ନେପାଳ ସୀମାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତ୍ୟେଷ୍ଟି | News Room Odisha

ନେପାଳ ସୀମାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତ୍ୟେଷ୍ଟି

ପାରଳାଖେମୁଣ୍ଡି: ନେପାଳ- ବିହାର ସୀମାବର୍ତ୍ତୀ ସୁପେଲି ଜିଲ୍ଲାର ବୀରପୁର ଠାରେ ଏସ୍ଏସବି (ସୀମା ସୁରକ୍ଷା ବଳ) ୪୫ତମ ବାଟାଲିୟନ୍‌ର ପ୍ରଶିକ୍ଷଣ ଶିବିରରେ ଅଘଟଣ। ଟ୍ରେନିଂ ସାରି ଟେଣ୍ଟ୍ ଖୋଲୁଥିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି ଜଣେ ଓଡ଼ିଆ ସମେତ ମୋଟ ୩ ଯବାନ। ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଥିବା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଏସ୍.କରଡ଼ାସିଂ ପଞ୍ଚାୟତ କୁରୁବୁଗା ଗାଁର ପର୍ଶୁରାମ ଶବରଙ୍କ ମରଶରୀରକୁ ଗାଁକୁ ଅଣାଯାଇ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତ୍ୟେଷ୍ଟି କରାଯାଇଛି। ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ସୋମବାର ମରଶରୀର ଗାଁରେ ପହଞ୍ଚିବା ପରେ ଶେଷକୃତ୍ୟ କରାଯାଇଥିଲା। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଏସଡିପିଓ ରାମକୃଷ୍ଣ ପତି, ଥାନାଧିକାରୀ ଗୋବିନ୍ଦ ଗୌଡ଼ଙ୍କ ସମେତ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍.ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

କୁରୁଗୁବା ଗ୍ରାମର ପର୍ଶୁରାମ ଶବର (୨୪ ବର୍ଷ ବୟସ୍କ) ହେଉଛନ୍ତି ତ୍ରିନାଥ ଶବରଙ୍କ ବଡ଼ ପୁଅ। ୧୭.୯.୨୦୨୦ରେ ଏସ୍ଏସବିରେ ଯୋଗ ଦେଇଥିଲେ ସେ। ଚାକିରି ପାଇବା ପରେ ଗାଁରେ ଯେଭଳି ଖୁସିର ଲହରୀ ଖେଳି ଯାଇଥିଲା ଏବେ ଅଘଟଣରେ ମୃତ୍ୟୁ ପରେ ଗାଁରେ ସେମିତି ଶୋକର ଛାୟା ଖେଳି ଯାଇଛି। ପର୍ଶୁରାମଙ୍କ ମରଶରୀରକୁ ଗ୍ରାମ ପରିକ୍ରମା ବେଳେ ଭାରତ ମାତା କି ଜୟ, ପର୍ଶୁରାମ ଅମର ରହେ ସ୍ଲୋଗାନରେ ପରିବେଶ କମ୍ପି ଉଠିଥିଲା। ବୀର ପୁଅକୁ ହରାଇ ବାପା ତ୍ରିନାଥ ଶବର ଓ ମାଆ ଚମ୍ପାବତୀ ଶବର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।