ଉଡ୍ଡୀୟାନ ତନ୍ତ୍ରପୀଠ ମାଆ ବିରଜା ମନ୍ଦିର | News Room Odisha

ଉଡ୍ଡୀୟାନ ତନ୍ତ୍ରପୀଠ ମାଆ ବିରଜା ମନ୍ଦିର

ବିରଜା ମନ୍ଦିର (ଓଡ୍ଡ୍ୟାଣ ପୀଠ ବା ଉଡ୍ଡୀୟାନ ତନ୍ତ୍ରପୀଠ) ଓଡ଼ିଶାର ଯାଜପୁର ଜିଲ୍ଲାର ଏକ ପୁରାତନ ଦେବୀ ମନ୍ଦିର । ଏହା ଭାରତରେ ବିରଜା କ୍ଷେତ୍ର ନାମରେ ଜଣା । ଏହି ସହରଟି ଭୁବନେଶ୍ୱର ଠାରୁ ୧୨୫ କିମି ଦୁର ରେ ଅବସ୍ଥିତ । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାଆନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି ଜାଗାମାନଙ୍କରେ ଦେଖିବାକୁ ମିଳିନଥାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି । ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଅଛି । କେତେକ ତନ୍ତ୍ର ଗ୍ରନ୍ଥ ଅନୁସାରେ ଦକ୍ଷ ଯଜ୍ଞ ସମୟରେ ମାତା ସତୀଙ୍କ ନାଭି ଏହି ଉତ୍କଳସ୍ଥ ବିରଜା କ୍ଷେତ୍ର ରେ ପଡ଼ିଥିଲା ଏବଂ ନାଭି ଦେଶ ରେ ନାରୀମାନେ ପିନ୍ଧୁଥିବା ଓଡ଼ିଆଣୀ ବା କଟିସୂତ୍ର ଅନୁସାରେ ଏହି ପୀଠ ର ନାମ ଓଡ୍ଡିୟାଣ ପୀଠ ହୋଇଅଛି, ଏବଂ ଏହି ପ୍ରଦେଶ ର ନାମ ଓଡ୍ର ଦେଶ ହୋଇଅଛି ।

ବାମନ ପୁରାଣ ଅନୁସାରେ ବ୍ରହ୍ମା ପାଞ୍ଚଗୋଟି ସ୍ଥାନ ରେ ଅଶ୍ୱମେଧ ଯଜ୍ଞ କରିଥିଲେ । ସେଥିମଧ୍ୟରୁ ଉତ୍ତର ବେଦୀ କୁରୁକ୍ଷେତ୍ର(ହରିୟାଣା), ପଶ୍ଚିମ ବେଦୀ ପୁଷ୍କର(ରାଜସ୍ଥାନ), ଦକ୍ଷିଣ ବେଦୀ ବିରଜା ମଣ୍ଡଳ(ଉତ୍କଳସ୍ଥ), ପୁର୍ବ ବେଦୀ ଗୟା(ବିହାର), ମଧ୍ୟ ବା ଅନ୍ତରବେଦୀ ପ୍ରୟାଗ (ଆଲ୍ଲାବାଦ)ଠାରେ ଅବସ୍ଥିତ । ଆହୁରି ମଧ୍ୟ ବାୟୁ ପୁରାଣ ଅନୁସାରେ ବିଷ୍ଣୁ ଭଗବାନ ଗୟାସୁରକୁ ପାଦତଳେ ସ୍ଥାପିବା ବେଳେ ତାହାର ନାଭି ବିରଜା ମଣ୍ଡଳରେ ପଡ଼ିଥିଲା ଏବଂ ପାଦ ଆନ୍ଧ୍ର ପ୍ରଦେଶର ପିଠାପୁରମ୍ ସ୍ଥାନ ରେ ପଡ଼ିଥିଲା । ଏବେ ବିରଜା ମନ୍ଦିର ପରିସର ମଧ୍ୟରେ ନାଭି ଗୟା କୂପ ଅଛି, ଯେଉଁଠାରେ ପୁତ୍ରମାନେ ସେମାନଙ୍କ ଦିବଙ୍ଗତ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପିଣ୍ଡ ଦାନ କରିଥାନ୍ତି ।