ମନୋବଳ ଦୃଢ଼ ଥିଲେ ଅସମ୍ଭବକୁ ସମ୍ଭବ କରିହେବ: ଦୁଇ ଗୋଡ଼ ନାହିଁ, ତଥାପି ଜାତୀୟ ଶକ୍ତି ଉତ୍ତୋଳନରେ ସ୍ଵର୍ଣ୍ଣ ବିଜୟ | News Room Odisha

ମନୋବଳ ଦୃଢ଼ ଥିଲେ ଅସମ୍ଭବକୁ ସମ୍ଭବ କରିହେବ: ଦୁଇ ଗୋଡ଼ ନାହିଁ, ତଥାପି ଜାତୀୟ ଶକ୍ତି ଉତ୍ତୋଳନରେ ସ୍ଵର୍ଣ୍ଣ ବିଜୟ

ବ୍ରହ୍ମପୁର: ଭାରୋତ୍ତୋଳନ ହେଉ ବା ଶକ୍ତି ଉତ୍ତୋଳନ ହେଉ ଅଥବା ସୁନ୍ଦର ସ୍ବାସ୍ଥ୍ୟ… ଏସବୁ କ୍ରୀଡ଼ା କଥା ଉଠିଲେ ଆଖି ଆଗରେ ଛାଇଯାଏ ମଜବୁତ ଶରୀର, ଶକ୍ତ ବାହୁ ଓ ପାଦ, ସମ୍ପୂର୍ଣ୍ଣ ସକ୍ଷମ ବ୍ୟକ୍ତି ଯେକି ସାଧାରଣ ଲୋକଙ୍କ ଠାରୁ ବେଶ୍ ଅଧିକ ଓଜନ ଉଠାଇବାକୁ ସମର୍ଥ। ହେଲେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର ଗ୍ରାମର ଗଦାଧର ସାହୁ। ତାଙ୍କୁ ଯେକେହି ଦେଖିବ ଓ ତାଙ୍କ ଶାରୀରିକ ପରିଶ୍ରମ ତଥା ବ୍ୟାୟାମ ଉପରେ ଦୃଷ୍ଟି ପକାଇବ ସେ ବେଶ୍ ସହଜରେ ବୁଝିପାରିବ କାହିଁକି ଗଦାଧର ଏକ ନିଆରା ନଜିର।

ଏକ ଦୁର୍ଘଟଣାରେ ନିଜର ଦୁଇ ଗୋଡ଼ ହରାଇ ସାରିଛନ୍ତି ଗଦାଧର। ହେଲେ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ଗଦାଧର ନିଜ ଦୃଢ଼ ମନୋବଳ ହେତୁ ଅନ୍ୟମାନଙ୍କ ପାଇଁ ଅସମ୍ଭବ ମନେ କରାଯାଉଥିବା କାର୍ଯ୍ୟକୁ ସମ୍ଭବ, ବାସ୍ତବ କରି ଦେଖାଇ ପାରିଛନ୍ତି। ସେ ଭାରୋତ୍ତୋଳକ ଓ ଶକ୍ତି ଉତ୍ତୋଳକଙ୍କ ପରି ଅଧିକ ଓଜନ ଉଠାଇ ପାରୁଛନ୍ତି। ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀଙ୍କ ଭଳି ନିଜର ଶରୀରକୁ ଅତ୍ୟନ୍ତ ଶକ୍ତ ଓ ହୃଷ୍ଟପୃଷ୍ଟ କରିପାରିଛନ୍ତି। କୌଣସି ଏକ ଟେବୁଲ୍ ବା ଚେୟାର୍ ଉପରେ ବସି ସେ ଭାର ଉତ୍ତୋଳନ କରିପାରନ୍ତି। କୋଲକତା ଠାରେ ଅନୁଷ୍ଠିତ ଜାତୀୟସ୍ତରର ପାୱାରଲିଫ୍ ଚାମ୍ପିଅନସିପରେ ୫୫ କେଜି ବର୍ଗରେ ସ୍ଵର୍ଣ୍ଣ ବିଜେତା ସାଜି ସେ ପ୍ରମାଣିତ କରି ଦେଇଥିଲେ ଯେ ସେ କାହା ଠାରୁ କମ୍ ନୁହଁନ୍ତି। ଏପରିକି ତାଙ୍କ ପ୍ରଦର୍ଶନ ଦେଖି ପ୍ରତିଯୋଗିତାସ୍ଥଳ ଭରପୁର ତାଳିରେ କମ୍ପି ଉଠିଥିଲା।

