ବରଗଡ଼ରେ ଚିନିକଳ ପୁନରୁଦ୍ଧାର ଆଶା ଉଦଜୀବିତ ! ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀ ଉତ୍ସାହିତ | News Room Odisha

ବରଗଡ଼ରେ ଚିନିକଳ ପୁନରୁଦ୍ଧାର ଆଶା ଉଦଜୀବିତ ! ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀ ଉତ୍ସାହିତ

ବରଗଡ଼ ଚିନିକଳ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଏଥିପାଇଁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିବା ବେଳେ ହାଇଲେବେଲ୍‌ କମିଟିର ବୈଠକରେ କାରଖାନାର ସବିଶେଷ ଉନ୍ନତୀ ପାଇଁ ଆଲୋଚନା ହୋଇସାରିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ସର୍ବଭାରତୀୟ ବଜାରରେ ଚିନିର ଦର ଅପେକ୍ଷାକୃତ ଭାବେ କମ୍ ଥିବାରୁ କେବଳ ଚିନି ଉତ୍ପାଦନ ଜରିଆରେ କୌଣସି କାରଖାନା ତିଷ୍ଠିବା ସମ୍ଭବପର ନଥିବାରୁ ସହଯୋଗୀ ଉତ୍ପାଦ ଭାବେ ଇଥାନଲ ପ୍ଲାଣ୍ଟ ବସାଇବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇ ପ୍ରାୟ ୧୦୧ କୋଟି ଟଙ୍କା ବିନିଯୋଗ ପାଇଁ ପ୍ରୋଜେକ୍ଟ ରିପୋର୍ଟ ଦିଆଯାଇଥିଲା । ଯାହାକି ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧ ପାଇଁ ସ୍ଥଗିତ ରହିଛି । ଆଗାମୀ ବଜେଟ୍‌ରେ ନିଶ୍ଚିତ ଭାବେ ପ୍ରତିଫଳିତ ହେବାର ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସୂଚନା ପରେ ବରଗଡ଼ ଚିକିନଳ କର୍ମଚାରୀ ମହଲରେ ଉତ୍ସାହ ଖେଳିଯାଇଛି । ବିଗତ ୫ ବର୍ଷରୁ ଅଧିକ ସମୟ ଧରି ବନ୍ଦ ଥିବା ବରଗଡ଼ ସୁଗାର୍ସର ପୁନରୁଦ୍ଧାର ପାଇଁ କର୍ମଚାରୀ ୟୁନିୟନ୍ ବାରମ୍ବାର ଦାବି କରୁଛନ୍ତି । ସମ୍ପାଦକ ସୁବ୍ରତ ସାହୁଙ୍କ ନେତୃତ୍ବରେ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ଗତ ୫ ତାରିଖ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସିଂଙ୍କୁ ସୋହେଲା ସ୍ଥିତ ବାସଭବନରେ ଭେଟି କାରଖାନାର ବିଭିନ୍ନ ସମସ୍ୟା ଉପରେ ଅବଗତ କରିଥିଲେ । ବିଗତ ୫ ବର୍ଷ ହେଲା କାରଖାନା ବନ୍ଦ ଥିବାରୁ ଜିଲ୍ଲାର ଏକମାତ୍ର ଅର୍ଥକାରୀ ଆଖୁଚାଷ ପ୍ରଭାବିତ ହୋଇଥିବା ବେଳେ ବିଗତ ୫୫ ମାସ ଧରି ଦରମା ପାଇନଥିବା କର୍ମଚାରୀ ଭିଖାରୀ ହୋଇଗଲେଣି ବୋଲି ଅଭିଯୋଗ କରିଥିଲେ । ସେହିଭଳି ଅଚଳ କାରଖାନାରୁ ବ୍ୟାପକ ଚୋରି ମଧ୍ୟ ହେଉଥିବାରୁ ଏବେଠୁ ଧ୍ୟାନ ନଦେଲେ ଚିନିକଳ ମଧ୍ୟ ସୂତାକଳ ସ୍ଥିତି ଭୋଗିବାକୁ ଯାଉଛି ବୋଲି ଉଦ୍‌ବେଗ ପ୍ରକାଶ କରି କାରଖାନାର ପୁନରୁଦ୍ଧାର ଦିଗରେ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ସକାଶେ ନିବେଦନ କରିଥିଲେ । ତେବେ ଆସନ୍ତା ବଜେଟ୍‌ରେ ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ୧୦୧ କୋଟି ଟଙ୍କା ଆବଣ୍ଟିତ କରାଯାଇ ଇଥାନଲ ପ୍ଲାଣ୍ଟ ସହ ଚିନିକଳ ଚାଲିବ ବୋଲି ସ୍ପଷ୍ଟ କରିଥିବା ୟୁନିୟନ ସୂତ୍ରରୁ ଜଣାପଡ଼ିଛି । ଉକ୍ତ ଆଲୋଚନା ସମୟରେ କାରଖାନା ଉପ – ସଭାପତି ବ୍ରିଜବଲ ରାଏ , ମେହେର , ସିନିୟର ପ୍ରୋଗ୍ରାମର ବେଣୁପାଣି ମେହେର ଓ ପୁଷ୍ପଜିତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ରାଜ୍ୟ ସମବାୟ ବିଭାଗ ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ବରଗଡ଼ ଚିନିକଳ ଡେପ୍ୟୁଟି ଚିଫ୍ କେମିଷ୍ଟ ଡୋଳାମଣି ବରଗଡ଼ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଅର୍ଥନୈତିକ ପ୍ରଗତିକୁ ତ୍ବରାନ୍ବିତ କରିବା ସହ ଚାଷୀଙ୍କୁ ଆର୍ଥିକ ସବଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିପାରିଥିଲା । ଧାନ ଓ ପନିପରିବା ସହ ବରଗଡ଼ ଚାଷୀ ଆଖୁ ଭଳି ଅର୍ଥକାରୀ ଚାଷ କରି ଦୁଇପଇସା ରୋଜଗାର କରିବାର ସୁଯୋଗ ପାଇଥିଲେ ତେବେ ସର୍ବୋଚ୍ଚ ସମୟରେ କାରଖାନାଟି ଆର୍ଥିକ କ୍ଷତିର ଶୀକାର ହେବା ପରେ ସରକାର ଘରୋଇ ପରିଚାଳନା ହସ୍ତରେ କାରଖାନାକୁ ଅର୍ପଣ କରିଥିଲେ ମଧ୍ୟ ପରେ ତାକୁ ଫେରାଇ ଆଣିଥିଲେ । ପୁଣିଥରେ ନିଜେ ପରିଚାଳନା ଆରମ୍ଭ କରିଥିଲେ ହେଁ ଆନ୍ତର୍ଜାତୀୟ ବଜାରରେ ଚିନିର ନୈରାଶ୍ୟଜନକ ଦର କାରଖାନାକୁ ନିମ୍ନଗାମୀ କରିଥିଲା । ପଡ଼ିଉଠି କୌଣସିମତେ କାରଖାନା ଚାଲୁଥିଲେ ବି ୨୦୧୫ ପରେ ପୁରା ବନ୍ଦ ହୋଇଗଲା । ବର୍ଷେ ଦୁଇ ବର୍ଷ ଜିଲ୍ଲାର ଉତ୍ପାଦିତ ଆଖୁକୁ ଢେଙ୍କାନାଳ ପଠାଇ କ୍ରସିଂ ପାଇଁ ଉଦ୍ୟମ ଆରମ୍ଭ ହେବା ପରେ ବରଗଡ଼ ଚାଷୀ ଆଖୁଚାଷ ପରିତ୍ୟାଗ କରିଥିବା ବେଳେ କାରଖାନାର କର୍ମଚାରୀ ଜୀବିକା ହରା ଅବସ୍ଥାକୁ ଗଣି ହୋଇଗଲେ । ତଥାପି କାରଖାନା ପୁନରୁଦ୍ଧାର ଶାରେ ଅପେକ୍ଷାରତଥିବା ବେଳେ ଗତ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ୧୧ କୋଟି ସହାୟତା ଘୋଷଣା କରିଥିଲେ । ତେବେ କାରଖାନାର ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ହାଇଲେବୁଲ କମିଟି ଜରିଆରେ ସବୁଜ ସଙ୍କେତ ଦେଇଥିବାରୁ ନିର୍ବାଚନ ଆଚରଣବିଧ୍ଵ ହଟିବା ପରେ

