ଓଡ଼ିଶାର ଗୌରବ: 'ସ୍ପାଇଡର ମ୍ୟାନ୍-ନୋ ଓ୍ବେ ହୋମ୍'ରେ ସିଲଭିଆ | News Room Odisha

ଓଡ଼ିଶାର ଗୌରବ: ‘ସ୍ପାଇଡର ମ୍ୟାନ୍-ନୋ ଓ୍ବେ ହୋମ୍’ରେ ସିଲଭିଆ

ବ୍ରହ୍ମପୁର: ଏମିତିରେ ତ ଅନେକ ଓଡ଼ିଆ ଦେଶବିଦେଶରେ ସୁନାମ ଅର୍ଜନ କରିଛନ୍ତି। ସେ ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଓଡ଼ିଆ ଯୁବତୀ ସିଲଭିଆ ମହାପାତ୍ର। ହଲିଉଡରେ ନିଜ କମାଲ ଦେଖାଇଛନ୍ତି ସିଲଭିଆ। ନିକଟରେ ଦେଶ ବିଦେଶରେ ରିଲିଜ ହୋଇଥିବା ମାର୍ଭେଲଙ୍କ ମେଗା ସିନେମା ପ୍ରକଳ୍ପ ‘ସ୍ପାଇଡର ମ୍ୟାନ୍-ନୋ ଓ୍ବେ ହୋମ୍’ ବକ୍ସ ଅଫିସରେ ଧମାକା ଦେଖାଇଛି। ସପ୍ତାହକରେ ୬୫୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଭାରତରେ ପ୍ରଥମ ଦଶ ଦିନରେ ୧୬୫ କୋଟି ଟଙ୍କାର ବ୍ୟବସାୟ କରି ସିନେପ୍ରେମୀଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି। ତେବେ ଓଡ଼ିଶା ପାଇଁ ଏହି ସିନେମାର ମହତ୍ତ୍ବ ହେଲା ଯେ ଏହି ହଲିଉଡ ମୁଭିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରର ଓଡ଼ିଆ ଯୁବତୀ ସିଲଭିଆ ମହାପାତ୍ରଙ୍କ ଏକ ବିଶେଷ ଭୂମିକା ରହିଛି। ସିଲଭିଆ ଏହି ସିନେମାର ସେଟ୍ ଡିଜାଇନ୍ କରିଛନ୍ତି। ସିଲଭିଆ ହେଉଛନ୍ତି ଆମେରିକାରେ କାର୍ଯ୍ୟରତ ତଥା ଖଲ୍ଲିକୋଟର ମୂଳ ନିବାସୀ ଡ. ଅଜିତ ମହାପାତ୍ରଙ୍କ ଜ୍ୟେଷ୍ଠ କନ୍ୟା।

ସିଲଭିଆ ଜାମ୍ବିଆ, ବୋତସଓ୍ବାନା ଏବଂ ଆମେରିକାର ଆଟଲାଣ୍ଟା ଠାରେ ଥିବା ଜିଓର୍ଜିଆ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଶିକ୍ଷା ଗ୍ରହଣ କରିଛନ୍ତି। ସିଲଭିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଟମ୍ ହୋଲାଣ୍ଡଙ୍କ ଏହି ସିନେମାରେ ସକ୍ରିୟ କାର୍ଯ୍ୟ କରିଥିବାରୁ ବହୁତ ଖୁସି। ଆଗାମୀ ଦିନରେ ହଲିଉଡ୍ ସିନେମାରେ କାର୍ଯ୍ୟ ଜାରି ରଖିବେ ସେ। ନିଜ କାର୍ଯ୍ୟ ଜରିଆରେ ସିନେପ୍ରେମୀ ଦର୍ଶକଙ୍କ ମନ ମୋହିବା ସହ ହୃଦୟକୁ ଜିତି ପାରିଛନ୍ତି ଆଉ ଓଡ଼ିଶାର ସୁନାମ ରଖିଛନ୍ତି ସିଲଭିଆ।