ଗଞ୍ଜେଇ ମାଫିଆଙ୍କ ୧.୧୭ କୋଟିର ସମ୍ପତ୍ତି ବ୍ୟାଜ୍ୟାପ୍ତି | News Room Odisha

ଗଞ୍ଜେଇ ମାଫିଆଙ୍କ ୧.୧୭ କୋଟିର ସମ୍ପତ୍ତି ବ୍ୟାଜ୍ୟାପ୍ତି

ପାରଳାଖେମୁଣ୍ଡି: ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗଜପତି ଜିଲ୍ଲାର ଉପାନ୍ତ ଇଲାକା, ବଣ ଜଙ୍ଗଲ ମଧ୍ୟରେ ମାଫିଆମାନେ ଲୁଚାଛପାରେ ଗଞ୍ଜେଇ ଚାଷ କରି ଆସୁଛନ୍ତି। ପୋଲିସ ଓ ପ୍ରଶାସନ ଏହା ବିରୋଧରେ ଲଗାତର ଚଢ଼ଉ କରି ବେଆଇନ ନିଶା କାରବାରର ମୂଳୋତ୍ପାଟନ ପାଇଁ ପ୍ରୟାସ କରି ଆସୁଛି। ଅନେକାଂଶରେ ସଫଳତା ମଧ୍ୟ ପାଇଛି ପୋଲିସ, ଅବକାରୀ ଓ ରାଜସ୍ବ ବିଭାଗ। ତଥାପି ମାଫିଆଙ୍କ ଉପଦ୍ରବ ସମ୍ପୂର୍ଣ୍ଣ ଥମିନି। ଚିନ୍ତାଜନକ କଥା ହେଉଛି ଏହି ଗଞ୍ଜେଇ ଚାଷରୁ ହେଉଥିବା ଆୟ ମାଓବାଦୀ, ସମାଜବିରୋଧୀ କାର୍ଯ୍ୟରେ ଲାଗୁଛି। ତେବେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ଏବେ ଗଞ୍ଜେଇ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟ ଗଞ୍ଜେଇ ମାଫିଆ, ଚୋରାଚାଲାଣକାରୀଙ୍କୁ ସାବାଡ଼ କରିବା ପାଇଁ ଗ୍ରହଣ କରିଛି ଦୃଷ୍ଟାନ୍ତମୂଳକ ଶକ୍ତ ପଦକ୍ଷେପ। ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ (କ୍ରିଷ୍ଟ ଦାସ)ଙ୍କ ସମେତ ତାଙ୍କ ଦୁଇ ପତ୍ନୀଙ୍କ ନାମରେ ଥିବା ୧ କୋଟି ୧୭ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରି ନିଆଯାଇଛି। ଏହା ମଧ୍ୟରେ ରହିଛି ତାଙ୍କ ନିଜ ଗ୍ରାମରେ ସରକାରୀ ଜମି ୨୪୯୦.୬୨ ବର୍ଗଫୁଟରେ ନିର୍ମିତ ବାସଗୃହ, ବ୍ରହ୍ମପୁର ସହର ଆଙ୍କୁଲି ଲକ୍ଷ୍ମୀନଗର ୪ର୍ଥ ଗଳିରେ ପତ୍ନୀଙ୍କ ନାମରେ ଥିବା ୨୧୦୦ ବର୍ଗଫୁଟର ବହୁମୂଲ୍ୟ କୋଠା ଘର, ଗୋଟିଏ ଦାମିକା କାର୍ ଓ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଜମା ରାଶି। ବିରିକୋଟ ଏକ୍ସିସ୍ ବ୍ୟାଙ୍କ୍ ଓ ମୋହନା ଷ୍ଟେଟ୍ ବ୍ୟାଙ୍କରେ ରାଧାକାନ୍ତ ଓ ତାଙ୍କ ପତ୍ନୀମାନଙ୍କ ନାମରେ ଏକାଧିକ ଆକାଉଣ୍ଟ୍ ରହିଥିଲା। ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂହ ମୋହନା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏଭଳି ପଦକ୍ଷେପ ଦ୍ଵାରା ନିଶା ମାଫିଆ, ଗଞ୍ଜେଇ ଚାଷୀ ଓ ଚାଲାଣକାରୀ ସାବାଡ଼ ହୋଇପାରିବେ। ଜିଲ୍ଲାରେ ନିଶା କାରବାର ଉପରେ ଅଙ୍କୁଶ ଲାଗିପାରିବା ଆଶା କରାଯାଉଛି। ପୁଲିସ ପକ୍ଷରୁ ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଆର୍. ଉଦୟଗିରି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକ ଏବଂ ଡିଏସ୍‌ପି ରାଜକିଶୋର ଦାସ।

କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ବିରୋଧରେ ଗଜପତି ଜିଲ୍ଲା ଅଡ଼ବା ଥାନାରେ ଦଶଟି, ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ୩ଟି ଓ ନୂଆଦିଲ୍ଲୀରେ ଗୋଟିଏ କେସ୍ ରହିଥିଲା। ବ୍ୟାପକ ଗଞ୍ଜେଇ ଚାଷ, ନିଶା ଚୋରା କାରବାରରେ ସେ ଥିଲା ମୁଖ୍ୟ କାର୍ପଟଦାର। ଏପରିକି ତାଙ୍କ ବିରୋଧରେ ଏକ ହତ୍ୟା ମାମଲା ମଧ୍ୟ ରହିଛି। ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ କର୍ଣ୍ଣାଟକ ରାଜ୍ୟ ମହୀଶୂରରୁ ତାଙ୍କୁ ପୋଲିସ ଗିରଫ କରିଥିଲା। ସେ ଏବେ ଭଞ୍ଜନଗର ସବ୍‌ଜେଲରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ତାଙ୍କ ବିରୋଧରେ ପୋଲିସ ବିଭିନ୍ନ ମାମଲାର ଅନୁସନ୍ଧାନ ଚଳାଇଥିଲା। ଏହି ପରିପ୍ରେକ୍ଷୀରେ ଏନ୍‌ଡିପିଏସ୍ ଓ ସେଫମା ୧୯୭୬ ଆକ୍ଟ ଅନୁସାରେ କୋଲକତାସ୍ଥିତ କମ୍ପିଟେଣ୍ଟ ଅଥରିଟୀ ଆଣ୍ଡ ଆଡ୍‌ମିନିଷ୍ଟ୍ରେସନ୍ ଦ୍ୱାରା ରାଧାକାନ୍ତଙ୍କ ସମ୍ପତ୍ତି ଯାହାକୁ ସେ ଅବୈଧ ନିଶା କାରବାର ଜରିଆରେ ଉପାର୍ଜନ କରିଥିଲେ ତାହାକୁ ବ୍ୟାଜ୍ୟାପ୍ତି କରିବା ପାଇଁ ନୋଟିସ୍ ଜାରି କରାଯାଇ ଥିଲା। ସେହିକ୍ରମରେ ପୋଲିସ ଏଭଳି ପଦକ୍ଷେପ ନେଇ ଗଞ୍ଜେଇ ମାଫିଆଙ୍କୁ ସତର୍କ ସଙ୍କେତ ଦେଇଛି। ରାଧାକାନ୍ତଙ୍କ ସହ ତାଙ୍କ ଦୁଇ ପତ୍ନୀ, ଭାଇ, ସମ୍ପର୍କୀୟ ଭାଇ ଓ ଅନ୍ୟ ସମ୍ପର୍କୀୟମାନେ ଏହି ଗଞ୍ଜେଇ କାରବାରରେ ଲିପ୍ତ ରହୁଥିଲେ।