ପଶ୍ଚିମ ଓଡିଶାରେ ପଞ୍ଚାୟତ ନିର୍ବାଚନ: ବ୍ୟୟବହୁଳ ପ୍ରଚାରକୁ ଏଡାଇବ କୋଭିଡ କଟକଣା, ଡିଜିଟାଲ ପ୍ଲାଟଫର୍ମରେ ବିଜେଡି ଆଗରେ | News Room Odisha

ପଶ୍ଚିମ ଓଡିଶାରେ ପଞ୍ଚାୟତ ନିର୍ବାଚନ: ବ୍ୟୟବହୁଳ ପ୍ରଚାରକୁ ଏଡାଇବ କୋଭିଡ କଟକଣା, ଡିଜିଟାଲ ପ୍ଲାଟଫର୍ମରେ ବିଜେଡି ଆଗରେ

ସମ୍ବଲପୁର : ସବୁ ନିର୍ବାଚନରେ ବ୍ୟୟବହୁଳ ପ୍ରଚାର ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାର ପରିପନ୍ଥୀ ବୋଲି କୁହାଯାଇଥାଏ। ଏହା ଉଭୟ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳ ପାଇଁ ବି ମୁଣ୍ଡବ୍ୟଥାର କାରଣ ହୋଇଥାଏ। ଆଉ ପରୋକ୍ଷରେ ନିରପେକ୍ଷ ମତଦାନକୁ ବି ଅନେକ ମାତ୍ରାରେ ପ୍ରଭାବିତ କରିଥାଏ। ତେବେ, ଏ ଦିଗରେ ବର୍ତ୍ତମାନ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ନିର୍ବାଚନର ପ୍ରଚାର ଅନେକ ମାତ୍ରାରେ ବୁଦ୍ଧିଜୀବୀ ତଥା ସଚେତନ ବର୍ଗଙ୍କୁ ଆଶ୍ବସ୍ତି ଦେଇଛି। ଏଭଳି ସ୍ଥିତିରେ ଡିଜିଟାଲ ପ୍ଲାଟଫର୍ମ ହିଁ ଏକମାତ୍ର ସାହାରା ପାଲଟିଥିବା ବେଳେ ବର୍ତ୍ତମାନ ବିଜେଡି ଏଦିଗରେ ସୁବିଧା ସ୍ଥିତିରେ ରହିଥିବା ଚର୍ଚ୍ଚ। ହେଉଛି। ଦୀର୍ଘ 3 ବର୍ଷ ତଳୁ ସରକାରଙ୍କ ସବୁ ଯୋଜନାକୁ ଲୋକାଭିମୁଖୀ କରିବାକୁ ଦଳୀୟ ସଂଗଠନ ୱାର୍ଡସ୍ତରରୁ ମଜବୁତ ହୋଇସାରିଛି। ଆଉ ଏହାର ସୁଫଳ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ଦଳ ପ୍ରୟୋଗ କରିବାକୁ ଅଣ୍ଟା ଭିଡିଛି। ସେପଟେ, ବିଜେପି ମଧ୍ୟ ଏ ଦିଗରେ ପଛରେ ପଡିନାହିଁ। ଗତ 2014ରେ ମୋଦି ସୋସିଆଲ ମିଡିଆକୁ ଆୟୁଧ କରି ବିଜୟୀ ହେବା ପରେ ଏହି କୌଶଳକୁ ଓଡିଶାରେ ଆପଣାଇବାକୁ ଦଳ ଗତ 2019ରୁ ଚେଷ୍ଟା ଜାରି ରଖିଛି। ହେଲେ କଂଗ୍ରେସ ତାର ଦୁର୍ବଳ ସଂଗଠନ ଯୋଗୁଁ ଏ ଦିଗରେ ବହୁ ପଛରେ ପଡିଯାଇଛି। ତେବେ, ବିଶେଷ କରି ପଶ୍ଚିମ ଓଡିଶାର କିଛି ଆଭ୍ୟନ୍ତରୀଣ ଇଲାକାକୁ ବାଦ୍ ଦେଲେ ସୋସିଆଲ୍ ମିଡିଆ ଚଳିତ ପଞ୍ଚାୟତ ନିର୍ବାଚନରେ ଗୁରୁତ୍ବପୂର୍ଣ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି।

