ପଞ୍ଚଭୂତରେ ଲୀନ ହେଲେ କିଶୋର, ଭୂମିପୁତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଲେ ଶୋକାକୁଳ ଜନତା | News Room Odisha

ପଞ୍ଚଭୂତରେ ଲୀନ ହେଲେ କିଶୋର, ଭୂମିପୁତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଲେ ଶୋକାକୁଳ ଜନତା

ଝାରସୁଗୁଡା : ପଞ୍ଚଭୂତରେ ଲୀନ ହେଲେ ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡାର ଭୂମିପୁତ୍ର କିଶୋର ମହାନ୍ତି । ଜିଲ୍ଲା ସମେତ ସମଗ୍ର ଓଡିଶାର ପୁରପଲ୍ଲୀରୁ ଆସିଥିବା ହଜାର ହଜାର ଶୋକାକୁଳ ଜନତା ଏବଂ ନେତା ଏହି ମାଟିର ସୁପୁତ୍ରକୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ତାଙ୍କ ଶେଷ ଦର୍ଶନ ତଥା ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ଝାରସୁଗୁଡାରୁ ବ୍ରଜରାଜନଗର ଗାନ୍ଧୀଛକ ପର୍ଯ୍ୟନ୍ତ ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଯାଇଥିଲା । ଶେଷରେ ପୁରୁଣାବସ୍ତି ନିକଟସ୍ଥ ମୁକ୍ତିଧାମରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ସେପଟେ , ତାଙ୍କ ବିୟୋଗରେ ଆଜି ଝାରସୁଗୁଡାରୁ ଆରମ୍ଭ କରି ବ୍ରଜରାଜନଗର ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଛି ।

ଭୂମିପୁତ୍ର କିଶୋର ମହାନ୍ତି ଅମର ରହେ , ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠାତା ଅମର ରହେ … ସ୍ଲୋଗାନରେ ଆଜି ଝାରସୁଗୁଡ଼ା ପ୍ରକମ୍ପିତ ହୋଇଛି । ଗତକାଲି ସନ୍ଧ୍ୟାରେ କିଶୋରଙ୍କ ହୃଦଘାତରେ ପରଲୋକ ହେବା ପରେ ସାରା ରାଜ୍ୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସାରା ଝାରସୁଗୁଡା ସମେତ ପଶ୍ଚିମ ଓଡିଶା ସ୍ତବ୍ଧ ହୋଇଯାଇଛି ଏହି ଦୁଃଖଦ ଘଟଣାରେ । ଗତକାଲି ରାତିତମାମ ତାଙ୍କ ମରଶରୀର ମଙ୍ଗଳବଜାର ସ୍ଥିତ ବାସଭବନରେ ଲୋକଙ୍କ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଆଉ ଭୁବନେଶ୍ବରରେ ଥିବା ସ୍ତ୍ରୀ , ପୁଓ ଏବଂ ଝିଅ ଏକ ସ୍ବତନ୍ତ୍ର ବିମାନ ଯୋଗେ ରାତିରେ ଝାରସୁଗୁଡାକୁ ଫେରିଥିଲେ । ଆଉ ଆଜି ସକାଳ ୯ଟାରୁ ବାହାରିଥିଲା ତାଙ୍କ ଶେଷ ଯାତ୍ରା । ମରଶରୀର ଏକ ବିରାଟ ପଟୁଆରରେ ସହରର ମୁଖ୍ୟ ରାସ୍ତା ଦେଇ ପହଞ୍ଚିଥିଲା ବ୍ରଜରାଜନଗର ଗାନ୍ଧୀଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ । ସେଠାରେ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଶୋକାକୁଳ ଜନତା ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିବା ବେଳେ ସମଗ୍ର ଅଞ୍ଚଳ କାନ୍ଦବୋବାଳିରେ ଫାଟି ପଡୁଥିଲା । ସେଠାରେ ପାର୍ଥିବ ଶରୀରକୁ ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ ଅଡିଟୋରିୟମକୁ ଅଣା ଯାଇଥିଲା । ସେଠାରେ ଅନୁରୂପ ଭାବେ ଲୋକେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଅପରାହ୍ନ ପ୍ରାୟ ୨ଟାରେ ତାଙ୍କର ଅନ୍ତିମ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ମାର୍ଗ ଦେଇ ମୁକ୍ତିଧାମରେ ପହଂଚିଥିଲା । ସେଠାରେ ମନ୍ତ୍ରୀ ନବ କିଶୋର ଦାସ , ମନ୍ତ୍ରୀ ଟୁକୁନି ସାହୁ , ମନ୍ତ୍ରୀ ସୁଶାନ୍ତ ସିଂ , ମନ୍ତ୍ରୀ ଅଶୋକ ପଣ୍ଡା , ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ( ବବି ) , ବିଧାୟକ ସାରଦା ପ୍ରସାଦ ନାୟକ , ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ସାଂସଦ ସୁବାସ ସିଂ , ସାଂସଦ ସୁରେଶ ପୂଜାରୀ , ବିଧାୟକ କିଶୋର ନାୟକ , ବିଧାୟକ ନାଉରୀ ନାୟକ , ବିଧାୟକ ସରୋଜ ମେହେର , ବିଧାୟିକା କୁସୁମ ଟେଟେ , ବିଧାୟକ ଧ୍ରୁବ ସାହୁ , ବିଧାୟକ ମଙ୍ଗଳା କିଶାନ , ବିଧାୟକ ରାଜେନ୍ଦ୍ର ଢୋଲକିଆ , ବିଧାୟିକା ରୀତା ସାହୁ , ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ , ପୂର୍ବତନ ବିଧାୟକ ସଂଜୀବ ପ୍ରଧାନ ପ୍ରମୁଖ ପହଂଚିଥିଲେ । ଜିଲ୍ଲାପାଳ ସରୋଜ କୁମାର ସାମଲ ଏବଂ ଏସପି ବିକାଶ ଚନ୍ଦ୍ର ଦାଶ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିବା ସହ ଦିବଙ୍ଗତ ବିଧାୟକଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ପୁଅ ପୁରୁଷୋତ୍ତମ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗ ଜିଲ୍ଲା ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛନ୍ତି ।