ଲେଖକ: ଗୁରୁ ଚରଣ ଦାସ
ପୌଷମାସ ମାସନ୍ତ ତିଥିରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହୋଇଥାଏ ଫୁଲ ମେଲାଣ ବେଶ। ଏହି ଦିନ ଫୁଲ ମେଲାଣ ନିମନ୍ତେ ମାଳିମାନେ ବାଘମୁହାଁ ବାନ୍ଧି ମାଳଚୁଳ ସହିତ ଭିତରସେବକ ଙ୍କ ପଟୁଆରରେ ଘଣ୍ଟ ,ଛତା ,କାହାଳାଦି ସହ ବଡ଼ଦେଉଳକୁ ପରିକ୍ରମା କରିଥାନ୍ତି। ଶ୍ରୀମନ୍ଦିରକୁ ବେଢାଏ ବୁଲି ବେହେରଣ ଦ୍ୱାରଠାରେ ବେଶ ନିମନ୍ତେ ପାଳିଆ ସେବକ ମାନଙ୍କୁ ଏହା ପ୍ରଦାନ କରିଥାନ୍ତି। ଉକ୍ତ ମାଳଚୁଳ ମାନ ସନ୍ଧ୍ୟା ଆଳତୀ ବେଶରେ ଲାଗି ହୋଇଥାଏ।
ନବାଙ୍କ ବେଶ ନିମନ୍ତେ ବଡ଼ଓଡିଆ ମଠ ରେ ମହାପ୍ରଭୁଙ୍କ ନିମନ୍ତେ ଗେଣ୍ଡୁ ପୁଷ୍ପ ଅଳଙ୍କାର ପ୍ରସ୍ତୁତ ହୋଇଥାଏ।ଏହାକୁ ନବାଙ୍କ ବେଶ ମଧ୍ୟ କୁହାଯାଇଥାଏ।
ଶ୍ରୀମନ୍ଦିରେ ନବାଙ୍କ ବେଶ-
“ମାସାନ୍ତଦିବସେ ଚୈବ ନବୀନାଙ୍କୋତ୍ସବୋଭବେତ୍।
କୃଷ୍ଣସ୍ୟ ସର୍ବଦାକୁର୍ଯ୍ୟାନ୍ନକୁର୍ଯ୍ୟା ସଂକ୍ରମେ ଅହନି।।”
ମକରସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଶ୍ରୀମନ୍ଦିର ରେ ପୂର୍ବ ରୀତିମତେ ସମ୍ପର୍ଣ୍ଣ ହୋଇଥାଏ। ନବାଙ୍କ ର ପୂର୍ବଦିନ ଦୁଧମେଲାଣ ଅନୁଷ୍ଠିତ ହୋଇଥାଏ।
ସନ୍ଧ୍ୟା ଆଳତୀ ସନ୍ଧ୍ୟା ଧୂପ ବଢିବା ପରେ ଚନ୍ଦନଲାଗି ବଢେ।ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ।ଭଦ୍ରାସନ ଉପରେ ମୁରୁଜ ପଡି ତିନିଗୋଟି ବାଉଁଶିଆ ରେ ଚାଉଳ ପୁରାଇ ରଖାଯାଏ।ତାହାପରେ ସେଥିରେ ଫୁଲ ଚନ୍ଦନ ଚେମେଡି ପତନୀ ଦିଆଯାଇ ଅଧିବାସ କରାଯିବା ପରେ ଦୁଆର ମାନ ମୁଦ ଦିଆଯାଏ।