ୟୁପିଏର କ୍ରମାଗତ 10 ବର୍ଷର ଶାସନ ପରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହୋଇଥିଲା। ତେବେ, ବିଜେପିର ଏହି ବିଜୟ ପଛରେ ସୋସିଆଲ ମିଡିଆର ଗୁରୁତ୍ବପୁୂର୍ଣ ଭୂମିକା ରହିଥିବା ନେଇ ଆଜି ଯାଏ ଚର୍ଚ୍ଚା ହୋଇଆସିଛି। ଏପରିକି ଏହି ଫର୍ମୁଲାକୁ ଦଳ ଓଡିଶାରେ ଗତ 2019ରେ ପ୍ରୟୋଗ କରିଥିଲା। ତେବେ, ଦଳ ବିଜୟୀ ହୋଇନଥିଲେ ହେଁ ତାର ଭୋଟ ହାର କିଛି ମାତ୍ରାରେ ବୃଦ୍ଧି ପାଇଥିଲା। ଆଉ ଏହା ପଛରେ ବି ସୋସିଆଲ୍ ମିଡିଆର ଭୂମିକା ଥିବା ନେଇ ଆଲୋଚନା ହୋଇଆସିଛି।

ତେବେ, ଗତ ପ୍ରାୟ 4 ବର୍ଷ ହେବ ବିଜେଡି ତାର ସଂଗଠନକୁ ୱାର୍ଡସ୍ତରରୁ ମଜବୁତ କରିବା ସହିତ ଡିଜିଟାଲ ପ୍ଲାଟଫର୍ମରେ ଯୋଡି ସାରିଛି। ଏପରିକି ରାଜ୍ୟସ୍ତରରୁ ସମସ୍ତ ଦଳୀୟ ତଥା ସରକାରୀ ବାର୍ତ୍ତ।କୁ ୱାର୍ଡସ୍ତରରୁ ସଂପ୍ରସାରିତ କରିବାକୁ ଏହି ତ୍ରୁଣମୂଳସ୍ତରର କମିଟିକୁ ବ୍ୟବହାର କରି ଆସୁଛି। ଏ ଦିଗରେ ବିଜେଡିର ଛାତ୍ର, ଯୁବ ଏବଂ ମହିଳା ଶାଖାକୁ ବି ଦଳ ଉପଯୋଗ କରି ଆସିଛି। ଏହି ଦୃଷ୍ଟିରୁ ଡିଜିଟାଲ ପ୍ଲାଟଫର୍ମରେ ବର୍ତ୍ତମାନ ବିଜେଡି ଏକ ସୁବିଧାଜନକ ସ୍ଥିତିରେ ଥିବା ନେଇ ଚର୍ଚ୍ଚ। ହୋଇଆସୁଛି।

ବର୍ତ୍ତମାନ କୋଭିଡର ତୃତୀୟ ଲହର ମଧ୍ୟରେ ନିର୍ବାଚନ ହେଉଥିବା ବେଳେ ନିର୍ବାଚନ କମିଶନ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ଆଉ ଏହି କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ହେବା ଦ୍ବାରା ଏକପ୍ରକାର ସଂପୂର୍ଣ ଭାବେ ପ୍ରଚାର କେବଳ ଡିଜିଟାଲ ପ୍ଲାଟଫର୍ମ ଭରସାରେ ହେବ। ଏହି ଦୃଷ୍ଟିରୁ ବର୍ତ୍ତମାନ ସବୁ ଦଳ ତଥା ପ୍ରାର୍ଥୀ ସୋସିଆଲ୍ ମିଡିଆକୁ ମାଧ୍ୟମ କରିଛନ୍ତି। ତେବେ, ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାର ଭୌଗୋଳିକ ସ୍ଥିତି ବଣପାହାଡ ଘେରା ଅଞ୍ଚଳରେ ଥିବାରୁ ଅନେକ ସ୍ଥାନରେ ନେଟବର୍କ ଉପଲବ୍ଧ ହୋଇପାରୁନାହିଁ। ତେଣୁ, କେବଳ ଏହି ଅଞ୍ଚଳ ଗୁଡିକ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଫେସବୁକ, ହ୍ବାଟସଆଫ୍ ଭଳି ସୋସିଆଲ ମିଡିଆ ମାଧ୍ୟମରେ ପ୍ରାର୍ଥୀମାନେ ଭୋଟରଙ୍କ ନିକଟକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଉ ବିଜେଡି, ବିଜେପି, କଂଗ୍ରେସ ପରି ସମସ୍ତ ଦଳ ବି ସେମାନଙ୍କ ଶୀର୍ଷ ନେତାଙ୍କ ପ୍ରଚାରକୁ ଏହି ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରିତ କରିବାକୁ ଯୋଜନା କରିଛନ୍ତି।

ମୋଟ୍ ଉପରେ କହିବାକୁ ଗଲେ, ଏହା ବର୍ତ୍ତମାନର ବ୍ୟୟବହୁଳ ପ୍ରଚାରକୁ ଏଡାଇବା ସହିତ ନିର୍ବାଚନୀ ହିଂସାକୁ ମଧ୍ୟ ଅନେକ ମାତ୍ରାରେ ପ୍ରଶମିତ କରି ପାରିବ ବୋଲି ମତପ୍ରକାଶ ପାଇଛି।