ବସନ୍ତର ଆଗମନରେ ଆସିଛନ୍ତି ବିଦ୍ୟା ପ୍ରଦାୟିନୀ ଶ୍ରୀସରସ୍ୱତୀ | News Room Odisha

ବସନ୍ତର ଆଗମନରେ ଆସିଛନ୍ତି ବିଦ୍ୟା ପ୍ରଦାୟିନୀ ଶ୍ରୀସରସ୍ୱତୀ

ଶ୍ରୀସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ସର୍ବତ୍ର ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ଏହି ଦିନଟି ହେଉଛି ଆରାଧନାର ଦିବସ। ମୁଖ୍ୟତଃ ଏଇ ଦିନ ଶିକ୍ଷାନୁଷ୍ଠାନରେ ଏହି ପୂଜାକୁ ଶ୍ରଦ୍ଧା ଓ ନିଷ୍ଠାର ସହିତ କରାଯାଏ । ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଉକ୍ତ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।

ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମାସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ ‘ରତିକାମ ମହୋତ୍ସବ’ ରୂପେ ପାଳନ କରୁଥିଲେ । ଏହିଦିନ ସର୍ବତ୍ର ବସନ୍ତ ଉତ୍ସବ ପାଳନ କରାଯାଏ। ସରସ୍ୱତୀ ପୂଜାର ଅନ୍ୟନାମ ହେଇଛି ‘ଶ୍ରୀପଞ୍ଚମୀ’। ପୂର୍ବ କାଳରେ ଗୁରୁକୂଳ ମାନଙ୍କରେ ବ୍ରହ୍ମଚାରୀ ମାନେ ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରି ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ର ସଂକଳ୍ପ ନେଉଥିଲେ। ଦେବୀ ସରସ୍ୱତୀ ହେଉଛନ୍ତି ଜ୍ଞାନ ଓ ବୁଦ୍ଧି ପ୍ରଦାୟିନୀ। ବେଦର ଆଦୀମାତା। ଏ ବଦ୍ଧ ଜୀବର ଉଦ୍ଧାର କର୍ତ୍ତି। ତାଙ୍କ କୃପା ପ୍ରାପ୍ତ ହେଲେ ଜୀବର ପ୍ରଜ୍ଞାଚକ୍ର ଉନ୍ମୋଚିତ ହୋଇଥାଏ। ଯାହା ଫଳରେ ଏ।ମନୁଷ୍ୟ ଜୀବନ ସାର୍ଥକତା ଲାଭ କରିଥାଏ।

ଶୀତ ଋତୁ ଶେଷରେ ବସନ୍ତ ଋତୁର ଆଗମନରେ ଏହି ଶ୍ରୀପଞ୍ଚମୀ ବ୍ରତ ପାଳନ କରାଯାଏ। ଅର୍ଥାତ ଏହିଦିନ ନବ ଜୀବନର ଉନ୍ମେଷ ହୋଇଥାଏ। ଶକ୍ତି ସ୍ୱରୂପା ସରସ୍ୱତୀ ଏହି ପୁଣ୍ୟ ଲଗ୍ନରେ ଧରାରେ ଅବତରଣ କରି ସମଗ୍ର ମାନବ ଜାତିର କଲ୍ୟାଣ ସାଧନ କରିଥାନ୍ତି। ସେଥିପାଇଁ ସର୍ବତ୍ର ଆଜି ତାଙ୍କର ଆରାଧନା। ବିଦ୍ୟା ପ୍ରଦାୟିନୀ ବାଗ ଦେବୀ ଏ ଜାତିର ଅଜ୍ଞାନ ଦୂର କରନ୍ତୁ, ଆଜିର ଏହାହିଁ ପ୍ରାର୍ଥନା।

Saraswati Puja