇଁ ତ ତାରାତାରିଣୀ ପୀଠର ମୁଖ୍ୟ ପୂଜକ ବାପୁଜୀ ରଣା କହନ୍ତି “ଏହି ମନ୍ଦିର ଏକ ଭବ୍ୟ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର ଭାବେ ରୂପାନ୍ତରିତ ହୋଇଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇ ତୀର୍ଥଯାତ୍ରୀମାନେ ବେଶ୍ ସନ୍ତୁଷ୍ଟ। କେଇ ଶହ ବର୍ଷ ହେଲା ଏଠି ରହିଥିବା ମନ୍ଦିର ଓ ବର୍ତ୍ତମାନର ପୀଠରେ ସମ୍ପୂର୍ଣ୍ଣ ଭିନ୍ନତା ରହିଛି। ରାଜ୍ୟ ବା ଦେଶର ଅନ୍ୟ ଯେକୌଣସି ପ୍ରସିଦ୍ଧ ପୀଠ ତୁଳନାରେ ଏହା ଏବେ କୌଣସି ଗୁଣରେ କମ୍ ନୁହେଁ”।

୫-ଟି ଚିନ୍ତାଧାରାରୁ ପ୍ରେରଣା ପାଇ ଗଞ୍ଜାମ ପ୍ରଶାସନ ଜିଲ୍ଲାର ଉଚ୍ଚବିଦ୍ୟାଳୟ ଗୁଡ଼ିକୁ ସର୍ବୋତ୍କୃଷ୍ଟ ଶିକ୍ଷାଗ୍ରହଣ କେନ୍ଦ୍ରରେ ପରିଣତ କରାଇବାରେ ଲାଗିପଡ଼ିଛି। ଏବେ ଅତ୍ୟାଧୁନିକ ସ୍ମାର୍ଟ କ୍ଲାସ୍ ରୁମ୍, ଡିଜିଟାଲ ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, ଖେଳ ପଡ଼ିଆ, ଶୌଚାଳୟ, ସବୁଜିମା ଭରା ପରିବେଶ, ସୁରକ୍ଷିତ ପାଚେରୀ ଆଦି ଯାବତୀୟ ସୁବିଧାରେ ଭରପୁର ରୂପାନ୍ତରିତ ଶିକ୍ଷାନୁଷ୍ଠାନ ପାଲଟିଛି ଜିଲ୍ଲାର ଶତାଧିକ ଉଚ୍ଚବିଦ୍ୟାଳୟ। ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ସରପଞ୍ଚ ବିଷ୍ଣୁପ୍ରିୟା ନାୟକ କହନ୍ତି “ଆମର ବିଦ୍ୟାଳୟଗୁଡ଼ିକ ଆଧୁନିକ ସୁବିଧା ସହ ରୂପାନ୍ତରିତ ହୋଇଛି। ନୂତନ ଭିତ୍ତିଭୂମି ସହ ଆମ ପିଲାଏ ପାଠ ପଢ଼ିବାକୁ ପୂର୍ବାପେକ୍ଷା ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ନୂତନ ବିଦ୍ୟାଳୟ କୋଠାରେ ରହିଛି କମ୍ପ୍ୟୁଟର କକ୍ଷ ଓ ଇ-ଲାଇବ୍ରେରୀ। ଆମେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଆତୁରତାର ସହ ଅପେକ୍ଷା କରି ରହିଛି। ତାଙ୍କ ସ୍ବାଗତ ପାଇଁ ବିରାଟ ପ୍ରସ୍ତୁତି କରାଯାଇଛି।

