ଇଡ୍‌କୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର | News Room Odisha

ଇଡ୍‌କୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଇଡ୍‌କୋ ସମ୍ମିଳନୀ କକ୍ଷଠାରେ ୨୫ ଜଣଙ୍କୁ ଡେପୁଟି ମ୍ୟାନେଜର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଶିଳ୍ପ , ଶକ୍ତି , ଏମ୍ଏସ୍ଏମ୍ଇ , ଗୃହ ରାଜ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ନୂତନ ଅଧିକାରୀମାନଙ୍କୁ ସମ୍ବୋଧନ କରି ଓଡ଼ିଶାର ଚିତ୍ର ବଦଳାଇବାରେ ଓଡ଼ିଶା ଉଦ୍ୟୋଗିକ ଭିତ୍ତିଭୂମି ବିକାଶ ନିଗମ ( ଇଡ୍‌କୋ ) ପ୍ରମୁଖ ଭୂମିକା ନେଇଛି ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍ ମିଶ୍ର ପ୍ରକାଶ କରିଥିଲେ ।

ଓଡ଼ିଶାକୁ ଟ୍ରିଲିୟନ ଅର୍ଥନୀତିର ଅଂଶବିଶେଷ ଭାବେ ପରିଗଣିତ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ବାସ୍ତବରେ ପରିଣତ କରିବା ପାଇଁ ଏହି ଯୁବ ଅଧିକାରୀମାନେ ପ୍ରଥମ ଦିନରୁ ସଂକଳ୍ପବଦ୍ଧ ହୋଇ ରାଜ୍ୟ ପାଇଁ କାମ କରିବାକୁ ହେବ ବୋଲି ସେ ଆହ୍ଵାନ ଦେଇଥିଲେ । ନିକଟରେ ଇଡ୍‌କୋ ଦ୍ଵାରା କୃଷି ଭବନ , ୱାର୍ଲଡ ସ୍କିଲ ସେଣ୍ଟର , ଓ – ହବ୍ ଭଳି ଅତ୍ୟାଧୁନିକ ଅଟ୍ଟାଳିକା ନିର୍ମାଣ ରାଜ୍ୟକୁ ସ୍ଵତନ୍ତ୍ର ପରିଚୟ ଦେଇଥିବା ଉଲ୍ଲେଖ କରି ଆଗାମୀ ଦିନରେ ଆହୁରି ଏଭଳି ଚମତ୍କାର ନିର୍ମାଣର ଦାୟିତ୍ଵ ନେବାକୁ ପ୍ରସ୍ତୁତ ହେବାକୁ ସେ କହିଥିଲେ ।

ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଲୋକଙ୍କ ସହ କାମ କରିବା ବେଳେ ସର୍ବଦା ନମ୍ରତା ଓ ସମ୍ମାନ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ସହ ନିଜକୁ ଅନ୍ୟଠାରୁ ଶିଖିବାରେ ପ୍ରସ୍ତୁତ ରଖିବାକୁ ହେବ । ନିଜର ମଧୁର ବ୍ୟବହାର ସରକାରଙ୍କ ଉତ୍ତମ ଭାବମୂର୍ତ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ । ସରକାରୀ ଅଧିକାରୀଙ୍କ ଉପରେ ଲୋକଙ୍କ ନଜର ରହିଥାଏ ତେଣୁ ଭଲକାମ କରିବାକୁ ହେବ ବୋଲି ନବନିଯୁକ୍ତ ଅଧିକାରୀମାନଙ୍କୁ ସେ ସମ୍ବୋଧୂତ କରିଥିଲେ ।

ଇଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ . କ୍ରିଷ୍ଣନ୍ କୁମାର ଏହି ଅବସରରେ ଯୁବ ଅଧିକାରୀମାନଙ୍କୁ ନିଜର ଦକ୍ଷତା ଓ ବୁଦ୍ଧିମତ୍ତା ନିମନ୍ତେ ସରକାରୀ ଚାକିରୀ ପାଇଥିବା ଦର୍ଶାଇ ଦେଶ ସେବା ନିମନ୍ତେ ସୁଯୋଗ ପାଇଥିବା ଅଳ୍ପ ଲୋକଙ୍କ ମଧ୍ୟରେ ତୁମେ ରହିଛ ବୋଲି କହିଥିଲେ । ପ୍ରାରମ୍ଭରେ ଇଡ୍‌କୋର ନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ମୁଖ୍ୟ ସାଧାରଣ ପରିଚାଳକ ଡ . ଗଣେଶ୍ଵର ଜେନା ଏହି ନିଯୁକ୍ତି ପ୍ରକ୍ରିୟାକୁ କିପରି ଯୁଦ୍ଧକାଳୀନ ଭିତ୍ତିରେ ସଂଚାଳନ କରି ଦୀର୍ଘ ବର୍ଷ ପରେ ସ୍ଵାଧୀନ ଭାବେ ନିଗମ ଏହି ନିଯୁକ୍ତି ପ୍ରଦାନ କରିଥିବା ସୂଚାଇ ଥିଲେ । ନବ ନିଯୁକ୍ତ ଏହି ଅଧିକାରୀମାନଙ୍କୁ ଅବଗତ କାର୍ଯ୍ୟକ୍ରମରେ ସାମିଲ କରି ଇଡକୋ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରିବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିବା ପ୍ରକାଶ ।