ପଞ୍ଚାୟତ ନିର୍ବାଚନ: ଛତିଶଗଡ଼ ସୀମାରେ ତନ୍ନ ତନ୍ନ ଯାଞ୍ଚ , ବିଜେପିକୁ ମିଳିବନି ପଡ଼ୋଶୀର ସହାୟତା ! ଚିନ୍ତାରେ ପଶ୍ଚିମ ଓଡ଼ିଶାର ପଦ୍ମଫୁଲିଆ | News Room Odisha

ପଞ୍ଚାୟତ ନିର୍ବାଚନ: ଛତିଶଗଡ଼ ସୀମାରେ ତନ୍ନ ତନ୍ନ ଯାଞ୍ଚ , ବିଜେପିକୁ ମିଳିବନି ପଡ଼ୋଶୀର ସହାୟତା ! ଚିନ୍ତାରେ ପଶ୍ଚିମ ଓଡ଼ିଶାର ପଦ୍ମଫୁଲିଆ

ସମ୍ବଲପୁର : ଗତ ୨୦୧୪ ପରଠାରୁ ଓଡିଶାରେ ହୋଇଥିବା ପ୍ରତିଟି ନିର୍ବାଚନରେ ପଡୋଶୀ ଛତିଶଗଡର ବିଜେପି ନେତାଙ୍କ ହସ୍ତକ୍ଷେପ ପଶ୍ଚିମ ଓଡିଶାବାସୀ ଦେଖି ଆସିଛନ୍ତି। ଏପରିକି ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନ ବେଳେ ବି ଛତିଶଗଡର ଅନେକ ବିଜେପି ନେତା ମାସାଧିକ କାଳ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଡେରା ବାନ୍ଧିଥିଲେ। ଆଉ ଗତ ସାଧାରଣ ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ଅବସ୍ଥାରେ କିଛି ଛତିଶଗଡି ନେତା ଧରା ବି ପଡିଥିଲେ। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଆଉ ପଶ୍ଚିମ ଓଡିଶାରେ ବିଜେପିକୁ ସେହି ସହାୟତା ମିଳିବନି। କାରଣ, ବର୍ତ୍ତମାନ ଠାରୁ ଛତିଶଗଡ ସୀମାକୁ ଝାରସୁଗୁଡା, ସୁନ୍ଦରଗଡ, ବରଗଡ ଏବଂ ନୂଆପଡା ଜିଲ୍ଲା ପ୍ରଶାସନ ସିଲ୍ କରି ଦେଲାଣି। ଛତିଶଗଡ ପଟରୁ ଓଡିଶାକୁ ପ୍ରବେଶ କରୁଥିବା ସବୁ ଯାନବାହନକୁ ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି। ଫଳରେ ଏହାକୁ ନେଇ ପଶ୍ଚିମ ଓଡିଶାର ବିଜେପି ନେତାମାନେ ଚିନ୍ତାରେ ପଡିଗଲେଣି।

ପଶ୍ଚିମ ଓଡିଶାର ୪ଟି ଜିଲ୍ଲା ଛତିଶଗଡ ସୀମାକୁ ଲାଗି ରହିଛି। ସେହି ଜିଲ୍ଲା ଗୁଡିକ ହେଲା- ଝାରସୁଗୁଡ. ସୁନ୍ଦରଗଡ, ବରଗଡ ଏବଂ ନୂଆପଡା। ଏହି ଜିଲ୍ଲା ସମେତ ସାରା ପଶ୍ଚିମ ଓଡିଶା ସହ ଛତିଶଗଡର ଏକ ଭାବଗତ ସଂପର୍କ କେଉ କାଳରୁ ରହି ଆସିଛି। ହେଲେ ଛତିଶଗଡରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ପଶ୍ଚିମ ଓଡିଶା ବିଜେପିକୁ ସବୁ ନିର୍ବାଚନରେ ସହଯୋଗ ମିଳି ଆସୁଥିଲା। ମସିହାରେ ବିଜେଡି ସହ ଥିବା ମେଣ୍ଟ ଭାଙ୍ଗିବା ପରଠାରୁ ଓଡିଶାରେ ବିଜେପିର ମେରୁଦଣ୍ଡ ବି ଭାଙ୍ଗି ଯାଇଥିଲା। ଏଭଳି ସ୍ଥିତିରେ ସବୁ ନିର୍ବାଚନରେ ଛତିଶଗଡ ବିଜେପି ହିଁ ଯାହା କିଛି ବଳ ଦେଉଥିଲା।

ହେଲେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ଠାରୁ ପଶ୍ଚିମ ଓଡିଶା ବିଜେପି ଏକପ୍ରକାର ଛତିଶଗଡର ଟଙ୍କା ଉପରେ ସଂପୂର୍ଣ ନିର୍ଭରଶୀଳ ହୋଇଆସିଥିବା ଚର୍ଚ୍ଚ। ହେଉଛି। ଏପରିକି ଗତ ପଞ୍ଚାୟତ ନିର୍ବାଚନ ବେଳେ ଛତିଶଗଡ ବିଜେପିର ଅନେକ ନେତା ବିଭିନ୍ନ ସ୍ଥାନରେ ଟଙ୍କା ବାଣ୍ଟୁଥିବା ଅବସ୍ଥାରେ ପୁଲିସ ହାବୁଡରେ ଧରା ପଡିବା ଘଟଣା ସମସ୍ତଙ୍କୁ ଜଣା। ସେହି ସମୟରେ ଛତିଶଗଡର କିଛି ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସମ୍ବଲପୁର ଏବଂ ବରଗଡର ବିଭିନ୍ନ ହୋଟେଲରେ ରହି ରଣନୀତି ପ୍ରସ୍ତୁତି ଚଲାଇଥିଲେ। ଗୋଟିଏ ପଟେ ମହାନଦୀର ପାଣିକୁ ବଳପୂର୍ବକ ଅଟକାଇଥିବାରୁ ଓଡିଶା ସରକାର ଛତିଶଗଡର ରମଣ ସରକାର ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଥିଲେ। ସେପଟେ, ସେଠାକାର ଶାସକ ଦଳର ନେତା ମନ୍ତ୍ରୀ ଏଠାରେ ନିର୍ବାଚନ ପରିଚାଳନା କରିବାକୁ ନେଇ ଓଡିଶା ବିଜେପିକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା।

ସେହିପରି ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବି ସେଠାକାର କିଛି ନେତାଙ୍କ ପତିଆରା ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିଥିଲା। ବିଶେଷ କରି ନିର୍ବାଚନ ବେଳେ ବିଜେପି ଛତିଶଗଡର କଳାଟଙ୍କା ଉପରେ ନିର୍ଭରଶୀଳ ଥିବା ନେଇ ବିରୋଧୀ ଦଳ ଅଭିଯୋଗ କରି ଆସୁଥିଲେ। ଏପରିକି ଗତ ୨୦୧୭ରେ ପଶ୍ଚିମ ଓଡିଶାରେ ବିଜେପିର ସଫଳତା ପଛରେ ଛତିଶଗଡ ମନ୍ତ୍ରୀଙ୍କ କଳାଟଙ୍କା ଥିବା ନେଇ ବିଜେଡି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା।

