ବିଜୁ ସ୍ଵାସ୍ଥ୍ୟ କାର୍ଡ ଦେଲା ନୂଆ ଜୀବନ: ଧନ୍ୟବାଦ ମୁଖ୍ୟମନ୍ତ୍ରୀ | News Room Odisha

ବିଜୁ ସ୍ଵାସ୍ଥ୍ୟ କାର୍ଡ ଦେଲା ନୂଆ ଜୀବନ: ଧନ୍ୟବାଦ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ଓ ବହୁମୁଖୀ ଜନକଲ୍ୟାଣ ସ୍କିମ୍ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ବା ସଂକ୍ଷୀପ୍ତରେ ବିଏସ୍‌କେୱାଇ ଭାବେ ରାଜ୍ୟର ଘରେ ଘରେ ପରିଚିତ ହୋଇସାରିଲାଣି। ଏଥିରୁ ଅନେକ ଲୋକ ବେଶ୍ ଉପକୃତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ କୃତଜ୍ଞତା ଅର୍ପଣ କରିବାରେ ଲାଗିଛନ୍ତି। ଜନାଭିମୁଖୀ ସରକାରଙ୍କ ପ୍ରତୀକ ସାଜିଛି ବିଏସ୍‌କେୱାଇ। ଏହାର ସୁଫଳର ଏକ ନଜିର ଆସିଛି ଗଞ୍ଜାମ ଜିଲ୍ଲାରୁ।

ଗତ ମାସର କଥା। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବାଲିଆଝୋଳ ଗ୍ରାମର ପିଣ୍ଟୁ ନାୟକ ନିଜ ଘରକୁ ଫେରିବା ବେଳେ ପାଟପୁର ଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ରାସ୍ତାପାର୍ଶ୍ଵରେ ପଡ଼ିଥିବା ପିଣ୍ଟୁଙ୍କୁ କେହି ଜଣେ ଆଣି ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଇ ଚାଲି ଯାଇଥିଲା। ପରବର୍ତ୍ତୀ ସମୟରେ ପିଣ୍ଟୁଙ୍କ ଭାଇ ଅଶୋକ ନାୟକ ଏ ବାବଦରେ ଜାଣିବାକୁ ପାଇଥିଲେ। ତୁରନ୍ତ ସେ ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ ଆସିଥିଲେ। ହେଲେ ପିଣ୍ଟୁଙ୍କ ଅବସ୍ଥା ସେତେବେଳକୁ ଅଧିକ ଗୁରୁତର ହୋଇ ସାରିଥିଲା। ଅଶୋକ ସ୍ଥାନୀୟ ବିଜେଡି କର୍ମୀ ଏସ୍.ଜଗନ୍ନାଥ ରାଓଙ୍କୁ ନିଜ ଅବସ୍ଥା ଜଣାଇଥିଲେ। ଜଗନ୍ନାଥ ଏ ନେଇ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକଙ୍କ ହସ୍ତକ୍ଷେପ ପରେ ତଥା ଡାକ୍ତରଙ୍କ ପରାମର୍ଶକ୍ରମେ ପିଣ୍ଟୁଙ୍କୁ ବିଶାଖାପାଟଣା ନିଆଗଲା। ଏହି ସମୟରେ ବିଏସ୍‌କେୱାଇ ସ୍କିମ୍ ପିଣ୍ଟୁ ଓ ତାଙ୍କ ପରିବାରର ବହୁ ଉପକାରରେ ଆସିଲା। ବିଏସ୍‌କେୱାଇ କାର୍ଡ ଜରିଆରେ ପିଣ୍ଟୁଙ୍କୁ ବିଶାଖାପାଟଣାର ଏକ ମଲ୍ଟିସ୍ପେଶାଲିଷ୍ଟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଯାବତୀୟ ଚିକିତ୍ସା ହୋଇଥିଲା ଯାହା ବ୍ୟୟବହୁଳ ଥିଲେ ହେଁ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିଥିଲେ। ସମ୍ପୁର୍ଣ୍ଣ ମାଗଣାରେ ଅପରେସନ୍ କରାଯାଇ ପିଣ୍ଟୁଙ୍କ ଜୀବନ ରକ୍ଷା ହୋଇପାରିଥିଲା।

ମାସକ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ପିଣ୍ଟୁ। ଏହା ପରେ ପିଣ୍ଟୁ ଓ ତାଙ୍କ ପରିବାର ଲୋକ ଆସି ବ୍ରହ୍ମପୁର ବିଧାୟକଙ୍କୁ ଭେଟିଥିଲେ। ଏଭଳି କଲ୍ୟାଣକର ଯୋଜନା ଯାହା କେବଳ ଦୁର୍ଘଟଣାର ଶିକାର ପିଣ୍ଟୁଙ୍କ ନୁହେଁ, ବରଂ ଅନେକ ଜଟିଳ ରୋଗରେ କଷ୍ଟ ଭୋଗୁଥିବା ରୋଗୀଙ୍କ ପାଇଁ ଜୀବନଦାନର କାରଣ ହୋଇପାରିଛି ସେଥିପାଇଁ ସେମାନେ ବିଧାୟକ ପଣ୍ଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାକୁ ଉଚ୍ଚପ୍ରଶଂସା କରିବା ସହ ସ୍ୱାସ୍ଥ୍ୟ କାର୍ଡ ପାଇଁ ହିଁ ପିଣ୍ଟୁ ପୁଣି ପରିବାର ଲୋକଙ୍କ ପାଖକୁ ଫେରିପାରିବା ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ତାଙ୍କ ପରିବାରବର୍ଗ।

BSKY Smart Health CardChief Minister Naveen PatnaikOdisha Government