କୌଣସି ଘୋଷଣା ହୋଇପାରେ ବୋଲି ଖୋଦ୍ ମନ୍ତ୍ରୀଙ୍କ ସୂଚନା କର୍ମଚାରୀ ମହଲକୁ ଉତ୍ସାହିତ କରିଛି । ପ୍ରକାଶଥାଉକି ଆଜିକୁ ୫୮ ମାସ ହେଲା କର୍ମଚାରୀ ଦରମା ପାଇନଥିବା ବେଳେ ଅବସର ଗ୍ରହଣ କରିସାରିଥିବା କର୍ମଚାରୀ ଗ୍ରାଚ୍ୟୁଟି ଓ ପେନସନରୁ ବଞ୍ଚିତ ଅଛନ୍ତି । କିଛି ବିନା ଦରମା ଓ ପେନ୍‌ସନ୍‌ରେ ମୃତ୍ୟୁବରଣ କରିସାରିଥିବା ବେଳେ କିଛି ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ରହି ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ସେହିଭଳି ସ୍କାପ ଲୁହା ଚୋରଙ୍କ ଚରାଭୂଇଁ ପାଲଟିଥିବା ତୋରାର ଅସାମାଜିକଙ୍କ ନଜର ବର୍ତ୍ତମାନ ଚିନିକଳ ଉପରେ ପଡ଼ିଥିବା ବେଳେ ବାରମ୍ବାର ଆପରି , ଅଭିଯୋଗ , ଏତଲା ସତ୍ତ୍ଵେ ପୁଲିସ୍ ବିଭାଗର ନୀରବତା ଯୋଗୁଁ କାରଖାନାର ମୂଲ୍ୟବାନ ଯନ୍ତ୍ରାଂଶର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଥିବାରୁ ଯୁଦ୍ଧକାଳୀନ ଭିଭିରେ କାରଖାନାର ପୁନରୁଦ୍ଧାର ପାଇଁ ଘୋଷଣା କରାଯାଇ ସମଗ୍ର ବରଗଡ଼ବାସୀଙ୍କୁ ଆଶ୍ୱସ୍ତ କରାଯାଉ ବୋଲି ୟୁନିୟନର ସଦସ୍ୟମାନେ ଦାବି କରିଛନ୍ତି ।