ଓଡ଼ିଶା କ୍ରିକେଟ୍ ପ୍ରଶଂସକ ନିରାଶ: ବାରବାଟୀ ଷ୍ଟାଡିୟମରେ ଖେଳାଯିବନି ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍ | News Room Odisha

ଓଡ଼ିଶା କ୍ରିକେଟ୍ ପ୍ରଶଂସକ ନିରାଶ: ବାରବାଟୀ ଷ୍ଟାଡିୟମରେ ଖେଳାଯିବନି ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍

କଟକ: ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ନିରାଶଜନକ ଖବର ଆସିଛି। ବୋର୍ଡ ଅଫ୍ କ୍ରିକେଟ୍ କଣ୍ଟ୍ରୋଲ୍ ଇନ୍ ଇଣ୍ଡିଆ (ବିସିସିଆଇ) କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ – ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ବିଶ୍ବସ୍ତସୂତ୍ରରୁ ଜଣାପଡିଛି ଯେ ରାଜ୍ୟରେ କୋଭିଡ୍- ୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମ୍ୟାଚକୁ ସ୍ଥାନାନ୍ତର କରାଯାଇଛି। ଫେବୃଆରୀ ୧୫ ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା। ଖବର ଅନୁଯାୟୀ, ଏହି ଦ୍ବିପାକ୍ଷିକ ସିରିଜର ସମସ୍ତ ମ୍ୟାଚକୁ କେବଳ କୋଲକାତା ଏବଂ ଅହମ୍ମଦାବାଦରେ ଖେଳାଯିବାକୁ ବିସିସିଆଇ ଟୁର୍, ଫିକ୍ଚର୍ସ ଏବଂ ଟେକ୍ନିକାଲ୍ କମିଟି ପ୍ରସ୍ତାବ ଦେଇଛି। କିଛି ରିପୋର୍ଟ ଅନୁଯାୟୀ, ଗତକାଲିର ଭର୍ଚୁଆଲ୍ ବୈଠକରେ ବିସିସିଆଇ କମିଟି ଏହି ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ, ଉଭୟ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ କାର୍ଯ୍ୟସୂଚୀର ତାରିଖ ଗୁଡ଼ିକରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇପାରେ।

ଭାରତ – ୱେଷ୍ଟଇଣ୍ଡିଜ୍ ସିରିଜରେ ଫେବୃଆରୀ ୬ ତାରିଖରୁ ତିନୋଟି ଏକଦିବସୀୟ ମ୍ୟାଚ୍ ଏବଂ ତିନୋଟି ଟି – ୨୦ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ଅହମ୍ମଦାବାଦ, ଜୟପୁର, ଏବଂ କୋଲକାତାରେ ଏକଦିବସୀୟ ଏବଂ ଟି – ୨୦ ମ୍ୟାଚ ଗୁଡ଼ିକ କଟକ, ବିଶାଖାପାଟଣା ଏବଂ ଥିରୁଅନନ୍ତପୁରମରେ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ପରିବର୍ତ୍ତିତ ପ୍ରସ୍ତାବ ଯଦି କାର୍ଯ୍ୟକାରୀ କରାଯାଏ ତେବେ ଓଡ଼ିଶାର କ୍ରିକେଟପ୍ରେମୀ ନିରାଶ ହେବା ଥୟ।