ସୁରତରେ ଗଞ୍ଜାମ ଯୁବକଙ୍କ ମହନୀୟତା, ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ୫ ଜଣଙ୍କୁ ଦେଲେ ନୂଆ ଜୀବନ | News Room Odisha

ସୁରତରେ ଗଞ୍ଜାମ ଯୁବକଙ୍କ ମହନୀୟତା, ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ୫ ଜଣଙ୍କୁ ଦେଲେ ନୂଆ ଜୀବନ

ଗୁଜରାଟ ରାଜ୍ୟ ସୁରତରେ ଜଣେ ଓଡ଼ିଆ ଯୁବକ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ଅନ୍ୟୁନ ୫ ଜଣଙ୍କୁ ନୂଆ ଜୀବନ ଆରମ୍ଭ କରିବାରେ ସକ୍ଷମ କରାଇଛନ୍ତି। କିଡ୍‌ନୀ, ଯକୃତ (ଲିଭର୍), ହୃତପିଣ୍ଡ (ହାର୍ଟ), ଫୁସଫୁସ (ଲଙ୍ଗସ୍) ଓ ଆଖି ଦାନ କରିଛନ୍ତି ସେ। ଆଜିକାର ଦଧିଚି ସାଜିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅଲାଡି ଗ୍ରାମର ସୁଶୀଲ ସାହୁ (୩୪)। ସପରିବାର ସୁରଟରେ ରହି ଏକ ସୂତାକଳରେ କାମ କରୁଥିଲେ ସୁଶୀଲ। ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ସେ ବ୍ରେନ୍ ହାମ୍‌ରେଜ୍‌ର ଶିକାର ହୋଇ ଚିକିତ୍ସାଧୀନ ଥିଲେ। ତେବେ ତାଙ୍କ ଜୀବନ ଆଶା ଛାଡ଼ି ଦେଇଥିଲେ ଡାକ୍ତର ଓ ପରିବାର ଲୋକ। ଶେଷରେ ସୁଶୀଲଙ୍କ ପରିବାର ଲୋକ ଅଙ୍ଗଦାନ ଭଳି ମହତ୍ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସୁଶୀଲଙ୍କ ପାଇଁ କିଏ ଦୁନିଆକୁ ଦେଖି ପାରିଛି ତ କିଏ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ପରିବାରବର୍ଗଙ୍କ ସମ୍ମତିରେ ବିଧିବଦ୍ଧ ମୃତ ଘୋଷଣା ପୂର୍ବରୁ ସୁଶୀଲଙ୍କ ଶରୀର ବହୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ସୁରତର ଏକ ଡାକ୍ତରଖାନାରେ ସୁଶୀଲଙ୍କ ଶରୀରରୁ ଅପରେସନ୍ କରି ବିଭିନ୍ନ ସମ୍ବେଦନଶୀଳ ତଥା ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବାହାର କରାଯାଇ ଦେଶର ବିଭିନ୍ନ ସ୍ଥାନକୁ ଏୟାର ଆମ୍ବୁଲାନ୍ସରେ ନେଇ ବିଭିନ୍ନ ଜଟିଳ ରୋଗୀଙ୍କ ଠାରେ ସଫଳ ପ୍ରତ୍ୟାରୋପଣ କରାଯାଇଛି। ଏଭଳି ଦାନ କରି ଅମର ପାଲଟି ଯାଇଛନ୍ତି ସୁଶୀଲ ସାହୁ। ସୁରତରୁ ନିଜ ଗ୍ରାମରେ ମୃତଦେହ ପହଞ୍ଚିଲା ପରେ ଯଦିଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ତଥାପି ନିଜ ନାମକୁ ଅମର କରିପାରିଥିବା ସୁଶୀଲଙ୍କ କାର୍ଯ୍ୟକୁ ସମସ୍ତେ ସାବାସୀ ଦେଉଥିଲେ। ମୃତଦେହକୁ ଫ୍ଲାଇଟ୍‌ରେ ଭୁବନେଶ୍ୱର ଅଣାଯିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ ଅଲାଡ଼ିକୁ ଶନିବାର ସଂଧ୍ୟାରେ ଅଣାଯାଇ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା। ସୁଶୀଲଙ୍କ ଗୋଟିଏ ଶିଶୁ ପୁତ୍ର ସମେତ ବିଧବା ପତ୍ନୀ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଭଞ୍ଜନଗରର ସୁରଜ ସୁରତରେ ଅଙ୍ଗଦାନ କରି ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ।