ଚାଉଳ କିଣା ପ୍ରସଙ୍ଗରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି | News Room Odisha

ଚାଉଳ କିଣା ପ୍ରସଙ୍ଗରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର- ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ରକୁ ପୁଣି ଥରେ ଟାର୍ଗେଟ କରିଛି ବିଜେଡି । ଚାଷୀଙ୍କ ସ୍ୱାର୍ଥରକ୍ଷା ପ୍ରସଙ୍ଗରେ ବିଜେପି ସବୁବେଳେ ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରାଜ୍ୟର ଚାଷୀମାନଙ୍କ ପ୍ରତି କେନ୍ଦ୍ର ସବୁବେଳେ ବୈମାତୃକ ମନୋଭାବ ପୋଷଣ କରିଆସିଛି । ଜୀବନ ଜୀବିକା ସହ ଖେଳୁଥିବାରୁ କିଛି ଚାଷୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଗଚ୍ଛିତ ଚାଉଳ ନିୟମ ଅନୁସାରେ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ କିଣୁନାହାନ୍ତି । ସେ କହିଛନ୍ତି ଯେ, ୨୦୨୦-୨୧ ଖରିଫ ଋତୁରେ ରାଜ୍ୟରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇଥିଲା । ସେଥିମଧ୍ୟରୁ ୩୦ ଲକ୍ଷ ମେଟ୍ରିକ ଟନ୍ ରାଜ୍ୟରେ ବ୍ୟବହାର ପାଇଁ ରାଜ୍ୟ ସରକାର ରଖିଥିଲେ ମଧ୍ୟ ବଳକା ଚାଉଳକୁ ଏଫସିଆଇ ଉଠାଉ ନାହିଁ । ବଳକା ଚାଉଳ ମଧ୍ୟରୁ ୨ ଲକ୍ଷ ଟନ୍ ଅରୁଆ ଓ ୫ ଲକ୍ଷ ଟନ୍ ଭିଟାମିନ ଯୁକ୍ତ ଉଷୁନା ଚାଉଳ କିଣିବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା । ତେବେ ଆଉ ୧୫ ଲକ୍ଷ ଟନ୍ ଚାଉଳର ଭାଗ୍ୟ କଣ ହେବ, ତାହା ଜଣାପଡୁନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । କେବଳ ନିର୍ବାଚନ ଆସିଲେ ହିଁ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ମୁଖପାତ୍ର ସୁଲତା ଦେଓ ଅଭିଯୋଗ କରିଛନ୍ତି ।