ଗୋପାଳପୁର ନିର୍ବାଚନମଣ୍ଡଳୀ: ବଳ ଗୋଟାଉଛି ବିଜେଡି | News Room Odisha

ଗୋପାଳପୁର ନିର୍ବାଚନମଣ୍ଡଳୀ: ବଳ ଗୋଟାଉଛି ବିଜେଡି

ଗୋପାଳପୁର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ବିଜେଡି। ଅନ୍ୟ ଦଳର ପ୍ରମୁଖ ନେତାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵର ଯାଦୁଗରୀରେ ଆକର୍ଷିତ ହୋଇ ତଥା ଆଗାମୀ ଭୋଟ ଲଢ଼େଇରେ ରାଜ୍ୟର ଶାସକ ଦଳର ବିଜୟର ମଜବୁତ ସମ୍ଭାବନାକୁ ଆକଳନ କରି ବିଜେଡିରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି। ବିଶେଷକରି ଗୋପାଳପୁର ନିର୍ବାଚନମଣ୍ଡଳୀ ଯାହାକୁ ନେଇ ଅନେକ ସମୟରେ ରାଜ୍ୟ ରାଜନୀତିରେ ବେଶ୍ ହଲଚଲ ସୃଷ୍ଟି ହୋଇଥାଏ, ସେଠି ବିଜେଡି ବଳ ଗୋଟାଇ ନିଜକୁ ଅଧିକ ସଶକ୍ତ କରିବାରେ ଲାଗିଛି।

ଶୁକ୍ରବାର ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ କୁକୁଡ଼ାଖଣ୍ଡି ବ୍ଲକ୍ ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ମିଶ୍ରଣ ପର୍ବ ଲୋଚାପଡ଼ା ଗଙ୍ଗା ମନ୍ଦିର ନିକଟରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶ ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ବିଜେଡିରେ ସ୍ବାଗତ କରିଥିଲେ। ଏହି ଅବସରରେ ହାତ ଛାଡ଼ି ଶଙ୍ଖ ଧରିଛନ୍ତି ଗୁରୁଣ୍ଡିର ପୂର୍ବତନ କଂଗ୍ରେସ ସରପଞ୍ଚ ପରମାନନ୍ଦ ସାହୁ ଏବଂ ଜଗଦଳପୁରର ବରିଷ୍ଠ କଂଗ୍ରେସ ନେତା ରାଧାମୋହନ ପାତ୍ର ପ୍ରମୁଖଙ୍କ ସମେତ ଶହ ଶହ ସମର୍ଥକ ଓ କର୍ମୀ। ଏହି ମିଶ୍ରଣ ପର୍ବ ଫଳରେ ବିଜେଡି ଏହି ଜିଲ୍ଲା ପରିଷଦ ଜୋନ୍‌ରେ ଅଧିକ ବଳ ଏକତ୍ର କରି ବିଜୟ ସମ୍ଭାବନାକୁ ଅଧିକ ନିଶ୍ଚିତ କରିପାରିଛି। ମିଶ୍ରଣ ପର୍ବରେ ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି କରିଥିଲେ ଡ. ଗୋପବନ୍ଧୁ ଦାଶ। ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଶୁଣାଇଛନ୍ତି ସେ।

କୁକୁଡ଼ାଖଣ୍ଡି ବ୍ଲକ୍‌ର ୫ଟି ପଞ୍ଚାୟତକୁ ନେଇ ଗଠିତ ଜିଲ୍ଲା ପରିଷଦ ଜୋନ୍- ୧୦। ଏହା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥିଲେ ହେଁ ପୂର୍ବରୁ ସାଙ୍ଗଠନିକ ଧିମାପଣ ହେତୁ ବିଜେଡିର ଶକ୍ତି କିଛିଟା ହ୍ରାସ ପାଇଥିଲା। ସେଥିପାଇଁ ଏହି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ବାଜିମାତ୍ କରିବାରେ ସକ୍ଷମ ହୋଇଥିଲା। ଏବେ କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜ ସଙ୍ଗଠନକୁ ସେଠାରେ ମଜବୁତ୍ କରି ବିଜେପିକୁ ଚେକ୍‌ମେଟ୍ କରିବା ପାଇଁ ଶକ୍ତ ରଣନୀତି ପ୍ରସ୍ତୁତ କରିଛି। ସେହି କ୍ରମରେ ଆୟୋଜିତ ହୋଇଥିଲା ଏକ ମିଶ୍ରଣ ପର୍ବ। ଲଗାତାର ଜିଲ୍ଲାରେ ବିଶେଷ କରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ନିଜ ଅସ୍ତିତ୍ଵ ହରାଇବାକୁ ବସିଛି କଂଗ୍ରେସ। ତେଣୁ ସେହି ଦଳର କର୍ମୀମାନେ ଏବେ ହତାଶ ହୋଇ ରହିଛନ୍ତି। ତେବେ ବିକାଶର ଧାରାରେ ସେମାନଙ୍କୁ ସାମିଲ କରାଇବା ଲକ୍ଷ୍ୟରେ ବିଜେଡି ଏବେ ସେମାନଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛି।