ସେହିପରି ନବାଙ୍କ ଦିନ ସଂଧ୍ୟା ଆଳତି ବଢ଼ିଲା ପରେ ଚାଉଳ ମେଲାଣ ନୀତି ଅନୁଷ୍ଠିତ ହୋଇଥାଏ।ଉକ୍ତ ନୀତି ନିମନ୍ତେ ସିଂହଦ୍ୱାର ଚକଡ଼ା ରେ ପାହାଡା ପଡିବାପରେ ବେରଭୋଇ ପ୍ରଧାନ ଧାନଘର ଠାରୁ ଚାଉଳ ବିଜେ କରିଥାନ୍ତି। ଏଠାରେ ପ୍ରଧାନ ଭୋଇ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ବଡ଼ଦେଉଳ କୁ ବେଢାଏ ବୁଲି ଚାଉଳ ଭାରମାନଙ୍କୁ ଇନ୍ଦ୍ରାଣୀ ମନ୍ଦିର ବେଢା ରେ ରଖିବାରେ ଚାଉଳ ମେଲାଣ ହୋଇଥାଏ।
ଶ୍ରୀଜୀଉ ମାନଙ୍କ ବେଶ ବଢି ପାଣି ପଡିଲେ ଭୋଗ ଡକାଯାଇ ଭୋଗ ଆସିଲା ଉତ୍ତାରେ ଦକ୍ଷିଣଘରୁ ମଦନମୋହନ ଭିତର ସିଂହାସନ କୁ ବିଜେ କରନ୍ତି। ପଞ୍ଚପଚାର ରେ ମଣୋହି ହେବାବେଳେ ଟେରାପଡି ଭିତରେ ଭୋଗସରି ପାଣି ପଡିଲେ ମଦନମୋହନଙ୍କୁ ଶ୍ରୀଅଙ୍ଗରୁ ଆଜ୍ଞାମାଳଦିଆଯାଏ।
ଏହାପରେ ମଦନମୋହନ ହାତରେ ବିଜେହୋଇ ସିଂହାସନକୁ ସାଢ଼େଚାରି ଘେରା ବୁଲିବାପରେ ବଟ ମୂଳେ ଥିବା ବିମାନକୁ ବିଜେକରି ଘଣ୍ଟ ଛତା କାହାଳୀ ପଟୁଆର ରେ ସାଢେ ଚାରି ଘେରା ଶ୍ରୀମନ୍ଦିରକୁ ବେଢା କରନ୍ତି ଓ ପ୍ରତ୍ୟେକ ବେଢା ସମୟ ରେ କାହାଳୀ ଦିଆଯାଏ।ବେଢା ସରିବା ପରେ ପୁନଶ୍ଚ ବଟମୂଳ ରେ ବିମାନ ରଖାଯାଏ ଓ ରୁନ୍ଧା ଫିଟି ହାତରେ ଜୟବିଜୟ ଦ୍ୱାର ନଣ୍ଡାବର୍ତ୍ କୁ ହାତରେ ବିଜେ କରାଯାଏ।ଏହିଠାରେ ପ୍ରସଦଲାଗି ଓ ବନ୍ଦାପନା ବଢିଥାଏ।ଏ ଉତ୍ତାରୁ ଠାକୁର ପୁନଶ୍ଚ ଦକ୍ଷିଣଘରକୁ ବିଜେ କରନ୍ତି ।
ଫୁଲ ମେଲାଣ ବେଶ :
ଏହି ଦିନ ବଡ଼ ସିଂହାର ବେଶରେ ସୋଲ , ଜରି ଓ କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ , ଚକ୍ର , ହଳ, ମୁଷଳ ,କୁଣ୍ଡଳ , ତଦଗି ଇତ୍ୟାଦି ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଲାଗି ହୋଇଥାଏ। ଏହି ବେଶ ଏକ ଗେଣ୍ଡୁଫୁଲର ବେଶ । ବଡ଼ ସିଂହାର ବେଶରେ ଶ୍ରୀଜୀଉ ମାନଙ୍କୁ ଅଳଙ୍କୃତ କରୁଥିବା