ମିଶନ୍ ଶକ୍ତି ରକ୍ତଦାନ ଶିବିର: ୩୦ ୟୁନିଟ ସଂଗ୍ରହ | News Room Odisha

ମିଶନ୍ ଶକ୍ତି ରକ୍ତଦାନ ଶିବିର: ୩୦ ୟୁନିଟ ସଂଗ୍ରହ

ଛତ୍ରପୁର: ନାରୀ ଶକ୍ତି ଏବେ ରାଜ୍ୟରେ ବେଶ୍ ସଙ୍ଗଠିତ ଓ ସକ୍ରିୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତୀକରଣ ଅଭିଯାନ ଅନ୍ତର୍ଗତ ମିଶନ୍ ଶକ୍ତି ବିଭାଗ ସୃଷ୍ଟି ସାଙ୍ଗକୁ ସ୍ବୟଂ ସହାୟିକା ଗୋଷ୍ଠୀକୁ ଆର୍ଥିକ ଅନୁଦାନ, ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କୁ ନିୟୋଜନ ଫଳରେ ରାଜ୍ୟରେ ଏବେ ନାରୀ ଶକ୍ତି ବେଶ୍ ଶକ୍ତ ଓ ସ୍ୱାବଲମ୍ବୀ ହୋଇପାରିଛି। ଫଳରେ ସେମାନେ ନୂଆ ନୂଆ ତଥା ନିଆରା ପଦକ୍ଷେପ ନେଇ ବିକାଶର ପଥରେ ଆଗେଇ ଚାଲିଛନ୍ତି। ପ୍ରଗତିର ଅଗ୍ରଦୂତ ପାଲଟିଛନ୍ତି ମହିଳା। କେଉଁଠି ପରିମଳ ପରିଚାଳନା କ୍ଷେତ୍ରରେ ଆଦର୍ଶ ସାଜିଛନ୍ତି ତ କେଉଁଠି ଉଦ୍ୟୋଗୀ ସାଜି ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛନ୍ତି। ସରକାରଙ୍କ ବିଭିନ୍ନ ପୁଷ୍ଟିକର ଯୋଜନାକୁ ସାକାର କରିବାରେ ଅଗ୍ରଣୀ ରହିଛନ୍ତି ତ ପୁଣି ହିଞ୍ଜିଳିକାଟୁ, ବ୍ରହ୍ମପୁର ଆଦି ସହରରେ ‘ବସ୍ତ୍ର’ ଉପହାର କେନ୍ଦ୍ର ସୁପରିଚାଳନା କରି ସମାଜସେବା କ୍ଷେତ୍ରରେ ମଧ୍ୟ ପଥପ୍ରଦର୍ଶକ ହୋଇପାରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ମଜବୁତ ରାଜ୍ୟର ନାରୀ ଶକ୍ତି ଏବେ ନୂଆ ନୂଆ ପଦକ୍ଷେପ ହାତକୁ ନେବାରେ ଲାଗିଛନ୍ତି। ଛତ୍ରପୁର ବ୍ଲକ୍‌ର ମିଶନ୍ ଶକ୍ତି ଓ ମହିଳା ଏସ୍ଏଚ୍‌ଜି ସଭ୍ୟମାନେ ନିଜସ୍ବ ଦମ୍ଭରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ କରିଥିଲେ। ମହିଳାମାନେ ରକ୍ତଦାନ କ୍ଷେତ୍ରରେ ଆଗେଇ ଆସନ୍ତୁ ଏହି ଉଦ୍ଦେଶ୍ୟ ଥିଲା ଯାହା ସଫଳ ମଧ୍ୟ ହୋଇଛି। ଏହି ଶିବିରରୁ ସଂଗୃହିତ ହୋଇଛି ୩୦ ୟୁନିଟ୍ ରକ୍ତ। ସମସ୍ତଙ୍କ ଜୀବନ ବହୁ ମୂଲ୍ୟବାନ, ରକ୍ତ ଅଭାବରୁ କାହାରିକୁ ମରିବାକୁ ନ ଦେବା, ରକ୍ତଦାନ ମହତ୍ ଦାନ ବାର୍ତ୍ତା ପ୍ରଚାର କରିଥିଲା ଏହି ଶିବିର। ପ୍ରଥମଥର ଛତ୍ରପୁରର ମହିଳା ଗୋଷ୍ଠୀଙ୍କ ପକ୍ଷରୁ ମିଶନ୍ ଶକ୍ତି ସହଯୋଗରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଏହି ରକ୍ତଦାନ ଶିବିର ହୋଇଥିଲା। ଗଞ୍ଜାମ ଏଏସ୍‌ପି ବିଜୟ କୁମାର ମଲ୍ଲିକ, ଇନ୍ସପେକ୍ଟର ପ୍ରଦୀପ କୁମାର ଦାଶ, ବରିଷ୍ଠ ଡାକ୍ତର ସୁଦର୍ଶନ ସାହୁ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇ ଥିଲା। ଛତ୍ରପୁର ପ୍ରେସ୍ କ୍ଲବ୍ ସଦସ୍ୟମାନେ ସହଯୋଗ କରିଥିଲେ।

ମହିଳା ଗୋଷ୍ଠୀଙ୍କ ଏହିପରି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ ପାଲଟିଛି। ଉଲ୍ଲେଖଯୋଗ୍ୟ ଯେ- ଛତ୍ରପୁର ମିଶନ୍ ଶକ୍ତି ତଥା ସ୍ଥାନୀୟ ବହୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପୂର୍ବରୁ ମଧ୍ୟ ଅନେକ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ଆସୁଛନ୍ତି। ଅସହାୟ ବୃଦ୍ଧ ଦମ୍ପତିଙ୍କୁ ଥଇଥାନ, ଗରିବ ପରିବାରର ଝିଅ ବିବାହ ପାଇଁ ଆର୍ଥିକ ସହଯୋଗ, ଶୁଦ୍ଧି କ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ପ୍ରଶଂସା ସାଉଁଟି ଆସିଛନ୍ତି। ଆଉ ଆଜି ରକ୍ତଦାନ ଶିବିର ଆୟୋଜନ କରି ଏହି ନିଆରା ପଦକ୍ଷେପ ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।