ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ମଧ୍ୟରେ ରହିଛି ପବିତ୍ର ରୋହିଣୀକୁଣ୍ଡ। ଏହା ଶ୍ରୀମନ୍ଦିର ଭିତର ବେଢ଼ାରେ ଥିବା ବିମଳା ମନ୍ଦିର ନିକଟରେ ଅବସ୍ଥିତ।
ସିଂହଦ୍ଵାର ପାରି ହୋଇ ପତିତପାବନଙ୍କୁ ଦର୍ଶନ କରି ଆଗକୁ ଯାଇ ବାମପଟେ ଶ୍ରୀସତ୍ୟନାରାୟଣ, ବଟ ଗଣେଶ ,ବଟ ମଙ୍ଗଳା ,ସମସ୍ତ ମହାଦେବ ଆଦିଙ୍କର ଦର୍ଶନ ସାରି ମୁକ୍ତିମଣ୍ଡପ ନିକଟରେ ବିରାଜମାନ କରିଛନ୍ତି ଶ୍ରୀନୃସିଂହ । ଏହାଙ୍କୁ ଦର୍ଶନ କରି ଭକ୍ତମାନେ କ୍ଷେତ୍ରାଧିଶ୍ଵରୀ ମା’ବିମଳାଙ୍କ ମନ୍ଦିର ଆଡ଼କୁ ଯାଇଥାନ୍ତି। ଜଳକ୍ରୀଡ଼ା ମଣ୍ଡପ ଓ ବିମଳା ମନ୍ଦିର ମଧ୍ୟସ୍ଥଳରେ ରହିଛି ପବିତ୍ର ରୋହିଣୀ କୁଣ୍ଡ।
ଷ୍କନ୍ଦ ପୁରାଣରେ ବର୍ଣ୍ଣିତ ଭୁଷଣ୍ଡ କାକ, ଲୋମଶ ଋଷିଙ୍କ ଠାରୁ ଶାପ୍ୟ ପାଇ ତା’ର ମୃତ୍ୟୁ ନିକଟତର ଥିବା ଜାଣି ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ରୋହିଣୀ କୁଣ୍ଡରେ ସ୍ନାନସାରି ଜଗନ୍ନାଥ ଦର୍ଶନ କରିବାକୁ ଚାହିଁଥିଲେ। କଳ୍ପବଟର ଏକ ଡାଳରେ ବସିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ଓ ସେ ରୋହିଣୀ କୁଣ୍ଡରେ ପଡି ଚତୁର୍ଭୁଜ ହୋଇଥିଲେ। ସେହି ଦିନଠାରୁ ସେହି ଚତୁର୍ଭୁଜ କାକ ଏହିଠାରେ ବଟ ନାରାୟଣ ବୋଲି ପୂଜା ହୋଇ ଆସୁଛନ୍ତି।
ରୋହିଣୀ କୁଣ୍ଡକୁ ଲାଗି ଆଉ ଏକ କୁଣ୍ଡ ଅଛି, ଯାହା ହେଉଛି ନାଭି ଚକ୍ର। ଏହା ଦେଖିବାକୁ ନୀଳଚକ୍ର ପରି। ସେଠି ଚତୁର୍ଭୁଜ କାକର ମୂର୍ତ୍ତି ମଧ୍ୟ ଅଛି। ଲୋକକଥା ଅନୁଯାୟୀ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ହେବାପରେ ଯେତେବେଳେ ଗାଲ ମାଧବ ଶ୍ରୀମନ୍ଦିରକୁ ତାଙ୍କର ବୋଲି କହିଥିଲେ ,ସେହି ସମୟରେ ବ୍ରହ୍ମା ଏହି କାକ ଓ ଚକ୍ରଙ୍କ ସାକ୍ଷ ଗ୍ରହଣ କରି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ ମତ ଦେଇ ଏହି ବିବାଦର ଅନ୍ତ ଘଟାଇଥିଲେ।
କୁହାଯାଏ ଯେ, ଗାଲମାଧବ ମଧ୍ୟ ଏହିଠାରେ ରହି ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି।
ଏହି କୁଣ୍ଡଟି ଆରମ୍ଭରୁ ଏତେ ଛୋଟ ନ ଥିଲା। ଏହାର ମୂଳ ଅବସ୍ଥିତି ନୀଳଗିରି ପର୍ବତ ରେ ଥିଲା। ନୀଳମାଧବଙ୍କ ସହ ରୋହିଣୀ କୁଣ୍ଡ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଶ୍ରୀମନ୍ଦିରର ନିର୍ମାଣ ସମୟରେ ଏହି କୁଣ୍ଡକୁ ଏଠାରେ ନିର୍ମାଣ କରା ଯାଇଛି। ଶ୍ରୀମନ୍ଦିରରେ ଏହି କୁଣ୍ଡକୁ ଲାଗ ଋଷି ମାର୍କଣ୍ଡେୟଙ୍କ ର ପାଦପଦ୍ମ ମଧ୍ୟ ପୂଜିତ।
କଳା ମୁଗୁନି ପଥରର ଏହି ରୋହିଣୀ କୁଣ୍ଡରେ ଚତୁର୍ଭୁଜ କାକ ଓ ନାଭି ଚକ୍ରଙ୍କ ଦର୍ଶନ କରି ହିଁ ବେଢା ପରିକ୍ରମା କରାଯାଏ। ରୋହିଣୀ କୁଣ୍ଡର ଜଳ ସିଞ୍ଚନ କଲେ ତାହା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇବା ସହ ସମାନ ଫଳ ଦେଇଥାଏ ବୋଲି ଶାସ୍ତ୍ର ପ୍ରମାଣ ରହିଛି ।