ଗଦାଧରଙ୍କ ଜୀବନ ସଂଘର୍ଷ କଥା ଶୁଣିଲେ ଯେକେହି ତାଙ୍କୁ ପ୍ରଶଂସା କରିବ। ବାପା ମାଆ ନଥିବା ବେଳେ ୪ ଭାଇ ଓ ୩ ଭଉଣୀଙ୍କୁ ଗଠିତ ଗଦାଧରଙ୍କ ପରିବାର। ଆର୍ଥିକ ସ୍ଥିତି ବିଶେଷ ସ୍ବଚ୍ଛଳ ନଥିବାରୁ ବଡ଼ ଭାଇ କାମ ସନ୍ଧାନରେ ସୁରତ ଚାଲି ଯାଇଥିଲେ। ଘରର ଦୈନନ୍ଦିନ କାର୍ଯ୍ୟ କରୁଥିଲେ ସାନ ପୁଅ ଗଦାଧର। ୨୦୧୮ ମସିହାରେ ଭାଇଙ୍କ ପାଖକୁ ସୁରତ ଯାଇଥିଲେ ଗଦାଧର। ହେଲେ ସେଠିକାର ଷ୍ଟେସନ୍‌ରେ ଘଟିଥିଲା ଏକ ଅଘଟଣ। ଟ୍ରେନ୍‌ ଧକ୍କାରେ ଗୁରୁତର ଓ ବହୁ ସମୟ ପର୍ଯ୍ୟନ୍ତ ଅଚେତ ହୋଇ ପଡ଼ିଥିଲେ ଗଦାଧର। ଏପରିକି ପୋଲିସ ତାଙ୍କୁ ମୃତ ଭାବି ଅନ୍ତିମ ସଂସ୍କାର ବ୍ୟବସ୍ଥା କରିଥିଲା। ହେଲେ ତା ପୂର୍ବରୁ ଚେତା ଫେରି ପାଇଥିଲେ ଗଦାଧର। କିନ୍ତୁ ତାଙ୍କ ଜୀବନ ରକ୍ଷା ପାଇଁ ଗୋଡ଼ ଦୁଇଟିକୁ କାଟିବାକୁ ପଡ଼ିଥିଲା। ସବୁଦିନ ପାଇଁ ଭିନ୍ନକ୍ଷମ ହୋଇ ଯାଇଥିଲେ ଏହି ଯୁବକଜଣକ। କାହିଁ ତାଙ୍କ ସ୍ବପ୍ନ ଥିଲା ଯେ ସେ ଯବାନ ଭାବେ ଦେଶର ସୁରକ୍ଷା କରିବେ, ଆଉ କେଉଁଠି ଏବେ ଦୁଇ ଗୋଡ଼ହରା ବିକଳାଙ୍ଗ ହୋଇଯାଇଥିଲେ ଗଦାଧର।

କିନ୍ତୁ ପ୍ରତିକୂଳ ପରିସ୍ଥିତିର ଗଭୀର ସମୁଦ୍ରରୁ ଉଠି ସମ୍ଭାବନା ଓ ଆଶାର ହିମାଳୟ ଶିଖରରେ ପହଞ୍ଚିଥିଲେ ଗଦାଧର। ନିଜ ମନୋବଳକୁ ମଜବୁତ କରି ସେ ଶାରୀରିକ ଅଭ୍ୟାସରେ ଲାଗି ପଡ଼ିଲେ। ଆଉ ଜୀବନର ଜଟିଳ ସମୟ, କଷ୍ଟକର ପରିସ୍ଥିତି, ଅସମ୍ଭବ, ଅସଫଳତା ଆଦି କଥାକୁ ସେ ପଛରେ ପକାଇବାରେ ସକ୍ଷମ ହୋଇଥିଲେ। ଜିମ୍‌ରେ କଠୋର ପରିଶ୍ରମ କରି ସେ ନିଜକୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାରେ ଲାଗିପଡ଼ିଲେ। ଦୈନିକ ଜିମ୍‌ରେ ସେ ବ୍ୟାୟାମ ଜରିଆରେ ଗଢିଛନ୍ତି ସୁନ୍ଦର ଓ ଶକ୍ତ ଶରୀର। ଯେକୌଣସି ଫିଜିକାଲ୍ ଫିଟ୍ ବ୍ୟକ୍ତି ଠାରୁ କମ୍ ନୁହଁନ୍ତି ଗଦାଧର। ଜିମ୍‌ରେ ସବୁପ୍ରକାର କସରତ କରୁଛନ୍ତି ସେ। ତାଙ୍କ ସାହାସ ଦେଖି ସମସ୍ତେ ସହଯୋଗର ହାତ ବଢ଼ାଇଥିଲେ। ପ୍ରଥମେ ରାଜ୍ୟସ୍ତରରେ ଓ ପରେ ଜାତୀୟସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିଥିଲେ ଗଦାଧର। ଆଉ ଏବେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ପ୍ରତିଯୋଗିତାରେ ଭାଗ ନେବା ଲକ୍ଷ୍ୟରେ ଅଭ୍ୟାସ ଜାରି ରଖିଛନ୍ତି ସେ। ଜିମ୍ ସମୟ ବ୍ୟତୀତ ଅନ୍ୟ ସମୟରେ ଭାଇଙ୍କ ଫାଷ୍ଟଫୁଡ୍ ଦୋକାନରେ ବସି ସେ
ସହାୟତା କରନ୍ତି। ଦୟାର ପାତ୍ର ନୁହେଁ, ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିବାକୁ ଇଚ୍ଛୁକ ଗଦାଧର। ନିଜ ପରିଶ୍ରମ ଓ ମନୋବଳ ହେତୁ ଭିନ୍ନକ୍ଷମତା ସତ୍ତ୍ବେ ବଡିବିଲଡିଂ ଭଳି ସ୍ବପ୍ନକୁ ସଫଳ କରି ପାରିଛନ୍ତି ସେ।