କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ଗିରଫ, ୬ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ କଲା ଭିଜିଲାନ୍ସ | News Room Odisha

କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ଗିରଫ, ୬ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର- ନୂଆପଡା ଜିଲ୍ଲାର କୁବେର ସହକାରୀ ଯୋଗାଣ ବିଭାଗ ଅଧିକାରୀ-ଏସିଏସଓ ରତ୍ନାକର ସେଠୀଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ବୁଧବାର ଏହି ମାମଲାରେ ରତ୍ନାକରଙ୍କ ୬ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ମୋଟ ୬ କୋଟି ୭୩ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ସଂପୂର୍ଣ୍ଣ ଯାଂଚ ସରିଲେ ସଂପତ୍ତି ପରିମାଣ ଅଧିକ ହେବ । କଟକ ଚାଉଳିଆଗଂଜରେ ସେଠୀଙ୍କ ୪ ମହଲା ଘର, ନୂଆପଡା ବାଲିସାହିରେ ଦୁଇ ମହଲା ଘର, ଏକ ତିନି ମହଲା କଲ୍ୟାଣ ମଣ୍ଡପ, ଗୁରୁଡିଝାଟିଆ ଓରନ୍ଦାସ୍ଥିତ ଫାର୍ମ ହାଉସ ରହିଥିଛି । ସେ ସବୁ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଫାର୍ମ ହାଉସ, ଚାଉଳିଆଗଞ୍ଜ ଓ ବାଲିସାହିରେ ଗୋଟିଏ ପ୍ଲଟକୁ ତଦନ୍ତ ପରିସରଭୁକ୍ତ କରିଛି ଭିଜିଲାନ୍ସ । ରତ୍ନାକର ଓ ତାଙ୍କ ପରିବାର ଲୋକଙ୍କ ନାମରେ ଥିବା ୮୯ ଲକ୍ଷ ୨୪ ହଜାର ୮୧ ଟଙ୍କାର ବ୍ୟାଙ୍କ ଜମାକୁ ପ୍ରାଥମିକ ପର୍ଯ୍ୟାୟରେ ରେକର୍ଡ କରାଯାଇଛି । ମୋଟ ୧୦ଟି ସ୍ଥାୟୀ ଜମା ରହିଛି , ଯାହାର ପରିମାଣ ୮୮ ଲକ୍ଷ ଟଙ୍କାରୁ ଅଧିକ ହେବ । ୧ କୋଟି ୧୭ ଲକ୍ଷ ୫୪ ହଜାର ୮୨୮ ଟଙ୍କାର ବୀମା ସେଠୀଙ୍କ ପରିବାର ଲୋକଙ୍କ ନାମରେ ରହିଛି । ୨୦ ଲକ୍ଷ ୯୪ ହଜାର ଟଙ୍କାର ସୁନା ଓ ରୁପା ଗହଣା ଆଦି ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ମିଶାଇ ଏ ଯାଏଁ ୬ କୋଟି ୭୩ ଲକ୍ଷ ଟଙ୍କାର ଅଧିକ ସଂପତ୍ତି ପ୍ରଥମ ଦିନରେ ଆକଳନ କରାଯାଇଛି ।