ସରଗରମ ହେଲାଣି ବୌଦ୍ଧ ରାଜନୀତି, ଦୁର୍ଗ ଅତୁଟ ଲକ୍ଷ୍ୟରେ ବିଜେଡି, ବାଜିମାତ୍ ଲକ୍ଷ୍ୟରେ ବିଜେପି | News Room Odisha

ସରଗରମ ହେଲାଣି ବୌଦ୍ଧ ରାଜନୀତି, ଦୁର୍ଗ ଅତୁଟ ଲକ୍ଷ୍ୟରେ ବିଜେଡି, ବାଜିମାତ୍ ଲକ୍ଷ୍ୟରେ ବିଜେପି

ବୌଦ୍ଧ : ପଞ୍ଚାୟତ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲାର ରାଜନୀତି ସରଗରମ ହୋଇଗଲାଣି। ଜିଲ୍ଲା ପରିଷଦ ଗଠନ କରିବାକୁ ସବୁ ପ୍ରମୁଖ ଦଳ ଝାଳନାଳ କସରତ ଚଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ତାର ବିକାଶ କାମକୁ ଆୟୁଧ କରି ଲୋକଙ୍କ ଆସ୍ଥା ପୂର୍ବବତ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସେପଟେ, ବିଜେପି ଗତ 2017ରେ 9ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ମାତ୍ର 2ଟିରେ ସନ୍ତୁଷ୍ଟ ହେବାକୁ ପଡିଥିବା ବେଳେ ଏଥର ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଅଣ୍ଟା ଭିଡିଛି। ଅପରପକ୍ଷେ, ଖାତା ଖୋଲି ପାରୁନଥିବା କଂଗ୍ରେସ ବି ବଳ ଗୋଟାଇବାକୁ ଚେଷ୍ଟା ଜାରି ରଖିଛି।

ଏମିତିରେ ଦେଖିବାକୁ ଗଲେ ବୌଦ୍ଧ ଜିଲ୍ଲା ଗଠନ ହେବା ଦିନରୁ ହିଁ ବିଜେଡି ଏଠାରେ ରାଜ୍ କରି ଆସୁଛି। ଜିଲ୍ଲାର ଉଭୟ ବିଧାନସଭା ଆସନ ବି ବିଜେଡି ହାତରେ। ସେହିପରି ଗତ 2017ରେ ଜିଲ୍ଲାର 9ଟି ଜୋନ୍ ମଧ୍ୟରୁ ବିଜେଡି 6ଟି ଅକ୍ତିଆର କରିଥିବା ବେଳେ ବିଜେପି 2ଟି ଏବଂ ସିପିଆଇ ଗୋଟିଏ ଆସନ କବଜାକୁ ନେଇଥିଲା। ତେବେ, ବର୍ତ୍ତମାନ ପଞ୍ଚାୟତ ଭୋଟରେ ବିଜେଡି ପୁଣି ଥରେ ପରିଷଦ ଗଠନ କରିବାକୁ ରଣନୀତି ପ୍ରସ୍ତୁତି କରି ସାରିଛି। ଆଉ ଏଥିପାଇଁ ଜିଲ୍ଲାର ଦୁଇ ଦଳୀୟ ବିଧାୟକଙ୍କ ନେତୃତ୍ବରେ ପ୍ରଚାରକୁ ଦଳ ଶାଣିତ କରିଛି। ସେପଟେ, ବିଜେପି ଏଠାରେ ସେତେଟା ସଂଗଠନ ସୁଦୃଢ ନଥିଲେ ହେଁ କୌଣସିମତେ ପରିଷଦ ଗଠନ ପାଇଁ ସଂଘର୍ଷ ଚଲାଇଛି।
କୃଷିବହୁଳ ବୌଦ୍ଧ ଜିଲ୍ଲାରେ ଅନେକ ପ୍ରସଙ୍ଗ ରହିଥିବା ବେଳେ ବିଜେପି ଧାନର ଅଭାବୀ ବିକ୍ରି ନେଇ ବିଜେଡିକୁ ଘେରିବାକୁ ଚେଷ୍ଟା କରି ଆସିଛି। ହେଲେ ଏହି ଦିଗରେ ଏଫସିଆଇ ତଥା କେନ୍ଦ୍ରର କରଛଡା ମନୋଭାବକୁ ଲୋକଙ୍କ ପାଖରେ ଥୋଇବାକୁ ବିଜେଡି ନେତା ସଫଳ ହୋଇଥିବାରୁ ତାହା ଓଲଟା ବିଜେପିକୁ ବୁମେରାଂ ହୋଇଥିବା ଚର୍ଚ୍ଚା ହେଉଛି। ସେହିପରି ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକଳ୍ପ ଆଗେଇ ଚାଲିଥିବା ବେଳେ ଅନେକ ପ୍ରକଳ୍ପରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଅନୁମତି ବାଧକ ସାଜୁଥିବା କଥାକୁ ମଧ୍ୟ ବିଜେଡି ପ୍ରସଙ୍ଗ କରିଛି। ସେପଟେ, ଦଳୀୟ ଅନ୍ତକନ୍ଦଳ ଯୋଗୁଁ ବିଜେଡିର ରଣନୀତିକୁ ମୁକାବିଲା କରିବା ଦିଗରେ ବିଜେପି ନେତା ସେତେଟା ସଫଳ ହେଉନଥିବା ଚର୍ଚ୍ଚ। ହୋଇଆସୁଛି। ତେବେ, ତେଲ ନଦୀର ଅଧାପନ୍ତରିଆ ବ୍ରିଜ୍ ନିର୍ମାଣକୁ ବିଜେପି ପ୍ରସଙ୍ଗ କରୁଥିବା ବେଳେ ଅନ୍ତତଃପକ୍ଷେ ବିଜେଡି ଅମଳରେ ଏହି ବ୍ରିଜ୍ ନିର୍ମାଣ ସାକାର ରୂପ ନେଇଥିବା କଥାକୁ ଶଂଖ ଦଳୀୟ ନେତା ଲୋକଙ୍କ ଆଗରେ ପରସିବାରେ ସଫଳ ହୋଇଛନ୍ତି।

ସେପଟେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରତାରଣା ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବିଜେପିକୁ ଅଡୁଆରେ ପକାଇଛି। ହେଲେ ବର୍ତ୍ତମାନ ବିଜୁ ସ୍ବାସ୍ଥ୍ୟ କାର୍ଡ ସାଙ୍ଗକୁ କାଳିଆ ଟଙ୍କା, ମମତାରୁ ହରିଶ୍ଚନ୍ଦ୍ର ଯାଏ ଶତାଧିକ ଯୋଜନାକୁ ନେଇ ବିଜେଡି ଲୋକଙ୍କ ଆସ୍ଥା ଭାଜନ ହେବାକୁ ଲକ୍ଷ୍ୟ ରଖିଛି।

Odisha Panchayat Election