ଅଳକା , ଗୁଣା , କରପଲ୍ଲବ, ଅଧର ମାଳ ଓ ଶ୍ରୀପୟର ମାଳ ମଧ୍ୟ ଗେଣ୍ଡୁ ରେ ହୋଇଥାଏ । ସାଧାରଣ ଦିନ ମାନଙ୍କ ରେ ଚାରି ପାଞ୍ଚ ଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶରେ ପ୍ରାୟ ଦଶ ପନ୍ଦର ଟି ମାଳ ଲାଗି ହୋଇଥାଏ। ବେଶ ରେ ଲାଗୁଥିବା ଟୋପର ଗୁଡିକ ମଧ୍ୟ ତୁଳସୀ ଏବଂ ଗେଣ୍ଡୁ ଫୁଲର ମାଳ ରେ ହୋଇଥାଏ।
ନିଳାଦ୍ରୀ ମହୋଦୟ ଅନୁସାରେ ଏହିଦିନ ପ୍ରଭୁଙ୍କର ଅଷ୍ଟାଦଶ ଚିହ୍ନ ଦର୍ଶନ କରି ଭକ୍ତ ମନରେ ନବ ନୂତନ ଭକ୍ତିଭାବ ଜାଗ୍ରତ କରାଇଥାଏ। ଯେହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଦରେ ଅଷ୍ଟାଦଶ ଚିହ୍ନ ଥାଏ। ତେଣୁ ୟେ ବେଢ଼ା ପରିକ୍ରମା ଯେଉଁ ଜନ ଦର୍ଶନ କରନ୍ତି, ତାଙ୍କ ଶରୀରରେ ନବ(୯) ନବ(୯) ବା ନୂଆ ନୂଆ ହୋଇ ରହିଯାନ୍ତି । ତେଣୁ ଏହା ନବାଙ୍କ ବେଢା଼ ନାମରେ ଖ୍ୟାତ । ନବାଙ୍କ ବେଢାର ପ୍ରଥମ ଭ୍ରମଣ ଦର୍ଶନ କଲେ ପଞ୍ଚ ମହାପାତକ ଯଥା ବ୍ରହ୍ମ ହତ୍ୟା, ସୁରାପାନ, ସ୍ଵର୍ଣ୍ଣ ସ୍ତେୟ, ଗୁରୁପତ୍ନୀ ଗମନ ଓ ଏମାନଙ୍କ ସହ ଏକ ବର୍ଷ ସଂସର୍ଗ ଜନିତ ପାପରୁ ମୁକ୍ତି ମିଳେ।ଦ୍ଵିତୀୟ ଭ୍ରମଣରେ ଉପପାତକ ରୁ ମୁକ୍ତି ମିଳେ, ତୃତୀୟ ଭ୍ରମଣରେ ସକାଳ ଯଜ୍ଞର ଫଳ ପ୍ରାପ୍ତି ହୁଏ ଓ ଚତୁର୍ଥ ଭ୍ରମଣରେ ଶ୍ରୀଜଗନ୍ନାଥଙ୍କ କୃପା ଲାଭ ହୁଏ।ସେମାନଙ୍କ ପିତୃଗଣ ବୈକୁଣ୍ଠ ପ୍ରାପ୍ତି ହୁଅନ୍ତି। ଶ୍ରୀକୃଷ୍ଣଙ୍କ ଶ୍ରୀପୟର ରେ ଥିବା ଅଷ୍ଟାଦଶ ସଂକେତ ବେଢ଼ା ଦର୍ଶନ କରୁଥିବା ବ୍ୟକ୍ତିର ଶରୀରରେ ନୂତନ ଭାବେ ଚିତ୍ରିତ ହୋଇଯାଏ,ତେଣୁ ଏହାକୁ ନବାଙ୍କ ବେଢ଼ା କୁହାଯାଏ। ଏହିଦିନ ଶ୍ରୀଜୀଉ ମାନେ ସମ୍ପୂର୍ଣ୍ଣ ଫୁଲରେ ସଜ୍ଜିତ ହେଉଥିବାରୁ ଏହାକୁ ଫୁଲ ମେଲାଣ କୁହାଯାଏ।