ନୂତନ ଭାବେ ଦଳରେ ସାମିଲ ବରିଷ୍ଠ କଂଗ୍ରେସ ନେତାମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ- ଅନ୍ୟ ଦଳରେ ରହି ଲୋକଙ୍କ ପାଇଁ କାର୍ଯ୍ୟ କରିବା ସମ୍ଭବ ନୁହେଁ। ବିଜେପି ଓ କଂଗ୍ରେସ ଦଳରେ ଅନ୍ତର୍ଦ୍ବନ୍ଦ୍ବ ଶୀର୍ଷରେ ପହଞ୍ଚିଥିଲା ବେଳେ ଗୋଡ଼ଟଣା ଲାଗି ରହିଛି। ଅନୁଶାସନ ବୋଲି କିଛି ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ବଚ୍ଛ ଶାସନ ଓ ଦୃଢ଼ ଅନୁଶାସନ ଆମମାନଙ୍କୁ ଆକୃଷ୍ଟ କରିଛି। ତେଣୁ ଆମେ ବିଜୁ ଜନତା ଦଳରେ ସାମିଲ ହୋଇଛୁ। କୁକୁଡ଼ାଖଣ୍ଡି ବ୍ଲକ୍ ତଥା ଜିଲ୍ଲା ପରିଷଦ ଜୋନ୍- ୧୦ରେ ବିଜେଡି କିପରି ଅଧିକ ଶକ୍ତିଶାଳୀ ହେବ ସେ ଦିଗରେ ଆମେ କାର୍ଯ୍ୟ କରିବୁ।

ଗତ ପଞ୍ଚାୟତ ନିର୍ବାଚନରେ ଅଳ୍ପ ଭୋଟରେ ପରାଜିତ ହୋଇଥିବା ବିଜେଡି କିନ୍ତୁ ଏଥର ଅଧ୍ବକ ଭୋଟ ହାତେଇବା ସହ ଜିଲ୍ଲା ପରିଷଦ ଜୋନ୍‌ ଦଖଲ କରିବ ତାହା ଉପରେ ମିଶ୍ରଣ ପର୍ବରେ ଗୁରୁତ୍ବାରୋପ କରାଯାଇ ଥିଲା। ନବୀନ ସରକାରଙ୍କ ବିଭିନ୍ନ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା, ବିରୋଧୀଙ୍କ ଅପପ୍ରଚାରକୁ ରୋକିବା ଓ ଜନସାଧାରଣଙ୍କ ସମର୍ଥନ ହାସଲ ସକାଶେ ଆହ୍ବାନ ଦେଇଥିଲେ ବିଜେଡି ନେତୃବୃନ୍ଦ। ସେହିପରି ଯୁବଗୋଷ୍ଠୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସୁଶାସନରେ ବିଜେଡି ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି। ଶୁକ୍ରବାର ୫୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଦିପୁ ସାମନ୍ତଙ୍କ କ୍ୟାମ୍ପେନିଂ ବେଳେ ଡ. ଗୋପବନ୍ଧୁ ଦାଶଙ୍କ ଉପସ୍ଥିତିରେ ଉକ୍ତ ଜୋନ୍ ବିଶେଷ କରି ଗୋଳାବନ୍ଧ ପଞ୍ଚାୟତର ଶତାଧିକ ଯୁବକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଡ. ଦାଶ ସେମାନଙ୍କୁ ବିଜେଡିକୁ ସ୍ବାଗତ କରି ଅଞ୍ଚଳବାସୀଙ୍କ ହିତ ନିମନ୍ତେ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ସକାଶେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ– ଗୋପାଳପୁର ନିର୍ବାଚନମଣ୍ଡଳୀରେ ଗତ କିଛି ସମୟ ମଧ୍ୟରେ ବିଜେଡି ପକ୍ଷରୁ ଏକାଧିକ ମିଶ୍ରଣ ପର୍ବ ହୋଇଛି। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିବା ଏସ୍.ଧର୍ମରାଜ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକ୍‌ ମନ୍ତ୍ରୀଡି ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସହସ୍ରାଧିକ ନେତା ଓ କର୍ମୀ ବିଜେପି, କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ମିଶିଥିଲେ। ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ ମନ୍ତ୍ରୀଡି ସରପଞ୍ଚ ପ୍ରଶାନ୍ତ ଦାସ, ଗୋଳନ୍ଥରା ସରପଞ୍ଚ ସସ୍ମିତା ଜେନା ପ୍ରମୁଖ। ଆହୁରି ମଧ୍ୟ ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଦଳର ଜିଲ୍ଲା କାର୍ଯ୍ୟାଳୟରେ କୁକୁଡ଼ାଖଣ୍ଡି ବ୍ଲକ୍ ବାଘଲଟି ପଞ୍ଚାୟତର ବର୍ତ୍ତମାନର ସମିତି ସଭ୍ୟା ପ୍ରାର୍ଥିନୀ ସଙ୍ଗୀତା ଗୌଡ଼ ଶତାଧିକ ସମର୍ଥକଙ୍କ ସହ ବିଜେପିରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ। ଏଭଳି ଲଗାତାର କାର୍ଯ୍ୟକ୍ରମ ଫଳରେ ବିଜେଡିର ଶକ୍ତି ପରିସର କ୍ରମେ ଅଧିକ ବ୍ୟାପକ ହେବାରେ ଲାଗିଛି ଯାହା ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟର ଅଧିକ ନିକଟତର କରାଇପାରିବ ବୋଲି ଦୃଢ଼ ବିଶ୍ବାସ କରାଯାଉଛି।

BJDChief Minister Naveen PatnaikGopalpur ConstituencyOSD to Odisha CM Dr Gopabandhu Dash