ବରଗଡ ଜିଲ୍ଲାରେ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ | News Room Odisha

ବରଗଡ ଜିଲ୍ଲାରେ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ

ବରଗଡ: ଲଘୁଚାପ ଯୋଗୁଁ ସୋମବାର ରାତିରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଲାଗି ରହିଛି। ପବନ ସହ ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ବ୍ୟାହତ ହୋଇଛି। ତେବେ ଏଥିରେ ବହୁ ସ୍ଥାନରେ ବ୍ୟାପକ ଫସଲ ହାନି ହୋଇଥିବା ଜଣାପଡିଛି। ବିଶେଷ କରି ବରଗଡ ଜିଲ୍ଲାରେ କୁଆପଥର ମାଡ ଯୋଗୁଁ ଉଭୟ ଧାନ ଓ ପନିପରିବା ଫସଲ ଗୁରୁତର ଭାବେ ନଷ୍ଟ ହୋଇଥିବା ସୂଚନା ମିଳିଛି।

ଲଘୁଚାପ ଯୋଗୁଁ ସୋମବାର ରାତିରୁ ଝିପି ଝିପି ବର୍ଷା ସାରା ପଶ୍ଚିମ ଓଡ଼ିଶାରେ ଲାଗି ରହିଛି। ତେବେ ବରଗଡ ଜିଲ୍ଲାର ଅମ୍ବାଭୋନା, ଭଟଲି, ସୋହେଲା ଆଦି ବ୍ଲକ୍‌ର ଅନେକ ସ୍ଥାନରେ ଝଡ ବର୍ଷା ସହ କୁଆପଥର ମାଡ ହୋଇଛି। ଗତକାଲି ରାତିରେ ଏତେ ମାତ୍ରାରେ କୁଆପଥର ବର୍ଷା ହୋଇଥିଲା ଯେ ଘର ଅଗଣାରୁ ଆରମ୍ଭ କରି ବିଲରେ ଏକ ମୋଟା ଆସ୍ତରଣ ଜମିଯାଇଥିଲା। ଫଳରେ ଖଳାରେ ଥିବା କଟା ଧାନରୁ ଆରମ୍ଭ କରି କଟା ହୋଇନଥିବା ଅମଳକ୍ଷମ ଧାନ ନଷ୍ଟ ହୋଇଯାଇଛି। ସେହିପରି ସବୁ ପ୍ରକାର ପନିପରିବା ବି ଗୁରୁତର ଭାବେ ନଷ୍ଟ ହୋଇଯାଇଛି। ଫଳରେ ଅମଳ ବେଳେ ଏହି ବିପର୍ଯ୍ୟୟ ଚାଷୀକୁ ଚିନ୍ତାରେ ପକାଇ ଦେଇଛି।