କରୋନା କାଳରେ ଶିକ୍ଷାଦାନର ଅଭିନବ ପ୍ରଚେଷ୍ଟା | News Room Odisha

କରୋନା କାଳରେ ଶିକ୍ଷାଦାନର ଅଭିନବ ପ୍ରଚେଷ୍ଟା

ଫୁଲବାଣୀ: କରୋନା ମହାମାରୀ ଉଣାଅଧିକ ସମସ୍ତଙ୍କ ଜନଜୀବନକୁ ପ୍ରଭାବିତ କରିଛି। ସବୁ ବ୍ୟବସ୍ଥା ଉପରେ କିଛି ନା କିଛି ପ୍ରଭାବ ପକାଇଛି। ସେଥିରୁ ଶିକ୍ଷା ବ୍ୟବସ୍ଥା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କହିଲେ ଅତ୍ୟୁକ୍ତି ହେବନି। ଯଦିଓ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ କାଳରେ ଆର୍ଥିକ ସଙ୍କଟକୁ ଏଡ଼ାଇ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ କେବଳ ଯେ ବ୍ୟବସ୍ଥିତ କରି ରଖିପାରିଛନ୍ତି ତା’ ନୁହେଁ ବରଂ ଏହାକୁ ବିକାଶର ପଥରେ ଆଗେଇ ନେଇଯାଇଛନ୍ତି। ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ଅନ୍ତର୍ଗତ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇ ପାରିଛି। ପିଲାଙ୍କୁ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ। ସେହିପରି ପିଲାଙ୍କୁ ଅନ୍‌ଲାଇନ୍ ଶିକ୍ଷାଦାନ ପାଇଁ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଇ ପାରିଛି। ତେଣୁ ତ ଆମ ରାଜ୍ୟରେ ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଏବେ ବି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଶାନୁରୂପକ ଭାବେ ଆଗେଇ ଚାଲିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହେଉଛି।

ତଥାପି ସାରା ବିଶ୍ବରେ ନିଜ କୁପ୍ରଭାବ ପକାଇଥିବା ଏହି ମହାମାରୀ ସଙ୍କଟ କାଳରେ ରାଜ୍ୟର ଉପାନ୍ତ, ଅପେକ୍ଷାକୃତ ପଛୁଆ ଅଞ୍ଚଳରେ ଶିକ୍ଷାକୁ ବଜାୟ ରଖିବା ପାଇଁ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ବିଭିନ୍ନ ଉଦ୍ୟମ କରାଯାଉଥିବା ପରିଲକ୍ଷିତ ହୋଇଛି। ସେଥିରୁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍‌ରେ ପ୍ରଧାନଶିକ୍ଷକ ସିମାଞ୍ଚଳ ମୁଖୀଙ୍କ ‘ମୋ ଘରେ କଳାପଟା’ ଅଭିଯାନ ଅନ୍ୟତମ। ସେହି ବ୍ଲକ୍ ଅନ୍ତର୍ଗତ କରଣ୍ଡାଗଡ଼ ପ୍ରକଳ୍ପ ୟୁ.ପି.ସ୍କୁଲରେ କାର୍ଯ୍ୟରତ ସିମାଞ୍ଚଳ ସାର୍। ପିଲାମାନଙ୍କ ପଢାପଢି ପାଇଁ ତାଙ୍କ ବ୍ୟକ୍ତିଗତ ପ୍ରୟାସ ଏକ ଆଦର୍ଶ ନଜିର ସୃଷ୍ଟି କରିଛି। ପିଲାଙ୍କୁ ଶିକ୍ଷାଦାନ ପାଇଁ ସେ ‘ମୋ ଘରେ କଳାପଟା’ ନାମକ ନୂତନ କୌଶଳ ଆପଣାଇଛନ୍ତି। ତାଙ୍କରି ପ୍ରେରଣା ଓ ପ୍ରୋତ୍ସାହନରେ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଘର କାନ୍ଥରେ ତିଆରି ହୋଇଛି କଳାପଟା। ସେଥିରେ ଲେଖାଯାଇଛି ବିଭିନ୍ନ ଅକ୍ଷର, ଶବ୍ଦ ଓ ସଂଖ୍ୟା। ତାହାକୁ ଦେଖି ପିଲାଏ ଦୈନିକ ଅଭ୍ୟାସ କରୁଛନ୍ତି। ସିମାଞ୍ଚଳ ମୁଖୀ ନିଜେ ଘରକୁ ଘର ବୁଲି ଏହାକୁ ତଦାରଖ କରୁଛନ୍ତି। ଫଳରେ ଗାଁରେ ସୃଷ୍ଟି ହୋଇପାରିଛି ଏକ ଉନ୍ନତ ଶୈକ୍ଷିକ ପରିବେଶ।

ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍କୁଲ ନଗଲେ ମଧ୍ୟ ନିଜକୁ ଏଥିରେ ବ୍ୟସ୍ତ ରଖୁଛନ୍ତି ଓ ଆନନ୍ଦମୟ ଉପାୟରେ ଶିକ୍ଷା ହାସଲ କରୁଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ବିଭିନ୍ନ କାରଣରୁ ପାଠପଢ଼ା ବନ୍ଦ କରି ଦେଇଥିଲେ, କୌଣସି କାମରେ ଲାଗୁଥିଲେ କିମ୍ବା ବଣକୁ ଯାଇ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ କିମ୍ବା କିଛି ନକରି ଏଣେତେଣେ ଖାଲିରେ ବୁଲୁଥିଲେ ସେମାନେ ଏବେ ଏହି ପ୍ରକ୍ରିୟାରେ ଶିକ୍ଷାଗ୍ରହଣରେ ମାତିଥିବା ପରିଲକ୍ଷିତ ହେଉଛି। ଏହି ଉପାୟରେ ଘର ଲୋକ ମଧ୍ୟ ଆନନ୍ଦିତ ଯେ ସେମାନଙ୍କ ପିଲାର ପାଠପଢ଼ା ଠିକ୍‌ଠାକ୍ ଚାଲିଛି। ତେଣୁ ସେମାନେ ସିମାଞ୍ଚଳ ମୁଖୀଙ୍କୁ ସମସ୍ତ ସହଯୋଗ ମଧ୍ୟ କରୁଛନ୍ତି। ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳରେ ଶିକ୍ଷାର ବର୍ତ୍ତିକା ଭାବେ ଆଦର୍ଶ ସୃଷ୍ଟି କରିଛି ସିମାଞ୍ଚଳ ସାର୍‌ଙ୍କ ମୋ ଘରେ କଳାପଟା ଅଭିଯାନ।