ବଜେଟ୍-୨୦୨୨: ସାଧାରଣ ବଜେଟ୍ ସହ ରେଳ ବଜେଟ୍ ଉପରେ ନଜର, ଆଧୁନିକୀକରଣକୁ ଗୁରୁତ୍ବ ଦେଇପାରନ୍ତି ସରକାର | News Room Odisha

ବଜେଟ୍-୨୦୨୨: ସାଧାରଣ ବଜେଟ୍ ସହ ରେଳ ବଜେଟ୍ ଉପରେ ନଜର, ଆଧୁନିକୀକରଣକୁ ଗୁରୁତ୍ବ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ନ ୧୧ଟାରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ ଯେ ୨୦୧୭ ବର୍ଷ ପର୍ଯ୍ୟନ୍ତ ରେଳବାଇ ଏବଂ ସାଧାରଣ ବଜେଟ୍ ଅଲଗା ଉପସ୍ଥାପିତ ହୋଇ ଆସୁଥିଲା, କିନ୍ତୁ ପରେ ଉଭୟର ମିଶ୍ରଣ ହୋଇଥିଲେ। ସେବେଠାରୁ ଉଭୟ ସାଧାରଣ ଓ ରେଳ ବଜେଟ ଏକାଠି ଉପସ୍ଥାପିତ ହୋଇଆସୁଛି | ଏଭଳି ସ୍ଥିତିରେ ଆଜି ଉପସ୍ଥାପିତ ହେବାକୁ ଥିବା ରେଳ ବଜେଟରୁ ଜନସାଧାରଣଙ୍କର ଅନେକ ଆଶା ରହିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ସାଧାରଣ ଲୋକଙ୍କ ଆଶାର ବୋଝ ରହିଛି। କରୋନା ମହାମାରୀ ଆରମ୍ଭରୁ ରେଳବାଇର ଆୟ ପ୍ରଭାବିତ ହୋଇଛି | କିନ୍ତୁ ଗତ କିଛି ଆକଳନରୁ ଜଣାପଡିଛି ଯେ ରେଳବାଇ ଏଥିରୁ ମୁକୁଳିବା ଆରମ୍ଭ କରିଛି । ପଶ୍ଚିମ ରେଳବାଇ ଦାବି କରିଛି ଯେ ଜାନୁୟାରୀ ୩୦ ପର୍ଯ୍ୟନ୍ତ ପ୍ରାରମ୍ଭିକ ଆକଳନ ଅନୁଯାୟୀ ରେଳବାଇ ୧୨ ହଜାର କୋଟି ଆୟ ଅତିକ୍ରମ କରିଛି। ଗତ ବର୍ଷ ଜାନୁୟାରୀ ୩୦ ପର୍ଯ୍ୟନ୍ତ ଆୟ ତୁଳନାରେ ଏହା ୨୭ ପ୍ରତିଶତ ଅଧିକ | ରେଳବାଇର ରୋଜଗାରର ପ୍ରମୁଖ କାରଣ ହେଉଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧିକ ମାଲ ପରିବହନ |

ଏହି ବଜେଟରେ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇପାରନ୍ତି। ଅଧିକ ଟ୍ରାଫିକ୍ ବିଶିଷ୍ଟ ରୁଟରେ ଲୋକାଲ୍ ଟ୍ରେନ୍ ବଦଳରେ ସେ ଏସି ଟ୍ରେନ୍ ଘୋଷଣା କରିପାରନ୍ତି | ଏହାସହ ରେଳ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ନୂଆ ରୁଟରେ ଭିଷ୍ଡୋଡୋମ୍ କୋଚ୍ ସହିତ ଟ୍ରେନ ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇପାରେ | ଏହାଛଡ଼ା ସରକାର ଷ୍ଟେସନ ଏବଂ ରେଳ ଜମିର ବିକାଶ ପାଇଁ ନୂଆ ଯୋଜନା ଉପସ୍ଥାପନ କରିପାରିନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଏହି ବଜେଟରେ ଟ୍ରାକ ରକ୍ଷଣାବେକ୍ଷଣ ଏବଂ ସିଗ୍ନାଲ ଉପରେ ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ସମ୍ଭାବନା ରହିଛି |

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେବ ରେଳବାଇ ନିଯୁକ୍ତିକୁ ନେଇ ବିହାରରୁ ୟୁପି ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଏହି କାରଣରୁ ବିଭିନ୍ନ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରିବର୍ତ୍ତେ ଯେକୌଣସି କେନ୍ଦ୍ରୀୟ ଅନୁଷ୍ଠାନ ଅଧୀନରେ ରେଳ ନିଯୁକ୍ତି ପ୍ରକ୍ରିୟା ଘୋଷଣା କରାଯିବା ସମ୍ଭାବନା ରହିଛି। ମୋଟ ଉପରେ ଏହି ସମ୍ପୂର୍ଣ୍ଣ ବଜେଟରେ ରେଳ ଆଧୁନିକୀକରଣ ଯୋଜନା ତଥା କିଛି ପ୍ରମୁଖ ଟ୍ରେନ୍ ଗୁଡିକର ଗତି ବଢାଇବା ଉପରେ ସରକାର ଅଧିକ ଧ୍ୟାନ ଦେଇପାରନ୍ତି।