ସବୁ ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ୧୦ଟା ୩୦ରେ ମା’ ତାରାତାରିଣୀ ପୀଠ ନିକଟ ନରସିଂହପୁର ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ ମନ୍ଦିରକୁ ଯାଇ ଦର୍ଶନ କରିବେ। ପରେ ପୀଠ ପାଦଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏସ୍‌କେୱାଇ କାର୍ଡ ବାଣ୍ଟିବା ସହ ଡିଜିଟାଲ୍ ମାଧ୍ୟମରେ ସମସ୍ତ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ତଥା ଶିଳାନ୍ୟାସ କରିବେ। ସେଠାରେ ଉଦ୍‌ବୋଧନ ଦେଇ ପୁଣି ତାରାତାରିଣୀ ପୀଠ ପ୍ରସାଦ ସେବନ ମଣ୍ଡପକୁ ଯିବେ। ଜଣେ ସାଧାରଣ ବ୍ୟକ୍ତି ଭାବେ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ସହ ପ୍ରସାଦ ସେବନ କରିବେ ସେ। ମୁଖ୍ୟମନ୍ତ୍ରୀ କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ହେତୁ ତୃଣମୂଳସ୍ତରର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ଏହି ଅବସରରେ ଆଲୋଚନା କରି ସେମାନଙ୍କ ଉତ୍ସାହ ବୃଦ୍ଧି କରିବେ ଓ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିବେ। ଏହି କାର୍ଯ୍ୟକ୍ରମ ପରେ ହେଲିକେପ୍ଟର ଯୋଗେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍‌ରେ ପହଞ୍ଚି ବିଜୁ ପଟ୍ଟନାୟକ ଛକକୁ ଯାଇ ସେଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏସ୍ଏଚ୍‌ଜି ସଦସ୍ୟାଙ୍କୁ ୧୨୫ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ପ୍ରଦାନ ସହ ବ୍ୟାଟେରୀ ଚାଳିତ ଭ୍ୟାନ୍ ବିତରଣ, ଗଞ୍ଜାମ ଦର୍ଶନ ବସ୍ ସେବା ଆରମ୍ଭ କରିବେ ସେ। ବେଶ୍ ବ୍ୟବଧାନ ପରେ ନିଜ ପାଖକୁ ଆସୁଥିବା ନିଜର ପ୍ରିୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀ ଓ ନାଗରିକଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯିବ। ସେଠାରୁ ବୃନ୍ଦାବନ ବିଦ୍ୟାପୀଠକୁ ଯାଇ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟ ଦେଖି ଭୁବନେଶ୍ୱର ଫେରିଯିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ବିରୋଧୀ ଦଳର ହୀନ ହରକତକୁ ରୋକିବା ପାଇଁ ୧୩ ପ୍ଲାଟୁନ୍ ଓ ତାରାତାରିଣୀ ଠାରେ ୧୦ ପ୍ଲାଟୁନ୍‌ ଫୋର୍ସ ସମେତ ବହୁ ଅଧିକାରୀ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ହିଞ୍ଜିଳିକାଟୁ ସହର ଦେଇ ଟ୍ରାଫିକ୍ କିଛି ମାତ୍ରାରେ ନିୟନ୍ତ୍ରିତ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ସାଙ୍ଗକୁ ଅଣ୍ଡା ମାଡ଼ ଓ କଳା ପତାକା ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ପାଇଁ ସ୍ଥାନୀୟ ବିଜେପି ଓ କଂଗ୍ରେସ ନେତାଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି। ତେବେ ଚଳିତ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଥିବାରୁ ତାଙ୍କୁ ଦେଖିବାକୁ, ତାଙ୍କୁ ଶୁଣିବାକୁ, ତାଙ୍କ କାର୍ଯ୍ୟକ୍ରମରେ ଭାଗ ନେବାକୁ ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ କେଇଗୁଣା ବୃଦ୍ଧି ପାଇଛି। ତାଙ୍କ ଯାଆସ ରାସ୍ତାରେ ତାଙ୍କୁ ଅପେକ୍ଷା କରି ଦେଖିବାକୁ ଲୋକେ ଉତ୍ସୁକତାର ସହ ଚାହିଁ ରହିଛନ୍ତି।

BSKY Smart Health CardChief Minister Naveen PatnaikGanjam