ଏଭଳି ସ୍ଥିତିରେ ବର୍ତ୍ତମାନ ସ୍ଥିତି ସଂପୂର୍ଣ ଓଲଟା ହୋଇଯାଇଛି। ବର୍ତ୍ତମାନ ଛତିଶଗଡରେ ଆଉ ବିଜେପି ସରକାର ନାହିଁ। ଫଳରେ ଦଳୀୟ ସଂଗଠନ ବି ସେଠାରେ ଦୁର୍ବଳ ହୋଇଯାଇଥିବା ଚର୍ଚ୍ଚ। ହୋଇଆସିଛି। ଫଳରେ ସେଠାରୁ ପୂର୍ବ ଭଳି ପଶ୍ଚିମ ଓଡିଶା ବିଜେପି ସହଯୋଗ ପାଇବା ଆଶା କ୍ଷୀଣ ବୋଲି କୁହାଯାଉଛି। ଅପରପକ୍ଷେ, ଗତ ୨୪ ତାରିଖରେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ନିର୍ବାଚନୀ ପ୍ରସ୍ତୁତି ବୈଠକରେ ଛତିଶଗଡ ସୀମା ସିଲ୍ କରିବାକୁ ସ୍ଥିର ହୋଇଥିଲା। ଆଉ ସେଠାରୁ ଆସୁଥିବା ସବୁ ଯାନ ବାହନକୁ ତନ୍ନ ତନ୍ନ କରି ଯାଞ୍ଚ ପରେ ଛଡାଯିବ ବୋଲି ଏସପି ସୂଚନା ଦେଇଥିଲେ। ସେହିପରି ଝାରସୁଗୁଡା, ସୁନ୍ଦରଗଡ ଏବଂ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଉଛି।

ଫଳରେ ଏହାକୁ ନେଇ ପଶ୍ଚିମ ଓଡିଶା ବିଜେପି ଚିନ୍ତାରେ ପଡିଯାଇଛି। ବିଶେଷ କରି ପାଣ୍ଠିକୁ ନେଇ ଅଚିନ୍ତାରେ ରହୁଥିବା ପଦ୍ମଫୁଲିଆ ନେତାମାନେ ଏବେ କଣ କରିବେ ତାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଅପରପକ୍ଷେ, ବିଜେଡି ଗତ ୨୦୧୭ ନିର୍ବାଚନର ପ୍ରତିଶୋଧ ନେବା ଲକ୍ଷ୍ୟରେ ସାରା ପଶ୍ଚିମ ଓଡିଶାରେ ତାର ପ୍ରଚାରକୁ ଶାଣିତ କରିବାକୁ ଯାଉଛି। ଏଥିରେ ବିଭିନ୍ନ ଜିଲ୍ଲାରେ ବିଜେପି ସଂଗଠନରେ ଥିବା କନ୍ଦଳ ବିଜେଡିକୁ ସୁବିଧା ସ୍ଥିତିରେ ରଖିଥିବା ଚର୍ଚ୍ଚ। ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ସାରା ପଶ୍ଚିମ ଓଡିଶାରେ ପଞ୍ଚାୟତ ନିର୍ବାଚନ ପରେ ସାଧାରଣ ନିର୍ବାଚନରେ ସମସ୍ତ ଲୋକସଭା ଆସନ ବିଜେପି ଦଖଲକୁ ନେଇଥିଲା। ହେଲେ ଲୋକଙ୍କ ସମସ୍ୟା ତଥା ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ବର୍ତ୍ତମାନ ସୁଦ୍ଧା ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷରୁ ଆରମ୍ଭ କରି ସମସ୍ତ ବିଜେପି ସାଂସଦ ବିଫଳ ହୋଇଥିବା ସୋସିଆଲ ମିଡିଆରେ ଆଲୋଚନା ହୋଇଆସୁଛି। ଆଉ ଏହାର ପ୍ରତିଫଳନ ଚଳିତ ପଞ୍ଚାୟତ ନିର୍ବ।ଚନରେ ହେବ ବୋଲି ବିଜେଡି ଆଶାବାଦୀ ରହିଛି। ଏହାଛଡା ନବୀନ ସରକାର ପଶ୍ଚିମ ଓଡିଶାର ସର୍ବାଙ୍ଗୀନ ଉନ୍ନତି ସାଙ୍ଗକୁ ଭିତ୍ତିଭୂମି ବିକାଶ ଦିଗରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିଥିବାରୁ ଏହା ଦଳକୁ ବିଜୟୀ କରାଇବ ବୋଲି ବିଜେଡି ପ୍ରାର୍ଥୀ ଏବଂ ନେତା ଆଶାପ୍ରକାଶ କରିଛନ୍ତି।